ମଣ୍ଡିରୁ ଧାନ କିଣା ପରିମାଣ କମୁଛି; ଚାଷୀ ହତାଶ, ଖରିଫରେ ଧାନ ବିକି ପାରିଲେନି ୬୩୦୦ ଚାଷୀ

ରବିରେ ଧାନ ବିକ୍ରି ପାଇଁ ଅପେକ୍ଷାରେ ୨୫୦୦ ଚାଷୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରତିବର୍ଷ ଧାନ ସଂଗ୍ରହ ବୈଠକରେ ଚାଷୀଙ୍କ ଠାରୁ ଯେତିକି ପରିମାଣରେ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଉଛି ସେତିକି ପରିମାଣରେ ଧାନ ଚାଷୀଙ୍କ ଠାରୁ କିଣାଯାଉନାହିଁ। ଏହି ପରିମାଣ ପ୍ରତିବର୍ଷ ହ୍ରାସ ପାଇବାରେ ଲାଗିଛି। ୨୦୨୧ ଖରିଫରେ ୧୪ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ କିଣାଯାଇଥିଲା ୧୩ଲକ୍ଷ କ୍ୱିଣ୍ଟାଲ, ୨୦୨୨ ଖରିଫରେ ଟାର୍ଗେଟ୍ ଥିଲା ୧୫ଲକ୍ଷ କ୍ୱିଣ୍ଟାଲ କିନ୍ତୁ କିଣାଗଲା ୧୨ଲକ୍ଷ ୯୦ ହଜାର କ୍ୱିଣ୍ଟାଲ। ୨୦୨୨ରେ ୬,୩୦୦ ପଂଜୀକୃତ ଚାଷୀ ଧାନ ବିକ୍ରି କରିପାରିନଥିବା ବେଳେ ଚଳିତ ରବି ଋତୁ ପାଇଁ ବିଗତ ବର୍ଷ ତୁଳନାରେ ଅଧିକ ଚାଷୀ ଧାନ ବିକ୍ରି କରିବା ପାଇଁ ପଂଜୀକୃତ କରିଛନ୍ତି। ୨୦୨୧-୨୨ ଖରିଫ ଧାନ ସଂଗ୍ରହ ଶେଷ ହୋଇଛି। ମଇ ମାସ ଶେଷ ସପ୍ତାହରୁ ରବି ଋତୁର ଧାନ ସଂଗ୍ରହ ଆରମ୍ଭ ହେବ। ଖୋର୍ଦ୍ଧା ଜିଲ୍ଲାର ଯେଉଁଠାରେ ଜଳସେଚନର ସୁବିଧା ରହିଛି ସେଠାରେ ରବି ଫସଲ ଧାନ ଚାଷ ହୋଇଥାଏ। ଜିଲ୍ଲାରେ ୩୨୯୭୩ ହେକ୍ଟର ଜମିରେ ମୁଗ, ବିରି ଓ ଧାନ ଆଦି ଫସଲ ରବି ଚାଷ ହୁଏ। ଏହା ମଧ୍ୟରୁ କେବଳ ୩ହଜାର ହେକ୍ଟରରେ ଧାନ ଚାଷ ହୁଏ। ବାଲିଅନ୍ତା, ବାଲିପାଟଣା, ଭୁବନେଶ୍ୱର ବ୍ଲକରେ ୫୦୦ ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ଟାଙ୍ଗୀ ଓ ଖୋର୍ଦ୍ଧାରେ ଏହା ୨୦୦ରୁ ୨୫୦ ହେକ୍ଟର ମଧ୍ୟରେ ସୀମିତ ଅଟେ।

ବେଗୁନିଆ, ବୋଲଗଡ଼, ବାଣପୁର, ଚିଲିକା, ଜଟଣୀ ଆଦିରେ ଏହି ଧାନ ଚାଷ ପରିମାଣ ସଂଖ୍ୟା ପ୍ରାୟତଃ ନଗଣ୍ୟ ଅଟେ। ବର୍ତ୍ତମାନ ରବି ଋତୁ ପାଇଁ ଚାଷୀଙ୍କ ପଂଜୀକରଣ ଅପ୍ରିଲ୍ ୧୫ରେ ଶେଷ ହୋଇଛି। ୨୫୦୦ ଚାଷୀ ନିଜର ଜମିର ଧାନ ବିକ୍ରି କରିବା ପାଇଁ ପଂଜୀକରଣ କରିିଛନ୍ତି। ୨୦୨୧-୨୨ ରବି ଋତୁରେ ୧୬୦୮ଜଣ ଚାଷୀ ପଂଜୀକରଣ କରିଥିବା ବେଳେ ସେମାନଙ୍କ ଠାରୁ ୫୬,୭୦୦ କ୍ୱିଣ୍ଟାଲ ଧାନ କିଣାଯାଇଥିଲା। ଚଳିତବର୍ଷ ଚାଷୀଙ୍କ ପଂଜୀକରଣ ସଂଖ୍ୟା ବୃଦ୍ଧି ପାଇଥିବାରୁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପରିମାଣ ମଧ୍ୟ ବୃଦ୍ଧି ପାଇବା ଆଶା କରାଯାଉଛି। ଖରିଫ ଧାନ ସଂଗ୍ରହ ଋତୁରେ ଖୋର୍ଦ୍ଧା ଜିଲ୍ଲା ପାଇଁ ୧୫ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ୧୩୯ଟି ପ୍ରାଥମିକ କୃଷି ସମବାୟ ସମିତିର ୪୬ହଜାର ୪୧୨ଜଣ ଚାଷୀ ପଂଜୀକରଣ କରିଥିଲେ। ଧାନ ସଂଗ୍ରହରେ ମିଲରଙ୍କ ମନମାନି, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ୬ହଜାର ୩ଶହ ଚାଷୀ ନିଜର ଧାନ ବିକ୍ରି କରି ପାରିନଥିଲେ। ଜିଲ୍ଲାରେ ଏଭଳି କ୍ରମାଗତ ଭାବେ ଧାନ ସଂଗ୍ରହ ଲକ୍ଷ୍ୟ ହ୍ରାସ ପାଉଥିବା ନେଇ ଖୋର୍ଦ୍ଧା ଯୋଗାଣ ଅଧିକାରୀ ସୁରୁଡ଼ା ମୁର୍ମୁ କହିଛନ୍ତି ଯେ ଚଳିତ ବର୍ଷ ୧୭ଜଣ ମିଲର ଧାନ ସଂଗ୍ରହ ପାଇଁ ଅନୁବନ୍ଧିତ ଥିଲେ। ସେମାନଙ୍କ ମିଲିଂ କ୍ଷମତା ଆଧାରରେ ସେମାନେ ସେକ୍ୟୁରିଟି ଅର୍ଥ ଜମା ଦେଇଥାନ୍ତି।

୧୭ଜଣ ମିଲରଙ୍କ ଧାନ ମିଲା ମିଲିଂ କ୍ଷମତାକୁ ଆକଳନ କରି ୩୮ କୋଟି ଟଙ୍କା ସେକ୍ୟୁରିକି ଜମା ଦାଖଲ ପାଇଁ ନିର୍ଦେଶ ଦିଆଯାଇଥିଲା, କିନ୍ତୁ ମିଲରମାନେ ୩୬ କୋଟି ଟଙ୍କା ଜମା କରିଥିଲେ। ସେମାନେ ଅଧିକ ଧାନ ନେବା ପାଇଁ ଅନେକ ବୁଝାଶୁଝା କରାଯାଇଥିଲା, କିନ୍ତୁ କେହି ରାଜି ହୋଇନଥିଲେ, ଫଳରେ ଆବଶ୍ୟକ ପରିମାଣରେ ଧାନ ଚାଷୀଙ୍କ ଠାରୁ କିଣାଯାଇପାରିଲା ନାହିଁ। ଚଳିତ ରବି ଋତୁ ପାଇଁ ଚଳିତମାସ ୧୩ ତାରିଖରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଥିଲା। ଏଯାଏଁ ଜିଲ୍ଲାପାଇଁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇନାହିଁ। ଆଗାମୀ ୨-୩ ଦିନ ମଧ୍ୟରେ ଏହା ଆସିବା ସମ୍ଭାବନା ରହିଛି। ଅନ୍ୟ ଜିଲ୍ଲାରେ ରବି ଧାନ ସଂଗ୍ରହ ମଇ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇଥାଏ, କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଏହାକୁ ମଇ ୩୧ ତାରିଖ ଧାର୍ଯ୍ୟ କରାଯାଇଛି। ଚଳିତବର୍ଷ ଅଧିକ ଚାଷୀ ପଂଜୀକରଣ କରିଥିବାରୁ ଅଧିକ ଧାନ ସଂଗ୍ରହ ହେବା ଆଶା କରାଯାଉଛି, ତେବେ ଯେଉଁମାନେ ପଂଜୀକରଣ କରିଛନ୍ତି ସେମାନଙ୍କ ଜମିର ଫସଲ ସରଜମିନ ଯାଂଚ କରିବାକୁ ଯେଗାଣ ବିଭାଗ, ରାଜସ୍ୱ ନିରୀକ୍ଷକ ଓ ପ୍ୟାକ୍ସର କର୍ମଚାରୀଙ୍କୁ ନେଇ ଏକ ତିନିଜଣିଆ ଟିମ୍ କରାଯାଇଛି। ପଂଜୀକୃତ ଚାଷୀଙ୍କ ଜମିକୁ ଯାଇ ପ୍ରତ୍ୟକ୍ଷ ଅନୁଧ୍ୟାନ କରି ସେମାନେ ଚାଷୀଙ୍କ ଠାରୁ ଧାନ କିଣା ନିଶ୍ଚିତ କରିବେ।

ସମ୍ବନ୍ଧିତ ଖବର