ପୁରୀ: ‘କରୋନା’ ଭୟାବହତାକୁ ଆଖି ଆଗରେ ରଖି ୨ ଦିନରେ ହୋଟେଲ୍‌ ଖାଲି କରିବାକୁ ନିର୍ଦ୍ଦେଶ, ଏପ୍ରିଲ ୧୫ ପର୍ଯ୍ୟନ୍ତ ବୁକିଂ ବାତିଲ୍‌

ପୁରୀ : ହୋଟେଲ ମାଲିକଙ୍କ ସହ ଆଜି ପୁଣିଥରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଭିତରେ ହୋଟେଲ ଖାଲି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏ ସଂପର୍କରେ ଏକ ଆଇଭାଇଜରି ବି ଜାରି ହୋଇଛି। ପରବର୍ତ୍ତୀ ଆଡଭାଇଜାରି ଜାରି ନହେବା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି। ଏପ୍ରିଲ ୧୫ ପର୍ଯ୍ୟନ୍ତ ସମସ୍ତ ବୁକିଂ ବାତିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ସ୍ବତନ୍ତ୍ର ସର୍କିଟ୍‌ ହାଉସ‌୍ ଠାରେ ଅନୁଷ୍ଠିତ ଏହି ବୈଠକରେ ‘କରୋନା’ ଭୟାବହତା ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଯଥା ସମ୍ଭବ ବିଦେଶୀ ପର୍ଯ୍ୟଟକଙ୍କୁ ହୋଟେଲ୍‌ ବୁକିଂ ଠାରୁ ଦୂରେଇ ରଖିବାକୁ କୁହାଯାଇଥିଲା। ଯେଉଁ ପର୍ଯ୍ୟଟକମାନେ ଅଛନ୍ତି, ସେମାନେ ଯେଭଳି ମାସ୍କ ପିନ୍ଧିବେ ଓ ସାନିଟାଇଜର୍‌ ବ୍ୟବହାର କରିବେ, ସେ ଉପରେ ବି ସତର୍କ ଦୃଷ୍ଟି ଦେବାକୁ ନିଷ୍ପତ୍ତି ହୋଇଥିଲା। ଏ ସଂପର୍କରେ ଅଧିକ ସୂଚନା ଦେଇ ପୁରୀ ହୋଟେଲ ସଂଘର ରାଜକିଶୋର ପାତ୍ର କହିଛନ୍ତି, ଆଜି ବୈଠକରେ ହୋଟେଲକୁ କେତେ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି, କେତେ ବୁକିଂ ହୋଇଛି ଓ ବର୍ତ୍ତମାନ ସୁଦ୍ଧା କେତେ ପର୍ଯ୍ୟଟକ ଅଛନ୍ତି, ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

‘କରୋନା’ ଭୟାବହତାକୁ ଆଖି ଆଗରେ ରଖି ଦୁଇ ଦିନ ଭିତରେ ହୋଟେଲ ସବୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପର୍ଯ୍ୟଟକମାନେ ଅଛନ୍ତି‌, ସେମାନଙ୍କୁ ତୁରନ୍ତ ଘରକୁ ଫେରିଯିବା ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି। ସେହିଭଳି ଯେଉଁ ପର୍ଯ୍ୟଟକମାନେ ବୁକିଂ କରିଥିଲେ, ସେ ସବୁକୁ ବାତିଲ୍‌ କରିବାକୁ କୁହାଯାଇଛି। ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଉ କୌଣସି ବୁକିଂ ନ ରଖିବାକୁ ନିଷ୍ପତ୍ତି ହୋଇଛି। ଆଜି ସଂଧ୍ୟାରେ ଏ ସଂପର୍କିତ ଆଡ଼ଭାଇଜରି ଆସିଛି ବୋଲି ଶ୍ରୀ ପାତ୍ର କହିଛନ୍ତି। ବୈଠକରେ ଅନ୍ୟ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ହୋଟେଲର ମାଲିକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର