ଆନ୍ତରାଜ୍ୟ ଡକାୟତ ଦଳ ମାଷ୍ଟର ମାଇଣ୍ଡ ଗିରଫ

ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ପୁଲିସକୁ ସଫଳତା ମିଳିଛି। ଦୀର୍ଘ ଦିନ ହେଲା ନିଖୋଜ ଥିବା ଆନ୍ତରାଜ୍ୟ ଡକାୟତ ଦଳର ମାଷ୍ଟର ମାଇଣ୍ଡ ଉଗ୍ରସେନ ବାଗକୁ ପୁଲିସ ମୁନିଗୁଡା ଥାନା ଅନ୍ତର୍ଗତ ଭୁର୍ସିଖମ୍ବା ଗ୍ରାମରୁ ଗିରଫ କରିଛି। ପୁଲିସ ଉଗ୍ରସେନଙ୍କ ଠାରୁ ୩ଟି ଛୁରୀ, କଳା ପୋଷାକ ଓ ମୁଖା, ୧୦ହଜାର ଟଙ୍କା ଜବତ କରିଛି। ଉଗ୍ରସେନଙ୍କ ନାଁରେ ମୁନିଗୁଡା ଥାନାରେ ୬ଟି ମାମଲା ବ୍ୟତୀତ ରାଜ୍ୟ ତଥା ଛତିଶଗଡର ବିଭିନ୍ନ ଥାନାରେ ୨୧ଟି ଡକାୟତି ମାମଲା ଥିବା ବିଷମକଟକ ଏସଡିପିଓ ଚନ୍ଦ୍ର ଶେଖର ହୋତା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଉଗ୍ରସେନ ବାଗ ଅଧିକାଂଶ ଡକାୟତି ରାଜପଥ ଉପରେ ଲୁଟ ତରାଜ ମାଧ୍ୟମରେ କରି ଆସୁଥିଲା। ତେଣୁ ସେ ରାୟଗଡା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଗତ କିଛି ଦିନ ହେଲା ଉଗ୍ରସେନ କେରଳରେ ଲୁଚି ରହିଥିବା ବେଳେ ରଥଯାତ୍ରା ନିମନ୍ତେ ନିଜ ପ୍ରେମିକାଙ୍କୁ ସାକ୍ଷାତ କରିବା ପାଇଁ ନିଜ ଗାଁ ଭୁର୍ସିଖମ୍ବାକୁ ଆସିଥିଲା। ଏନେଇ କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡା ପୁଲିସ ଗତକାଲି ରାତିରେ ଅଚାନକ ଚଢାଉ କରି ଉଗ୍ରସେନଙ୍କ ଗିରଫ କରିବାରେ ସଫଳ ହୋଇଥିଲା। ପୁଲିସ ତା’ ଠାରୁ ୩ଟି ଛୁରୀ, କଳା ପୋଷାକ ଓ ମୁଖା, ୧୦ହଜାର ଟଙ୍କା ଜବତ କରିଥିଲା। ଉଗ୍ରସେନ ଆନ୍ତରାଜ୍ୟ ଡକାୟତ ଦଳର ମାଷ୍ଟର ମାଇଣ୍ଡ ଥିଲା ବୋଲି ବିଷମକଟକ ଏସଡିପିଓ ଚନ୍ଦ୍ର ଶେଖର ହୋତା ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପୁଲିସ ଉଗ୍ରସେନଙ୍କୁ ବିଭିନ୍ନ ବିଷୟରେ ପଚରାଉଚୁରା ଜାରି ରଖିଛି। ଆନ୍ତରାଜ୍ୟ ଡକାୟତ ଉଗ୍ରସେନ ଗିରଫ ହେବା ପରେ ଅଞ୍ଚଳବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର