ବାଟବଣା ହେଉଛି ଉଜ୍ବଳା ଯୋଜନା, ରିଫିଲ୍ କରିପାରୁ ନାହାନ୍ତି ଉପଭୋକ୍ତା

ଭଞ୍ଜନଗର: ବୁଲା ବିକାଳି ଭଳି ଘରକୁ ଘର ବୁଲି ଦେଉଛନ୍ତି ଏଲ୍ପିଜି ଗ୍ୟାସ୍ ସେପୁଣି ବିନା ବୁକିଂରେ। ଗ୍ୟାସ୍ ପାଇବା ପାଇଁ ନିର୍ଦ୍ଧିଷ୍ଟ କମ୍ପାନୀ ଅଧୀନରେ ଖାତା ଖୋଲିବା ସହ ଗ୍ୟାସ୍ ନେବା ପାଇଁ ପୂର୍ବରୁ ବୁକିଂର ଆବଶ୍ୟକତା ଥିଲେ ମଧ୍ୟ ବର୍ତ୍ତମାନ ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ କିଛି ମୁନାଫାଖୋର ବ୍ୟବସାୟୀ ମନଇଛା ଘର ସାମ୍ନାକୁ ଯାଇ ବିନା ବୁକିଂରେ ବିକ୍ରି କରୁଛନ୍ତି ଗ୍ୟାସ୍। ନିର୍ଦ୍ଧିଷ୍ଟ କମ୍ପାନୀର ମଧ୍ୟର ସିଲିଣ୍ଡର ଦେଉନାହାନ୍ତି। ଉପଭୋକ୍ତା ଗୋଟିଏ କମ୍ପାନୀର ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ବେ୍ଳେ ଅନ୍ୟ ଏକ କମ୍ପାନୀର ଗ୍ୟାସ ଦେଇ ଯାଉଛନ୍ତି। ଏଭଳି ଅଦଳ ବଦଳ ହେବା ଫଳରେ ପରବର୍ତ୍ତି ସମୟରେ କମ୍ପାନି ସିଲିଣ୍ଡର ନେବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଥିବା ଖବର ସାମ୍ନାକୁ ଆସୁଛି। ଗ୍ୟାସ୍ ଦେବା ସମୟରେ ନା ଦେଉଛନ୍ତି ରସିଦ ନା ରହୁଛି କିଛି ଗ୍ୟାସ୍ କିଣିବାର ପ୍ରମାଣ। ଯାହା ଫଳରେ ଗ୍ୟାସ୍ ବ୍ୟବହାର ସମୟରେ ଯଦି କୌଣସି ଅଘଟଣ ଘଟେ ତେବେ କମ୍ପାନି ପକ୍ଷରୁ ପ୍ରତି ଗ୍ୟାସ୍ ପିଛା ରହୁଥିବା ୬ ଲକ୍ଷ ଟଙ୍କାର ବୀମାରୁ ମଧ୍ୟ ଉପଭୋକ୍ତା ବଞ୍ଚିତ ରହିବେ ବୋଲି ବିତରକ ସଂସ୍ଥା ପକ୍ଷରୁ କୁହାଯାଇଛି।

ଭଞ୍ଜନଗର ସହରରେ ଦୁଇ ଜଣ ଏଲ୍ପିଜି ଗ୍ୟାସ ବିତକର ରହିଥିବା ବେଳେ ଏହି ଦୁଇ ବିତରକଙ୍କ ବ୍ୟତୀତ ଅନ୍ୟ କମ୍ପାନୀର ଗ୍ୟାସ ସିଲିଣ୍ଡର ନେଇ କିଛି ଗାଡି ଅବାଧରେ ବିକ୍ରି ହେଉଥିବା ଅଭିଯୋଗ ଆସିଛି। ଯାହାର ସିଧା ସଳଖ ପ୍ରଭାବ ପକାଇଛି ଗ୍ୟାସ ବିତରକଙ୍କ ଉପରେ ସେମାନେ ଏସଂର୍ପକରେ ଜାଣି ସୁଧା ଜଳକା ହୋଇ ରହିଛନ୍ତି। ସହରାଞ୍ଚଳ ଉପଭୋକ୍ତା ସାଙ୍ଗକୁ ଉଜ୍ବଳ ଯୋଜନାର ହିତାଧିକାରୀଙ୍କୁ ମିଶାଇଲେ ବିତରକଙ୍କ ନିକଟରେ ଯେଉଁ ପରିମାଣର ଏଲ୍ପିଜି ଗ୍ରାହକ ରହିଛନ୍ତି ସେହି ପରିମାଣର ଗ୍ୟାସ୍ ବିକ୍ରି ହେଉନଥିବାରୁ ତାରତମ୍ୟ ସୃଷ୍ଟି ହୋଇଛି। ବିଶେଷ କରି ସହରାଞ୍ଚଳରେ ଅଧିକାଂଶ ଘରେ ଏକାଧିକ ଏଲ୍ପିଜି ସଂଯୋଗ ରହିଛି ଯେଉଁ ମାନେ ନିୟମିତ ଗ୍ୟାସ ବ୍ୟବହାର କରୁଛନ୍ତି। ତାକୁ ଦୃଷ୍ଟିରେ ରଖିଲେ ଗ୍ୟାସ ସିଲିଣ୍ଡର ସଂଖ୍ୟ ଯଥେଷ୍ଟ ବୃଦ୍ଧି ପାଇବା କଥା ।

କିନ୍ତୁ ଉପଭୋକ୍ତା ସଂଖ୍ୟା ଠାରୁ କମ୍ ପରିମାଣର ସିଲିଣ୍ଡର ବିକ୍ରି ସଠିକ୍ ଭାବେ ଗ୍ୟାସ୍ ସିଲିଣ୍ଡର ବିକ୍ରି ଓ ଉଜ୍ବଳ ଯୋଜାନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଉପଭୋକ୍ତା ମାନଙ୍କୁ ମିଳୁଥିବା ସବ୍ସିଡି ପୂର୍ବ ତୁଳନାରେ ବର୍ତ୍ତମାନ ଅତି ନଗନ୍ୟ ରହୁଥିବାରୁ ବୁକିଂ କରି ଦିନେ ଦୁଇ ଦିନ ଅପେକ୍ଷା କରିବା ବଦଳରେ ଘର ସାମ୍ନାରେ ମିଳି ଯାଉଥିବା ସିଲଣ୍ଡର କିଣି ନେଉଛନ୍ତି। ଯାହାର ପ୍ରଭାବ ସିଧାସଳଖ ବିତରକଙ୍କ ଉପରେ ପଡିଛି। ଉଦହାରଣ ସ୍ବରୂପ ଭଞ୍ଜନଗର ଗ୍ୟାସ୍ ବିତରକ ସଂସ୍ଥା ଗତ ଏପ୍ରିଲ୍ ମାସ ପର୍ୟ୍ୟନ୍ତ ପ୍ରତିଦିନ ୭୦୦ ରୁ ୮୦୦ ଗ୍ୟାସ୍ ବୁକିଂ ହେଉଥିବା ବେଳେ ସେଠାରେ ବର୍ତ୍ତମାନ ସଂଖ୍ୟା ୪୫୦ ତଳକୁ ଖସି ଆସିଛି। ସେହିପରି ବ୍ୟବସାୟୀକ କ୍ଷେତ୍ରରେ ବ୍ୟବହାର ହେଉଥିବା ସିଲିଣ୍ଡର ୫୦-୬୦ ବୁକିଂ ହେଉଥିବା ବେହଳେ ବର୍ତ୍ତମାନ ତାହା ୨୦ ସଂଖ୍ୟାକୁ ଖସି ଆସିଛି। ଅନେକ ବ୍ୟବସାୟୀକ କ୍ଷେତ୍ରରେ ଘରୋଇ ଗ୍ୟାସ ବ୍ୟବହାର ହେଉଥିବା ମଧ୍ୟ ଅଭିଯୋଗ ଆସୁଛି। ଗ୍ୟାସ ମହଜୁଦ ଠାରୁ ଆରମ୍ଭ କରି ବିତରଣ ପର୍ୟ୍ୟନ୍ତ କଡ ଗାଇଡ ଲାଇନ ରହିଥିବା ବେଳେ ବୁଲି ବୁଲି ଗ୍ୟାସ ବିକ୍ରି କରୁଥିବା ବ୍ୟକ୍ତି ମାନେ ସାଧାରଣ ଉପଭୋକ୍ତାଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ହେଉଛି।

ବିଶେଷ କରି ଗ୍ରାମାଞ୍ଚଳ ଗରୀବ ମହିଳାଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ଉଜ୍ଜଳା ଯୋଜାନାକୁ ବିସ୍ତାରିତ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ଦିଗହରା ହୋଇପଡିଛି। ସୁରକ୍ଷିତ ଏଲ୍ପିଜି ବ୍ୟବହାର ଓ ବହୁମୁଖୀ ବ୍ୟବହାର ସଂର୍ପକରେ ବିଶେଷ କରି ମହିଳା ମାନଙ୍କୁ ପୂର୍ବରୁ ସଚେତନ କରିଲେ ମଧ୍ୟ ଅଧିକାଂଶ ଉଜ୍ବଳ ଯୋଜନାର ହିତାଧିକାରୀ ଥରେ ରିଫିଲ୍ କରିବା ପରେ ଦ୍ବିତୀୟ ଥର ଆଉ ରିଫିଲ୍ କରି ପାରିନଥିବା ଜଣାପଡିଛି। ଯାହାର ଫାଇଦା କିଛି ଅସାଧୁ ନେବାରେ ଲାଗିଛନ୍ତି। ଦଦରଲୁଣ୍ଡା ପଞ୍ଚାୟତରେ କିଛି ଦିନ ତଳେ ଗ୍ୟାସ୍ ରିଫିଲ୍ କରିବା ପାଇଁ ୨୫ ଟି ସିଲିଣ୍ଡର କିଛି ବ୍ୟକ୍ତି ନେଇ ଚମ୍ପଟ ମାରିଥିବା ବେଳେ ହିତାଧିକାରୀ ଆଉ ସିଲିଣ୍ଡର ପାଇ ପାରିନଥିଲେ। ସେହିପରି ପଢାଳ ପଞ୍ଚାୟତର ବେଣାକୁନ୍ଦାରୁ ମଧ୍ୟ ସମାନ ଢଙ୍ଗରେ ଦବୃର୍ତ୍ତ ମାନେ ସିଲିଣ୍ଡର ନେଇଯାଇଥିବା ଅଭିଯୋଗ ଆସିଥିଲା। ସଚେତନତା ଅଭାବ କିମ୍ବା ଆର୍ଥିକ ଦୃଷ୍ଟି କୋଣରୁ ଉକ୍ତ ଯୋଜନା ଯେଭଳି ଭାବେ ଆଦୃତ ହେବା କଥା ତାହା ବାସ୍ତବରେ ହୋଇପାରିନାହିଁ। ସଚେତନତାର ଆଭାବ,ଏଲ୍ପିଜି ସିଲିଣ୍ଡର ଅତ୍ୟଧିକ ଦରଦାମ,ଗ୍ରାମାଞ୍ଚଳରେ ଗ୍ୟାସ୍ ଅପେକ୍ଷା ଜାଳେଣୀ କାଠ ଉପରେ ଅଧିକ ନିର୍ଭର ଏହି ଯୋଜନା ସଫଳ ହେବା ପରିବର୍ତ୍ତେ ବାଟବଣା ହୋଇପଡିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର