୧୫ ଶହ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ସହକାରୀ ରାଜସ୍ୱ ନିରୀକ୍ଷକ

ନବରଙ୍ଗପୁର: ଜମି ସୀମାକରଣ କରିବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ଶହ ଟଙ୍କା ଲାଞ୍ଜ ନେଇ ନବରଙ୍ଗପୁର ଜିଲ୍ଲାର କୋଡ଼ିଙ୍ଗା ତହସିଲ ଅନ୍ତର୍ଗତ ବଡ଼ଅମ୍ବା ସହକାରୀ ରାଜସ୍ୱ ନିରୀକ୍ଷକ ହରିବନ୍ଧୁ ରନ୍ଧାରୀ କୋରାପୁଟ ଭିଜିଲାନ୍‌ସ ଡିଭିଜନର ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍‌ସ ବିଭାଗର ଅଧିକାରୀମାନେ ଲାଞ୍ଚ ୧୫ ଶହ ଟଙ୍କାକୁ ଜବତ କରି ଘଟଣାର ତଦନ୍ତ କରୁଛନ୍ତି।

ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଅଞ୍ଚଳା ଗ୍ରାମର ଘାସିରାମ ହରିଜନ ନିଜର ଜମି ସୀମାକରଣ କରିବା ପାଇଁ ସହକାରୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ତେବେ ସହକାରୀ ରାଜସ୍ୱ ନୀରିକ୍ଷକ ହରିବନ୍ଧୁ ଜମି ସୀମାକରଣ କରିବା ପାଇଁ ଘାସିରାମଙ୍କୁ ୧୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ରାଜସ୍ୱ ନିରୀକ୍ଷକଙ୍କ ଠାରୁ ଲାଞ୍ଚ ଟଙ୍କା କଥା ଶୁଣିବା ପରେ ଅଭିଯୋଗକାରୀ ଘାସିରାମ ହରିଜନ ରାଜସ୍ୱ ନିରୀକ୍ଷକଙ୍କୁ ପାନେ ଦେବାକୁ ମନସ୍ଥ କରିଥିଲେ। ସେ ରାଜସ୍ୱ ନୀରିକ୍ଷକଙ୍କୁ ଲାଞ୍ଚ ଟଙ୍କା ଦେବା ପୂର୍ବରୁ ଭିଜିଲାନ୍‌ସ ବିଭାଗ ସହିତ ଯୋଗାଯୋଗ କରିଥିଲେ।

ଭିଜିଲାନ୍‌ସ କାର୍ଯ୍ୟାଳୟରେ ଅଭିଯୋଗ ହେବା ପରେ ବିଭାଗ ତରଫରୁ ରାଜସ୍ୱ ନିରୀକ୍ଷକଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆଜି ରାଜସ୍ୱ ନୀରିକ୍ଷକ ହରିବନ୍ଧୁ ଲାଞ୍ଚ ଟଙ୍କା ଗ୍ରହଣ କରିବାର ଅଳ୍ପ ସମୟ ପରେ ଭିଜିଲାନ୍‌ସ ବିଭାଗ ଅତର୍କିତ ଭାବେ ଚଢ଼ାଉ କରିଥିଲା।

ସମ୍ବନ୍ଧିତ ଖବର