ସୁଶାନ୍ତଙ୍କୁ ଆମେରିକାର ଲୁନର ସୋସାଇଟି ଦେଲା ବଡ଼ ଉପହାର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ତାଙ୍କ ପ୍ରଶଂସଙ୍କୁ ସ୍ତବ୍ଧ କରି ଦେଇଥିଲା। ସୁଶାନ୍ତଙ୍କ ମୃତ୍ୟୁକୁ ୨ବର୍ଷ ବିତି ସାରିଥିବା ବେଳେ ଲୋକମାନେ ଆଜି ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁକୁ ବିଶ୍ବାସ କରି ପାରୁ ନାହାନ୍ତି।

କିଛିଦିନ ଅନ୍ତରରେ ସୁଶାନ୍ତଙ୍କ ନାମ ସୋସିଆଲ ମିଡିଆରେ ଟ୍ରେଣ୍ଡ ହୋଇଥାଏ। ଏହି କ୍ରମରେ ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ରହିଛି। ଅଭିନେତାଙ୍କ ଜନ୍ମଦିନ ଅର୍ଥାତ ଜାନୁଆରି ୨୧କୁ ଏଣିକି ‘ସୁଶାନ୍ତ ମୁନ’ ନାମରେ ପାଳନ କରାଯିବ।

ସୁଶାନ୍ତଙ୍କ ମୃତ୍ୟୁ ପରେ ମହାକାଶ ପ୍ରତି ଅଭିନେତାଙ୍କ ଥିବା ଦୁର୍ବଳତାକୁ ଦୃଷ୍ଟିରେ ରଖି ଆମେରିକାର ଲୁନର ସୋସାଇଟି ତାଙ୍କ ଜନ୍ମ ଦିନକୁ ‘ସୁଶାନ୍ତ ମୁନ୍‌ ଡେ’ ରୂପେ ପାଳନ କରିବ ବୋଲି ନିଜ ସୋସିଆଲ ମିଡିଆ ସାଇଟ୍‌ରେ ଘୋଷଣା କରିଛି। ଏପରି ସୁଶାନ୍ତ ମୁନ୍‌ ଡେ ଏକ ଐତିହାସିକ ଓ ବାର୍ଷିକ କାର୍ଯ୍ୟକ୍ରମ ହିସାବରେ ବିବେଚନା କରାଯିବ । ଏହା ଆସନ୍ତା ୨୦୨୩ବର୍ଷ ଜାନୁଆରି ୨୧ରୁ  ପାଳିତ ହେବ ବୋଲି କୁହାଯାଉଛି।

ମହାକାଶ ପ୍ରତି ସୁଶାନ୍ତଙ୍କ ଭଲ ପାଇବାକୁ ଦୃଷ୍ଟିରେ ରଖି ସୁଶାନ୍ତଙ୍କୁ ଏପରି ଗିଫ୍ଟ ଦେଇଛି  ଆମେରିକାର ଲୁନର ସୋସାଇଟି। ଅଭିନୟ ସହ ମହାକାଶ ପ୍ରତି ସୁଶାନ୍ତଙ୍କର ଅହେତୁକ ଦୁର୍ବଳତା ଥିଲା । ମହାକାଶ ଉପରେ ଆଧାରିତ ଏକ ଫିଲ୍ମ ‘ଚନ୍ଦା ମାମା ଦୂର କେ’ରେ ସୁଶାନ୍ତଙ୍କ ନାମ ମଧ୍ୟ ଫାଇନାଲ ହୋଇଥିଲା। ଏହି ସି‌ନେମାରେ ଅଭିନୟ କରିବାକୁ ନେଇ ସେ ଖୁବ୍‌ ଉତ୍ସାହିତ ଥିବା ସହ ନାସା ବି ଯାଇଥିଲେ। କିନ୍ତୁ ବିଧାତାଙ୍କ ତ ଆଉ କିଛି ଇଚ୍ଛା ଥିଲା। ୨୦୨୦ ଜୁନ୍‌ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା।

 

ସମ୍ବନ୍ଧିତ ଖବର