ଜଳାଶୟରେ ଖସିପଡ଼ିଲା ଟ୍ରାକ୍ଟର୍‌-ଟ୍ରଲି; ମହିଳା ଓ ପିଲାଙ୍କ ସମେତ ୧୫ ମୃତ

କାସଗଞ୍ଜ: ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଗଙ୍ଗାସ୍ନାନ ପାଇଁ ଗ୍ରାମବାସୀଙ୍କୁ ନେଇ ଯାଉଥିବା ଗୋଟାଏ ଟ୍ରାକ୍ଟର୍‌-ଟ୍ରଲି ଆଜି ସଡ଼କ ଦୁର୍ଘଟଣା ଯୋଗୁଁ ଗୋଳିଆ ପାଣି ଭରା ଜଳାଶୟରେ ଖସିପଡ଼ିବାରୁ ଅୂନ୍ୟନ ୧୫ଜଣଙ୍କର ମୃତ୍ୟୁ ଘଟିଛି।

ପୂର୍ଣ୍ଣିମା ଅବସରରେ ଗଙ୍ଗାନଦୀରେ ପବିତ୍ର ବୁଡ଼ ପକାଇବା ପାଇଁ ଗ୍ରାମର ଅଧିକାଂଶ ମହିଳା ଓ ପିଲା ସେ ଟ୍ରାକ୍ଟର୍‌-ଟ୍ରଲିରେ ଯାଉଥିଲେ। ସେମାନଙ୍କ ମଧ୍ୟରୁ ୮ଜଣ ମହିଳା ଓ ୭ଜଣ ପିଲାଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ବେଳେ କାସଗଞ୍ଜ ପଟିୟାଲୀ ଦରିୟାଓଗଞ୍ଜ ରାସ୍ତାରେ ଯାଉଥିବା ଉକ୍ତ ଟ୍ରାକ୍ଟର୍‌-ଟ୍ରଲି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଜଳାଶୟରେ ପଡ଼ିଯାଇଥିଲା। ସେ ରାସ୍ତାରେ ଆସୁଥିବା ଗୋଟାଏ କାର୍‌ ସହିତ ଧକ୍କା ନ ଖାଇବା ପାଇଁ ଉଦ୍ୟମ କରୁଥିବା ବ‌େଳେ ଟ୍ରାକ୍ଟର୍‌-ଟ୍ରଲିକୁ ସେ ନିୟନ୍ତ୍ରଣ କରିପାରିଲେ ନାହିଁ।

Image Courtesy of PardaPhas

ସେଥିରେ ଥିବା ଲୋକଙ୍କ ଚିତ୍କାର ଶୁଣି ଆଖପାଖ ଗ୍ରାମବାସୀ ଧାଇଁ ଆସିଥିଲେ। ସ୍ଥାନୀୟ ଜନସାଧାରଣ ଓ ପୁଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଜଳାଶୟରୁ ଉଦ୍ଧାର କରାଯାଇଥିବା ଶବଗୁଡ଼ିକୁ ପଟିୟାଲୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି।

ସେମାନେ ଏଟା ଜିଲ୍ଲା ଅନ୍ତର୍ଗତ କହା ଗ୍ରାମର ବାସିନ୍ଦା ବ‌ୋଲି ଜଣାପଡ଼ିଛି।

ଦୁର୍ଘଟଣା ସଂକ୍ରାନ୍ତରେ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର