୫୦ ଦଳିତ ପରିବାରକୁ ଗାଁରୁ ତଡ଼ି‌ଦେଲେ: ଗାଡ଼ିରେ ବସାଇ ଘଞ୍ଚ ଜଙ୍ଗଲରେ ଛାଡ଼ିଦେଲେ

ଝାଡ଼ଖଣ୍ଡରେ ଅମାନବୀୟ ନିର୍ଯାତନା, ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ

ରାଞ୍ଚି,: ଝାଡ଼ଖଣ୍ଡରୁ ଆଉ ଏକ ଅଭାବନୀୟ ଖବର ମିଳିଛି। ଝାଡ଼ଖଣ୍ଡ ପଲମୁ ଜିଲ୍ଲାର ମୁରୁମତୁ ଗ୍ରାମରେ ରହୁଥିବା ପ୍ରାୟ ୫୦ ଦଳିତ ପରିବାରକୁ ନିର୍ଯାତନା ଦେଇ ବଳ ପୂର୍ବକ ଗାଁରୁ ବାହାର କରାଯାଇଛି। ଦୀର୍ଘ ୪ ଦଶନ୍ଧି ଧରି ଗ୍ରାମରେ ରହୁଥିବା ଦଳିତ ପରିବାରଙ୍କୁ ଗ୍ରାମର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବାହାର କରିଦେଇଛନ୍ତି। ସେମାନଙ୍କୁ ଘରୁ ଘୋଷାରି ଆଣି ଗାଡ଼ିରେ ଉଠାଇନେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ଏହାର ବିରୋଧ କରିବାରୁ କେତେକ ଦଳିତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଜଣେ ଦଳିତ ଯୁବକ ଜିତେନ୍ଦ୍ର ମୁଶାର କହିଛନ୍ତି, ଆମକୁ ଏବଂ ଆମ ଜିନିଷପତ୍ର ଗାଡ଼ିରେ ପକାଇ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ବିରୋଧ କରିବାରୁ ଆମକୁ ସେମାନେ ପ୍ରବଳ ପିଟିଥିଲେ। ପୁଲିସରେ ଖବର ଦେଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ମିଳିଥିଲା। ତେବେ ଖବର ପାଇ ମେଦିନୀ ନଗର ଏସ୍‌ପିଓ ରାଜେଶ କୁମାର ଶାହ ଏବଂ ବିଶ୍ରାମପୁର ଏସଡିପିଓ ସୁରଜିତ କୁମାର ନିକଟସ୍ଥ ଟୋଙ୍ଗ୍ରି ପ‌ାହାଡ଼ି ଅଞ୍ଚଳରେ ପହଞ୍ଚିଥିଲେ। ଏହି ସ୍ଥାନରେ ଦଳିତ ପରିବାରଙ୍କୁ ଛଡ଼ାଯାଇଥିଲା।

ଉକ୍ତ ଘଟଣାରେ ୧୨ ଜଣଙ୍କ ନାମରେ ଅପରାଧିକ ମାମଲା ରୁଜୁ ହୋଇଛି। ୧୫୦ ଜଣ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟପାଳ ରମେଶ ବୈସ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଡିସିପି ଏ ଡୋଡେଙ୍କଙ୍କୁ ରାଜ୍ୟପାଳ ଉକ୍ତ ଘଟଣାର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
ସମସ୍ତ ୫୦ରୁ ଅଧିକ ଦଳିତ ପରିବାର ‘ମୁଶାର୍‌’ ଜାତିର ଏବଂ ଗତ ୪ ଦଶନ୍ଧି ଧରି ସେମାନେ ଏହି ଗ୍ରାମରେ ରହୁଥିଲେ। ଏସଡିପିଓ କହିଛନ୍ତି ଦଳିତ ପରିବାରଙ୍କ ଘର ବି ଭଙ୍ଗାଯାଇଛି। କିନ୍ତୁ ସେମାନଙ୍କୁ ସେହି ସମାନ ସ୍ଥାନରେ ପୁଣିଥରେ ଥଇଥାନ କରାଯିବ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର