ଛଟ୍‌ ପୂଜା ପାଇଁ ପ୍ରସାଦ ପ୍ରସ୍ତୁତି ବେଳେ ଲିକ୍‌ ହେଲା ଗ୍ୟାସ୍‌; ଅଗ୍ନିକାଣ୍ଡରେ ୩୦ରୁ ଊର୍ଧ୍ବ ଆହତ

ଔରଙ୍ଗାବାଦ୍‌: ବିହାର ଔରଙ୍ଗାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ୨ ମହଲା ବିଶିଷ୍ଟ ଘରେ ଗ୍ୟାସ୍‌ ସିଲିଣ୍ଡର୍‌ ବସ୍ଫୋରଣ ଘଟିବାରୁ ୭ ଜଣ ପୁଲିସ୍‌ଙ୍କ ସମେତ ସମୁଦାୟ ୩୦ ଜଣ ଆହତ ହୋଇଛନ୍ତି। ଏହି ଦୁଇ ମହଲା କୋଠାଟି ସହରର ଓଡ଼ିଆ ଗଳିସ୍ଥିତ ଏକ ଅଣଓସାରିଆ ରାସ୍ତାରେ ଥିବା ସୂଚନା ରହିଛି। ଗ୍ୟାସ୍‌ ଟାଙ୍କିଟି ଫାଟିବା ପରେ ଚାରିଆଡ଼େ ନିଆଁ ଖେଳି ଯାଇଥିଲା। ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ସଦର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଇଛି।

ସଂପୃକ୍ତ ଅଞ୍ଚଳରେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିବା ବେଳେ ସେମାନଙ୍କ ମଧ୍ୟରୁ ବି ୭ ଜଣଙ୍କ ଦେହରେ ନିଆଁ ଲାଗିବା ପରେ ସେମାନେ ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ଜାଣିବାକୁ ମିଳିଛି ଯେ ଛଟ୍‌ ପୂଜା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏପରି ଅଘଟଣା ଘଟିଛି। ପୁରୁଣା ଜିଟି ରୋଡ୍‌ରେ ଥିବା ମର୍ଫି ରେଡିଓ ଗଳିରେ ରହୁଥିବା ଜଣେ ମହିଳା ଛଟ୍‌ ପୂଜା ପାଇଁ ପ୍ରସାଦ ବନାଉଥିଲେ। ସେ ଗ୍ୟାସ୍‌ରେ ପ୍ରସାଦ ବନାଇବା ବେଳେ ଅଚାନକ ଗ୍ୟାସ୍‌ ଲିକ୍‌ ହୋଇଥିଲା ଓ ନିଆଁ ଲାଗିବା ଆରମ୍ଭ ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ଏହି ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଏହି ନିଆଁରେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ପୁଲିସ୍‌ ସମେତ ୩୦ରୁ ଅଧିକ ସ୍ଥାନୀୟ ଲୋକ ଆହତ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର