ହାରିବା ପରେ ଭୋଟିଙ୍ଗ୍‌ ମେସିନ୍‌ ଜବତ କରିବାକୁ ଆମେରିକୀୟ ପ୍ରତିରକ୍ଷା ଅଧିକାରୀଙ୍କୁ ଆଦେଶ ଦେଇଥିଲେ ଟ୍ରମ୍ପ୍‌: ରିପୋର୍ଟ

ୱାସିଂଟନ୍‌: ୨୦୨୦ ନିର୍ବାଚନରେ ପରାସ୍ତ ହେବା ପରେ ଭୋଟିଙ୍ଗ୍‌ ମେସିନ୍‌ଗୁଡ଼ିକୁ ଜବତ କରିବା ଲାଗି ଦେଶର ଶୀର୍ଷସ୍ତରୀୟ ପ୍ରତିରକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା ବୋଲି ଶୁକ୍ରବାର ଦିନ ଏକ ରିପୋର୍ଟ ପ୍ରକାଶ ପାଇଛି। ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ହ୍ବାଇଟ୍‌ ହାଉସ୍‌ ଏଥିପାଇଁ ‘ଡ୍ରାଫ୍ଟ୍‌ ଏକ୍ଜିକ୍ୟୁଟିଭ୍‌ ଅର୍ଡର୍‌’ ପ୍ରସ୍ତୁତ କରିଥିଲା।

‘ପଲିଟିକୋ’ ସଂଗ୍ରହ କରିଥିବା ଉପରୋକ୍ତ ‘ଡ୍ରାଫ୍ଟ୍‌ ଏକ୍ଜିକ୍ୟୁଟିଭ୍‌ ଅର୍ଡର୍‌’କୁ ‘ନ୍ୟାସ୍‌ନାଲ୍‌ ଆର୍କାଇଭ୍‌’ ରିଲିଜ୍‌ କରିଛି। ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଜନସାଧାରଣ ଜୋ ବାଇଡେନ୍‌ଙ୍କୁ ଚୟନ କରିଥିଲେ ମଧ୍ୟ କ୍ଷମତା ନ ଛାଡ଼ିବା ଲାଗି ଟ୍ରମ୍ପ୍‌ ଜନବିରୋଧୀ ଚରମ ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲେ ବୋଲି ଏଥିରୁ ଜଣାପଡ଼ିଛି।

ଭୋଟିଙ୍ଗ୍‌ ମେସିନ୍‌ ଜବତ ଅଭିଯୋଗ ଆସିଲେ ତାହା ମିଥ୍ୟା ବୋଲି ଖଣ୍ଡନ କରିବା ଲାଗି ଏକ ସ୍ବତନ୍ତ୍ର କାଉନ୍‌ସେଲ୍‌ ନିଯୁକ୍ତ କରିବା ଲାଗି ୨୦୨୦ ଡିସେମ୍ବର ୧୬ ତାରିଖର ଉକ୍ତ ଆଦେଶନାମାରେ ଉଲ୍ଲେଖ କରାଯାଇଛି। କିନ୍ତୁ, ଉକ୍ତ ଆଦେଶନାମାରେ କାହାରି ସ୍ବାକ୍ଷର ବା ଦସ୍ତଖତ ନାହିଁ।

Image Courtesy of NBC News

ସୂଚନାଯୋଗ୍ୟ, ଜବତ ହୋଇଥିବା ୭୫୦ରୁ ଅଧିକ ରେକର୍ଡ ମଧ୍ୟରୁ ଉପରୋକ୍ତ ଡ୍ରାଫ୍ଟ୍‌ ହେଉଛି ଗୋଟିଏ। ଉକ୍ତ ରେକର୍ଡଗୁଡ଼ିକୁ ରିଲିଜ୍‌ ନ କରିବା ପାଇଁ ଟ୍ରମ୍ପ୍‌ କରିଥିବା ଆବେଦନକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଥିଲେ। ତେଣୁ, ସେଗୁଡ଼ିକୁ ୨୦୨୧ କ୍ୟାପିଟଲ୍‌ ଆକ୍ରମଣ ଘଟଣାର ତଦନ୍ତ କରୁଥିବା ‘ହାଉସ୍‌ ଅଫ୍‌ ରିପପ୍ରଜେନ୍‌ଟେଟିଭ୍‌ସ୍‌ ସିଲେକ୍ଟ୍‌ କମିଟି’କୁ ହସ୍ତାନ୍ତର କରାଯାଇଛି।

୩ ପୃଷ୍ଠା ସମ୍ବଳିତ ଉକ୍ତ ଡ୍ରାଫ୍ଟରେ ଲେଖା ଅଛି, ତୁରନ୍ତ ଲାଗୁ କରଣୀୟ, ପ୍ରତିରକ୍ଷା ସଚିବ, ଗଚ୍ଛିତ ରଖିବା ପାଇଁ ଆବଶ୍ୟକ ସମସ୍ତ ମେସିନ୍, ଉପକରଣ, ବୈଦ୍ୟୁତିକ ଭାବେ ସଂରକ୍ଷିତ ସୂଚନା, କାଗଜ ରେକର୍ଡ ସବୁକୁ ଜବତ କରିବା ସହ ଏକତ୍ର କରି ବିଶ୍ଳେଷଣ କରିବେ।

ସମ୍ବନ୍ଧିତ ଖବର