ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି: ଇଡି ଚାର୍ଜସିଟ୍‌ରେ କୋଡ୍‌ୱାର୍ଡ ‘ଏପି’, ‘ଏଫ୍‌ଏଏମ୍’

ଚାର୍ଜସିଟ୍‌ ଦାଖଲ ପୂର୍ବରୁ ମିଡ଼ିଆ ପାଇଛି କପି: ମିସେଲ

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲାଣ୍ଡ ଭିିଭିଆଇପି ହେଲିକପ୍ଟର କ୍ରୟ ଦୁର୍ନୀତି ମାମଲାରେ ଆଉ ଏକ ସମ୍ବେଦନଶୀଳ ତଥ୍ୟ ପଦାକୁ ଆସିଛି। ଏହି ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ଗୁରୁବାର ଦାଖଲ କରିଥିବା ୫୨ପୃଷ୍ଠାର ଅତିରିକ୍ତ ଚାର୍ଜସିଟ୍‌ରେ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ଏବଂ ମିସେସ ଗାନ୍ଧୀଙ୍କ ନାଁ ଥିବା ପ୍ରକାଶ I ତେବେ ଏହି ଚାର୍ଜସିଟ୍‌ କୋର୍ଟରେ ଦାଖଲ ହେବା ପୂର୍ବରୁ ମିଡ଼ିଆକୁ ଲିକ କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଟେନ୍ ମିସେଲ୍‌ I ମୁଖ୍ୟ ଅଭିଯୁକ୍ତ ବୋଲାଉଥିବା ମିସେଲ୍‌ ଅଭିଯୋଗ କରିଛନ୍ତି ଯେ ଏହି ଚାର୍ଜସିଟ୍‌ କୋର୍ଟରେ ଦାଖଲ ହେବ ଆଗରୁ ଗଣମାଧ୍ୟମ ହାତରେ ଲାଗିଛି I ଏହି ଅଭିଯୋଗକୁ ଭିତ୍ତି କରି ପାଟିଆଲା କୋର୍ଟ ପ୍ରବର୍ତନ ନିର୍ଦେଶାଳୟକୁ ନୋଟିସ ଜାରି କରିଛି I ଚାର୍ଜସିଟ୍‌ ଗଣମାଧ୍ୟମ ହାତରେ କେମିତି ଲାଗିଲା ସେ ନେଇ ଆସନ୍ତା କାଲି ଜବାବ ଦେବାକୁ ତଦନ୍ତକରି ସଂସ୍ଥାକୁ ନିର୍ଦେଶ ଦେଇଛି ପାଟିଆଲା କୋର୍ଟ I ମୁଖ୍ୟ ଅଭିଯୁକ୍ତ ମିସେଲ୍‌ର ଡାଇରୀରୁ ବହୁ ତଥ୍ୟ ହାସଲ କରାଯାଇଥିବା ପ୍ରକାଶ I ହାୱଲା ମାର୍ଗରେ କେମିତି କାହାକୁ ଲାଞ୍ଚ ଦିଆଯାଇଛି ଏବଂ ଏହି ଚୁକ୍ତି ପାଇଁ କେଉଁଠି ବୈଠକ ହୋଇଛି ଏହାର ସବିଶେଷ ତଥ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଥିବା ଜଣାପଡିଛି I ମିସେଲ୍‌ର ଡାଇରୀରେ ଯେଉଁ ‘ଏପି’ ଏବଂ ‘ଏଫଏଏମ’ ଲେଖାଯାଇଛି ତାହାକୁ ଅହମ୍ମଦ ପଟେଲ ଏବଂ ଫ୍ୟାମିଲି ବୋଲି ଦର୍ଶାଇଛି ପ୍ରବର୍ତନ ନିର୍ଦେଶାଳୟ I

ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅମଳରେ ଭିଭିଆଇପିଙ୍କ ପାଇଁ ୧୨ଟି ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣିବା ପାଇଁ ଇଟାଲୀର ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ କମ୍ପାନୀ ଫିନ୍‌ମେକାନିକା ସହ ଚୁକ୍ତି ହୋଇଥିଲା I ୩,୬୦୦ କୋଟିର ଏହି ଚୁକ୍ତିରେ କ୍ରିଷ୍ଟେନ୍ ମିସେଲ ମଧ୍ୟସ୍ଥି କରି ଉକ୍ତ କମ୍ପାନୀ ଠାରୁ ୨୨୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ଆସିଥିଲା I ପରେ ଏହି ଚୁକ୍ତିକୁ ରଦ୍ଦ କରାଯାଇଥିଲା ଏବଂ ଏହି ଦୁନୀତିର ତଦନ୍ତ ଦାୟିତ୍ୱ ପ୍ରବର୍ତନ ନିର୍ଦେଶାଳୟ ଏବଂ ସିବିଆଇକୁ ଦିଆଯାଇଥିଲା I ମୁଖ୍ୟ ଅଭିଯୁକ୍ତ ମିସେଲ୍‌ ବ୍ୟତୀତ ଅନ୍ୟ କିଛି ସଂସ୍ଥା ଏବଂ କିଛି ଭାରତୀୟ ନେତାଙ୍କ ସମେତ ସରକାରୀ ଅଧିକାରୀ, ବାୟୁସେନାର ଅଧିକାରୀଙ୍କୁ ଏହି ହେଲିକପ୍ଟର କିଣା ଚୁକ୍ତି ପୂର୍ବରୁ ଲାଞ୍ଚ ଦିଆଯାଇଥିବା ଅଭିଯୋଗ ତଦନ୍ତ କରିଥିଲା ପ୍ରବର୍ତନ ନିର୍ଦେଶାଳୟ ଏବଂ ସିବିଆଇ I

ସମ୍ବନ୍ଧିତ ଖବର