ସଂଜୟ ରାଉତଙ୍କୁ ଭେଟିବାକୁ ଉଦ୍ଧବ ଠାକରେଙ୍କୁ ଅନୁମତି ମିଳିଲାନି

ମୁମ୍ବାଇ : ମୁମ୍ବାଇର ଅର୍ଥର ରୋଡ ଜେଲରେ ବନ୍ଦୀଥିବା ଶିବସେନା ନେତା ସଂଜୟ ରାଉତଙ୍କୁ ଭେଟିବାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଇଚ୍ଛୁକ ଥିଲେ ବି ସେଥିପାଇଁ ତାଙ୍କୁ ଜେଲ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନାହିଁ ।

ଏ ସଂପର୍କରେ ଜେଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ସଂଜୟ ରାଉତଙ୍କୁ ଭେଟିବାକୁ ହେଲେ ଉଦ୍ଧବଙ୍କୁ କୋର୍ଟଙ୍କ ଅନୁମତି ଆଣିବାକୁ ହେବ । ସେ ମଧ୍ୟ ଜେଲରଙ୍କ ରୁମରେ ସଂଜୟଙ୍କୁ ଭେଟିପାରିବେ ନାହିଁ । ଯଦି କୋର୍ଟ ଅନୁମତି ଦିଅନ୍ତି, ତେବେ ଅନ୍ୟ ସାଧାରଣ କଏଦୀମାନଙ୍କ ଭେଟିବା ସ୍ଥାନରେ ସଂଜୟଙ୍କୁ ଭେଟିବାକୁ ଦିଆଯିବ ।

ଏହା ପୂର୍ବରୁ ଉଦ୍ଧବଙ୍କ ଜଣେ କର୍ମଚାରୀ ଜେଲକୁ ଫୋନ କରି ସଂଜୟ ରାଉତଙ୍କୁ ମାତ୍ର ୧୫ ମିନିଟ ପାଇଁ ଭେଟିବାକୁ ଅନୁମତି ମାଗିଥିଲେ । କିନ୍ତୁ ଏଥିପାଇଁ ଜେଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ ।

ଏସଂପର୍କରେ ଜେଲ ଅଧୀକ୍ଷକ କହିଥିଲେ ଯେ, ଉଦ୍ଧବ ଯଦି ଭେଟିବାକୁ ଚାହାନ୍ତି ତେବେ ସେ ଅନ୍ୟ ସାଧାରଣ ଲୋକଙ୍କ ପରି ଭେଟିପାରିବେ । କିନ୍ତୁ ଏଥିପାଇଁ ବି କୋର୍ଟଙ୍କ ଅନୁମତି ଦରକାର ।

ସୂଚନାଯୋଗ୍ୟ ଯେ, ପାତ୍ରା ଚଉଲ୍ ଜମି ଦୁର୍ନୀତି ଓ ବେଆଇନ ଅର୍ଥକାରବାର ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ଶିବସେନା ନେତା ସଂଜୟ ରାଉତ ଗତ ଜୁଲାଇ ମାସରୁ ଜେଲରେ ଅଛନ୍ତି । ଗତ ସେପ୍ଟେମ୍ବର ୫ରେ ସ୍ବତନ୍ତ୍ର ଇଡି କୋର୍ଟ ସଂଜୟଙ୍କ ହାଜତ ମିଆଦ ୧୯ ତାରିଖ ପର୍ଯ୍ୟନ୍ତ ବଢାଇଦେଇଥିଲେ ।

 

ସମ୍ବନ୍ଧିତ ଖବର