ମଣିପୁର ଭୋଟରଙ୍କ ମନ ଜିଣିପାରେ ବିଜେପି!

ଇମ୍ଫାଲ: ମଣିପୁରରେ ଏଥର କମାଲ କରିପାରେ ବିଜେପି | କଂଗ୍ରେସ ସମେତ ଅନ୍ୟ ଆଞ୍ଚଳିକ ଦଳଙ୍କୁ ପଛରେ ପକାଇ ସରକାର ଗଠନ କରିପାରେ ବିଜେପି | କାରଣ ଆଜି ପ୍ରକାଶ ପାଇଥିବା ଏକଜିଟ ପୋଲ କିଛି ଏଭଳି କହୁଛି | ଇଣ୍ଡିଆଟୁଡ଼େ-ଆକ୍ସିସ ଇଣ୍ଡିଆର ଆକଳନ ଅନୁଯାୟୀ, ମଣିପୁରରେ କଂଗ୍ରେସ ୦୪ ରୁ ୦୮ ଆସନ, ବିଜେପି ୩୩ ରୁ ୪୩ଟି ଆସନ ପାଇପାରେ | ସେହିପରି ଏନପିପି ୪ରୁ ୮ ଓ ୬ ରୁ ୧୫ ଆସନ ଅନ୍ୟମାନେ ପାଇପାରନ୍ତି | ରିପବ୍ଲିକ୍ ଏକଜିଟ ପୋଲ୍ ଅନୁଯାୟୀ, ମଣିପୁରରେ ଏମପିଏସଏ ବା କଂଗ୍ରେସ ନେତୃତ୍ୱ ଗଠବନ୍ଧନକୁ ୧୧ ରୁ ୧୭ଟି ସିଟ, ବିଜେପିକୁ ୨୭ ରୁ ୩୧ଟି ଆସନ ମିଳିପାରେ | ସେହିପରି ଏନପିପିକୁ ୬ ରୁ ୧୦ଟି ଆସନ ଓ ଅନ୍ୟମାନଙ୍କୁ ୩ ରୁ ୭ଟି ଆସନ ମିଳିପାରେ |

ଏବିପି-ସିଭୋଟର ଆକଳନରେ ମଧ୍ୟ ବିଜେପି ୨୩ରୁ ୨୭ଟି ଆସନ, କଂଗ୍ରେସ ୧୨ରୁ ୧୬ ଆସନ, ଏନପିପି ୧୦ରୁ ୧୪ ଆସନ ଓ ଏନପିଏଫ ୩ରୁ ୭ଟି ଆସନ ପାଇବାର ଆକଳନ କରାଯାଇଛି | ସୂଚନା ମୁତାବକ ଏଥର ବିଜେପି ନିର୍ବାଚନରେ ​​ଏକୁଟିଆ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲା ଏବଂ ସମସ୍ତ ୬୦ଟି ଆସନରେ ବିଜେପିର ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିଥିଲେ | ଅନ୍ୟପକ୍ଷରେ କଂଗ୍ରେସ ୬ଟି ରାଜନୈତିକ ଦଳର ଏକ ମିଳିତ ମଞ୍ଚ ଗଠନ କରି ଏହାକୁ ମଣିପୁର ପ୍ରଗତିଶୀଳ ଧର୍ମନିରପେକ୍ଷ ଗଠବନ୍ଧନ (MPSA) ଭାବରେ ନାମିତ କରି ନିର୍ବାଚନ ଲଢ଼ିଥିଲା ।

ଏମପିଏସଏରେ କଂଗ୍ରେସ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ), ଫରୱାର୍ଡ ବ୍ଲକ୍, ଆରଏସପି ଏବଂ ଜନତା ଦଳ (ସେକୁଲାର) ଅନ୍ତର୍ଭୁକ୍ତ ଥିଲେ । ସୂଚନା ଥାଉ କି ୨୦୧୭ ମଣିପୁର ବିଧାନସଭା ନିର୍ବାଚନରେ ସମୁଦାୟ ୬୦ଟି ଆସନରୁ କଂଗ୍ରେସ ୨୮, ବିଜେପି ୨୧, ଏନପିଏଫ ୪, ଏନପିପି ୪, ଏଲଜେପି ଓ ତୃଣମୂଳ କଂଗ୍ରେସ ୧ଟି ଲେଖାଏଁ ଆସନ ଜିତିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତିଥିଲେ | ତେବେ ରୋଚକ ଢଙ୍ଗରେ ବିଜେପି ସରକାର ଗଠନ କରିଥିଲା |

ସମ୍ବନ୍ଧିତ ଖବର