କରୋନା ରଚାଉଛି ମୃତ୍ୟୁ ବିଭୀଷିକା, ମୃତଦେହ ପୋତିବାକୁ ଖୋଳାଯାଉଛି ଶହ ଶହ କବର

ତେହେରାନ: ମୃତ୍ୟୁର ବିଭୀଷିକା ରଚାଉଛି କରୋନା | ସମଗ୍ର ବିଶ୍ୱରେ କରୋନା ମହାମାରୀ ରୂପ ଧାରଣ କରିଥିବାବେଳେ ଇରାନରେ ୧୦ ହଜାରରୁ ଅଧିକ ଲୋକ ଏହି ଭୁତାଣୁ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି | କରୋନା ମୁକାବିଲା ପାଇଁ ଇରାନ୍‌ ଯୁଦ୍ଧକାଳୀନ ଭିତ୍ତିରେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ସଂକ୍ରମଣକୁ ରୋକିବାରେ ସଫଳ ହେଉନାହିଁ। ଏମାନଙ୍କ ମଧ୍ୟରୁ ୪୨୯ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ଇରାନର କୋମ ସହରରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି |

Photo-The Guardian

ଆଉ ଏମାନଙ୍କ ମୃତଦେହକୁ ପୋତିବା ପାଇଁ ଏବେ ଶହ ଶହ କବର ଖୋଳାଯାଇଛି | ବିଶ୍ୱର ପ୍ରମୁଖ ଗଣମାଧ୍ୟମମାନଙ୍କ ରିପୋର୍ଟରୁ ଜଣାପଡିଛି ଯେ କୋମ ସହରର ଶୂନଶାନ ସ୍ଥାନରେ ୩୦୦ ଫୁଟ ଲମ୍ବର କବର ଖୋଳାଯାଇଥିବାବେଳେ ଏ ବାବଦରେ କିନ୍ତୁ ଇରାନ ପକ୍ଷରୁ କିଛି ସୂଚନା ଦେଇଛି | ତେବେ ସାଟେଲାଇଟ ଇମେଜରୁ ଜଣାପଡିଛି ଯେ ଇରାନର ରାଜଧାନୀ ତେହେରାନଠାରୁ ୧୦ କିଲୋମିଟର ଦୂରରେ ଥିବା କୋମ ସହରରେ ଫେବୃୟାରୀ ୨୪ ତାରିଖରୁ କବର ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଛି |

ଏଠାରେ ସୂଚନା ଥାଉ କି ଇରାନ୍‌ କରୋନା ଭାଇରସ୍‌ ମୁକାବିଲା କରିବା ପାଇଁ ଏବେ ଆର୍ଥିକ ସାହାଯ୍ୟ ଚାହିଁଛି । ଇରାନ୍‌ର କେନ୍ଦ୍ରୀୟ ବ୍ୟାଙ୍କ୍‌ ମୁଖ୍ୟ ଆଡୋଲନାସେର ହେମ୍ମତି କହିଛନ୍ତି, ଦେଶ ଭାଇରସ୍‌ ମୁକାବିଲା ପାଇଁ ଆଇଏମ୍‌ଏଫ୍‌ (ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି)ରୁ ୫୦୦ କୋଟି ଡଲାର ଜରୁରୀ ଋଣ ପାଇଁ ଅନୁରୋଧ କରିଛି। ଆମେରିକା କଟକଣାରେ ଇରାନ୍‌ର ଅର୍ଥନୀତି ବାଧାପ୍ରାପ୍ତ ହୋଇଛି। ଇରାନ୍‌ ଭାଇରସ୍‌ ମୁକାବିଲା ପାଇଁ ଆଇଏମଏଫ୍‌ରୁ ସାହାଯ୍ୟ ନପାଇଲେ ପରିସ୍ଥିତି ଆହୁରି ଜଟିଳ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର