ସିଆଚେନକୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ଲାଗି ଭାରତର ନିଷ୍ପତ୍ତିକୁ ପାକିସ୍ତାନର ବିରୋଧ

ଇସ୍ଲାମାବାଦ : ସିଆଚେନକୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ଲାଗି ଭାରତ ସରକାରଙ୍କ ନିଷ୍ପତ୍ତିକୁ ପାକିସ୍ତାନ ବିରୋଧ କରିଛି । ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ମହମ୍ମଦ ଫୈଜଲ କହିଛନ୍ତି ଯେ ସିଆଚେନ ଏକ ବିବାଦୀୟ କ୍ଷେତ୍ର ହୋଇଥିବାରୁ ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଠିକ ନୁହେଁ । ଏହି ନିଷ୍ପତ୍ତି ସଂପର୍କରେ ଭାରତ ସରକାର ପାକିସ୍ତାନକୁ ଅବଗତ କରିନାହାନ୍ତି ।
ଗତ ଅକ୍ଟୋବର ୨୧ ତାରିଖରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସିଆଚେନକୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି କହିଥିଲେ । ଏହାଫଳରେ ସାଧାରଣ ଲୋକେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟର ଭ୍ରମଣ କରିପାରିବେ । ସେଠାକାର ଦୁର୍ଗମ ଓ କଠିନ ପରିବେଶରେ ରହି ଦେଶର ସୁରକ୍ଷା ଦେଉଥିବା ଆମର ବୀର ସୈନିକମାନଙ୍କୁ ପାଖରୁ ଦେଖିପାରିବେ ।
ସିଆଚେନକୁ ବିଶ୍ୱର ସବୁଠାରୁ ବିପଦଜନକ ଯୁଦ୍ଧକ୍ଷେତ୍ର ବୋଲି କୁହାଯାଏ । କାରଣ ଏଠାରେ ଶତ୍ରୁଠାରୁ ଯେତିକି ବିପଦର ଆଶଙ୍କା ନଥାଏ ତାଠାରୁ ଅଧିକ ବିପଦ ଥାଏ ପ୍ରାକୃତିକ ବିପର୍ଯ୍ୟୟଠାରୁ । ୨୦୧୬ ଫେବ୍ରୁଆରୀ ୩ରେ ଏକ ଭୟଙ୍କର ବରଫଝଡ଼ର ସମ୍ମୁଖୀନ ହୋଇ ୧୦ ଜଣ ଭାରତୀୟ ସେନା ଯବାନ ସହିଦ ହୋଇଥିଲେ ।

ସମ୍ବନ୍ଧିତ ଖବର