ଭାରତରେ କରୋନାଭାଇରସ୍ ସଂକ୍ରମଣ: ୯୭୯ ଆକ୍ରାନ୍ତ, ୨୫ ମୃତ

ନୂଆଦିଲ୍ଲୀ: ଉକ୍ରଟ ସଂକ୍ରାମକ ରୋଗ କୋଭିଡ୍-୧୯ ଯୋଗୁଁ ରବିବାର ସୁଦ୍ଧା ଭାରତରେ ୯୭୯ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତ ଓ ୨୫ଜଣଙ୍କର ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟରୁ ଜଣାପଡ଼ିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ରବିବାର ସକାଳ ୧୦ଟା ସୁଦ୍ଧା ୯୭୯ଟି କେସରୁ ୮୬୭ଜଣ କୋଭିଡ-୧୯ରେ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୮୬ଜଣ ସୁସ୍ଥ ହୋଇଯାଇଛନ୍ତି ବା ଡାକ୍ତରଖାନାରୁ ବିଦା ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଗମନ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁସାରେ ଶନିବାର ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୯୧୮ ।

ରବିବାର ପୂର୍ବାହ୍ନରେ ଗୁଜରାଟ ଏବଂ ଜମ୍ମୁ ଓ କଶ୍ମୀରରେ ଜଣେ ଲେଖାଏଁ କୋଭିଡ୍-୧୯ ଆକ୍ରାନ୍ତ ପ୍ରାଣ ହରାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ତାହା ନିଶ୍ଚିତ କରି ନାହାନ୍ତି ।

Image Source: India Today

ପ୍ରାପ୍ତ ସୂଚନା ଅନୁସାରେ, ରବିବାର ସକାଳେ ଶ୍ରୀନଗରସ୍ଥିତ ଚେଷ୍ଟ୍ ଡିଜିଜ୍ ହସପିଟାଲରେ ଜଣେ ୬୭ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଟୁଇଟ୍ କରି ଜମ୍ମୁ ଓ କଶ୍ମୀର ସରକାରଙ୍କ ପ୍ରମୁଖ ସଚିବ ରୋହିତ କାଂସଲ ଲେଖିଛନ୍ତି: ଆଜି ଦିନକ ଦୁଃଖରେ ଆରମ୍ଭ କରୁଛୁ । ଆଜି ସକାଳେ ଶ୍ରୀନଗରରେ ଜଣେ କରୋନାଭାଇରସ୍ ରୋଗୀଙ୍କ ଦୁଃଖ ବିୟୋଗ ଘଟିଛି ।
ମୃତବ୍ୟକ୍ତିଜଣକ କୌଣସି ଭ୍ରମଣରେ ଯାଇ ନ ଥିଲେ କିନ୍ତୁ, ସାଉଦୀ ଆରବରୁ ଫେରିଥିବା ଦମ୍ପତିଙ୍କ ସହ ମିଳାମିଶା କରିଥିଲେ । ସେ ଦମ୍ପତିଙ୍କୁ ଏବେ ବାରମୂଳାସ୍ଥିତ ସରକାରୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି ।

ଆଜି ଗୁଜରାଟ ରାଜ୍ୟର ଅହମଦାବାଦରେ ମଧ୍ୟ ଜଣେ କରୋନାଭାଇରସ୍ ଆକ୍ରାନ୍ତ ୪୫ ବର୍ଷିୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି ବୋଲି ସେଠାକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ସମ୍ବନ୍ଧିତ ଖବର