ବ୍ରିଟେନ୍ ବାସଭବନରେ ବାହା ହେଲେ ନୋବେଲ୍‌ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସୁଫ୍‌ଜଇ

ଲଣ୍ଡନ୍: ଏବେ ସେ ଜଣେ ବିବାହିତା ମହିଳା ବୋଲି ନୋବେଲ୍‌ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସୁଫ୍‌ଜଇ ମଙ୍ଗଳବାର ଦିନ ସୁନିଶ୍ଚିତ କରିଛନ୍ତି।

ଟୁଇଟ୍‌ କରି ବିବାହ ଉତ୍ସବର ଫଟୋ ସେୟାର୍‌ କରିବା ସହ ମଲାଲା ଲେଖିଛନ୍ତି, ଆଜି ଦିନଟି ମୋ ଜୀବନ ପାଇଁ ଅମୂଲ୍ୟ। ଜୀବନ ସାଥୀ ହେବା ପାଇଁ ଆସେର୍‌ଏବଂ ମୁଁ ବିବାହ ବନ୍ଧନରେ ଆବଦ୍ଧ ହେଲୁ। ବର୍ମିଙ୍ଗ୍‌ହାମ୍‌ସ୍ଥିତ ବାସଭବନରେ ପରିବାରବର୍ଗଙ୍କ ଗହଣରେ ଆମେ ଛୋଟଧରଣର ବିବାହ ଉତ୍ସବ ପାଳିଲୁ। ଦୟାପୂର୍ବକ ଆମ ପାଖକୁ ଆପଣଙ୍କର ସଦିଚ୍ଛା ପ୍ରେରଣ କରନ୍ତୁ। ଭବିଷ୍ୟତ ଯାତ୍ରାରେ ଏକତ୍ର ଚାଲିବା ପାଇଁ ଆମେ ଉତ୍‌ଫୁଲ୍ଲିତ।

Image Courtesy of Zee News

ସୂଚନାଯୋଗ୍ୟ, ୨୪ ବର୍ଷୀୟ ମଲାଲା ୟୁସୁଫ୍‌ଜଇ ହେଉଛନ୍ତି ଜଣେ ନାରୀ ଶିକ୍ଷାକୁ ସମର୍ଥନ କରୁଥିବା ଜଣେ ପାକିସ୍ତାନୀ ସାମାଜିକକର୍ମୀ ଏବଂ ଇତିହାସରେ ସର୍ବକନିଷ୍ଠ ନୋବେଲ୍‌ ପୁରସ୍କାର ବିଜୟିନୀ। ଶିକ୍ଷା ପାଇଁ ବାଳିକାମାନଙ୍କର ମୌଳିକ ଅଧିକାର ସପକ୍ଷରେ ପ୍ରଚାର କରୁଥିବା ବେଳେ ୨୦୧୨ରେ ଉତ୍ତର ପାକିସ୍ତାନରେ ତାଲିବ୍‌ମାନେ ତାଙ୍କ ମୁଣ୍ଡରେ ଗୁଳି ମାରିଥିଲେ। ସେହି ସମୟରେ ସେ ସମଗ୍ର ବିଶ୍ବରେ ସୁପରିଚିତା ହୋଇଯାଇଥିଲେ। ଶିକ୍ଷାରେ ଲିଙ୍ଗଗତ ସମାନତାର ଆବଶ୍ୟକତା ଉପରେ ଜାତିସଂଘ ମୁଖ୍ୟାଳୟରେ ଭାଷଣ ଦେବା ବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା।

ମଲାଲାଙ୍କ ଉପରେ ଆକ୍ରମଣ ଯୋଗୁଁ ହିଁ ପାକିସ୍ତାନ ପ୍ରଥମ ଶିକ୍ଷା ଅଧିକାର ବିଲ୍‌ ପ୍ରସ୍ତୁତ କରିଥିଲା। ତାଙ୍କ ଉପରେ କରାଯାଇଥିବା ଆକ୍ରମଣ ଏବଂ ତା’ପରର ପ୍ରସଙ୍ଗକୁ ଆଧାର କରି ସେ ‘ଆଇ ଆମ୍‌ ମଲାଲା’ (ମୁଁ ମଲାଲା) ଶୀର୍ଷକ ପୁସ୍ତକଟିଏ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର