ବିଶ୍ୱରେ ପ୍ରଥମ: ଦୁଇଥର ମୁଖ ପ୍ରତିରୋପଣ ପରେ ‘ମ୍ୟାନ୍‌ ଉଇଥ୍‌ ଥ୍ରି ଫେସେସ୍‌’ ଭାବେ ପରିଚିତ ହେଲେ ଜରୋମି

ପ୍ୟାରିସ୍‌: ଅସ୍ତ୍ରୋପଚାର କ୍ଷେତ୍ରରେ ପ୍ରଥମ। ଜଣେ ବ୍ୟକ୍ତି ଦୁଇ ଥର ମୁଖ ପ୍ରତିରୋପଣ କରି ଚର୍ଚ୍ଚା ପାଲଟିଛନ୍ତି। ଜରୋମି ହାମୋନ ନାମକ ଏହି ବ୍ୟକ୍ତି ୨୦୧୦ ମସିହାରେ ପ୍ରଥମେ ମୁଖ ପ୍ରତିରୋପଣ କରିଥିଲେ। ତାଙ୍କ ବୟସ ସେତେବେଳେ ୩୦ରୁ ୪୦ ମଧ୍ୟରେ ଥାଏ। ପ୍ୟାରିସ୍‌ର ଜାର୍ଜସ ପୋମପିଡେଉ ହସ୍ପିଟାଲ୍‌ର ପ୍ଲାଷ୍ଟିକ୍‌ ସର୍ଜନ ଲଉରେଣ୍ଟ୍‌ ଲାଣ୍ଟିଏରି ଏହି ପ୍ରତିରୋପଣ କରିଥିଲେ। ଏବେ ତାଙ୍କର ଦ୍ୱିତୀୟ ଥର ଲାଗି ମୁଖ ପ୍ରତିରୋପଣ କରାଯାଇଛି। ପ୍ରଥମ ଥର ପ୍ରତିରୋପଣର କିଛି ପାର୍ଶ୍ୱପ୍ରଭାବ ଅନୁଭୂତ ହେବାରୁ ତାଙ୍କୁ ଦ୍ୱିତୀୟ ଥର ପ୍ରତିରୋପଣ କରିବାକୁ ପଡ଼ିଲା।

ତାଙ୍କର ପ୍ରକୃତ ମୁହଁ, ପ୍ରଥମ ପ୍ରତିରୋପଣ ପରେ ଆଉ ଏକ ଧରଣ ମୁହଁ ଏବଂ ଦ୍ୱିତୀୟ ପ୍ରତିରୋପଣ ପରେ ଆଉ ଏକ ପ୍ରକାର ଭିନ୍ନ ମୁହଁ ହୋଇଥିବାରୁ ସେ ଲୋକଙ୍କ ଆଗରେ ଏବେ ‘ମ୍ୟାନ୍‌ ଉଇଥ୍‌ ଥ୍ରି ଫେସେସ୍‌’ ନାମରେ ପରିଚିତ। ପୂରା ମୁହଁ ପ୍ରତିରୋପଣ ତଥା ଦୁଇ ଥର ପ୍ରତିରୋପଣ କରିବାରେ ସେ ହେଉଛନ୍ତି ବିଶ୍ୱରେ ପ୍ରଥମ।

ଡାକ୍ତରମାନଙ୍କ କହିବା ମୁତାବକ ତାଙ୍କର ପ୍ରଥମ ଥର ଅସ୍ତ୍ରୋପଚାର ସଫଳ ହୋଇଥିଲା। ମାତ୍ର ତାଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ଦିଆଯାଇଥିବା ଆଣ୍ଟିବାୟୋଟିକ୍‌ର ପ୍ରଭାବରୁ ତାଙ୍କ ଶରୀରରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଫଳରେ ତାଙ୍କୁ ଦ୍ୱିତୀୟ ଥର ପ୍ରତିରୋପଣ କରାଇବା ଆବଶ୍ୟକ ପଡ଼ିଥିଲା।

ସମ୍ବନ୍ଧିତ ଖବର