ବାର ଡ୍ୟାନ୍ସରଙ୍କୁ ଘଣ୍ଟାଏ ନଚାଇଲେ ପୁଲିସ ବାବୁ, ସସପେଣ୍ଡ ହେଲେ ସବଇନ୍ସପେକ୍ଟର

ଆଗ୍ରା: ବାର ଡ୍ୟାନ୍ସରଙ୍କୁ ଘଣ୍ଟାଏ କାଳ ଜଣେ ପୁଲିସ ବାବୁ ନଚାଇଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି | ଏହି ପୁଲିସ ବାବୁ ଜଣଙ୍କ ନିଜ କ୍ଷମତାର ଅପବ୍ୟବହାର କରି ବାର ଡ୍ୟାନ୍ସରଙ୍କୁ ନାଚିବାକୁ ବାଧ୍ୟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା | ଏହା ପରେ ଉତ୍ତରପ୍ରଦେଶ ପୁଲିସ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ମିଳିଥିବା ସୂଚନା ମୁତାବକ ସୋମବାର ରାତିରେ ଇନ୍ଦିରା ନଗର ଅଞ୍ଚଳର ଏକ ବାରରେ ହୋଲିକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଇନ୍ଦିରା ନଗର ଥାନାର ସବ ଇନ୍ସପେକ୍ଟର ଭୃଗୁ ଓଝା ପହଂଚିଯାଇଥିଲେ |

Photo-Dainik jagaran

ଦର୍ଶକଙ୍କ ଭଳି ନୃତ୍ୟ ଦେଖିବା ପରେ ନିଶାରେ ଚୁର ହୋଇ ନର୍ତ୍ତକୀଙ୍କୁ ଆହୁରି ଘଣ୍ଟାଏ ନାଚିବାକୁ ବାଧ୍ୟ କରିଥିଲେ | ଉପସ୍ଥିତ ଲୋକମାନେ ଏହାକୁ ବାରଣ କରିଥିଲେ ବି ପୁଲିସ ବାବୁ ଜଣକ ସମସ୍ତଙ୍କ ସହ ଝଗଡା କରିଥିଲେ | ପୁଲିସ ବାବୁଙ୍କ ଏଭଳି ପାଟିତୁଣ୍ଡ ଶୁଣି ନର୍ତ୍ତକୀ ଜଣକ ମଧ୍ୟ ଘଣ୍ଟାଏ ଯାଏଁ ସେମିତି ନାଚିଥିଲେ |

ଉପସ୍ଥିତ ଲୋକଙ୍କ ମଧ୍ୟରୁ କେହି ଜଣେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ | ଏହି ଘଟଣାକୁ ନେଇ ପୁଲିସ କମିଶନର ସୁଜିତ ପାଣ୍ଡେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ସବ ଇନ୍ସପେକ୍ଟର ଭୃଗୁ ଓଝାଙ୍କୁ ନିଲମ୍ବିତ କରିଛନ୍ତି | ଏହା ସହ ଇନ୍ଦିରା ନଗର ଥାନାର ଇନ୍ସପେକ୍ଟର ଧନଞ୍ଜୟ କୁମାର ପାଣ୍ଡେଙ୍କ ବିରୋଧରେ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଇନ୍ସପେକ୍ଟର ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି।

ସମ୍ବନ୍ଧିତ ଖବର