ମହାପ୍ରଭୁଙ୍କ ରଥଯାତ୍ରା ନିଷ୍ପତ୍ତି ଆଜି

ଆଜି ସୁପ୍ରିମକୋର୍ଟରେ ରଥ ମାମଲାର ଶୁଣାଣି
ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ ଡାକିଲେ ସରକାର
ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ, ସରକାରଙ୍କୁ ଅପେକ୍ଷା
ଦୋକାନ ଉଠିଲା, ବ୍ୟାରିକେଡିଂ କଲାଣି ପୁଲିସ

ଭୁବନେଶ୍ବର /ନୂଆଦିଲ୍ଲୀ : ଆସନ୍ତାକାଲି ସନ୍ଧ୍ୟା ୭ଟା ୪୫ରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏଥିରେ ନିର୍ଦିଷ୍ଟ କି ପ୍ରସ୍ତାବ ଆସିବ, ତାହା ଏଯାଏ ଜଣାପଡିନାହିଁ। ମନ୍ତ୍ରୀମାନଙ୍କୁ ମଧ୍ୟ କ୍ୟାବିନେଟ୍ ବୈଠକର ଏଜେଣ୍ଡା ଦିଆଯାଇନାହିଁ। ହଠାତ୍ ବିଳମ୍ବିତ ସନ୍ଧ୍ୟାରେ କାହିଁକି କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀ ଡାକିଲେ, ତାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

The Hindu

ଏଇଥିପାଇଁ ଯେ ଆସନ୍ତାକାଲି ସୁପ୍ରିମକୋର୍ଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ୨୩ ତାରିଖରେ ହେବ ନା ନାହିଁ, ସେ ସଂପର୍କରେ ଶୁଣାଣି ହେବ। ଓଡ଼ିଶା ବିକାଶ ପରିଷଦ ସମେତ ପାଖାପାଖି ୭ଟି ଆବେଦନ କୋର୍ଟଙ୍କ ନିକଟରେ ରହିଛି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌.ଏ. ବୋବଡେ, ବିଚାରପତି ଏ.ଏସ୍‌.ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଶୁଣାଣି ହେବ।

ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌ ସହ ଅନ୍ୟ ୨ଟି ପିଟିସନ୍‌ର ମିଳିତ ଭାବେ ଶୁଣାଣି ହେବାର ସମ୍ଭାବନା ରହିଛି। ପୂର୍ବରୁ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କର ରଥଯାତ୍ରା ଆୟୋଜନକୁ ନେଇ ହାଇକୋର୍ଟ ରାୟ ଶୁଣାାଇ ସାରିଥିବାରୁ ସୁପ୍ରିମକୋର୍ଟ କି ଆଭିମୁଖ୍ୟ ଗ୍ରହଣ କରିବେ, ତା ଉପରେ ସମଗ୍ର ବିଶ୍ବରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କର ନଜର ରହିଛି। ବିଶେଷକରି ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ବଳବତ୍ତର ରଖିବେ ନା ଆଉ କିଛି ନୂଆ ନିର୍ଦ୍ଦେଶନାମା ଜାରି କରିବେ ତାହା ଆସନ୍ତାକାଲିର ଶୁଣାଣିରେ ହିଁ ସ୍ପଷ୍ଟ ହେବ।

ଯଦି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାସ୍ତାରେ ଯାନ୍ତି ତେବେ ପୁରୀରେ ମହାପ୍ରଭୁଙ୍କ ରଥ ଗଡ଼ିବ କି ନାହିଁ, ରାଜ୍ୟ ସରକାର ଆସନ୍ତାକାଲି ନିଷ୍ପତ୍ତି ନେବାକୁ ହେବ। ରଥଯାତ୍ରା ଯଦି ନ ହୁଏ, ତେବେ ବି ବିକଳ୍ପ ପଦକ୍ଷେପ ସ୍ବରୂପ କଣ କରାଯିବ, ସେ ସଂକ୍ରାନ୍ତରେ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା ଆଧାରରେ ପଦକ୍ଷେପ ନେବାକୁ ପଡ଼ିବ।

ଯେହେତୁ ମହାପ୍ରଭୁଙ୍କ ରଥଯାତ୍ରା ଭଳି ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗ ସଂପର୍କରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଅଛି, ସମ୍ଭବତଃ ମୁଖ୍ୟମନ୍ତ୍ରୀ ପୂରା କ୍ୟାବିନେଟକୁ ଏ ସଂକ୍ରାନ୍ତରେ ବିଶ୍ବାସକୁ ନେଇ ଠୋସ୍ ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି ଗୋଟିଏ ମହଲ ଆଶା କରୁଛନ୍ତି। ଅନ୍ୟପକ୍ଷରେ ଆଉ ଗୋଟିଏ ମହଲ କହୁଛନ୍ତି, ଏ ପ୍ରସଙ୍ଗଟି କ୍ୟାବିନେଟ୍ ଆସିବାର କୌଣସି ଆବଶ୍ୟକତା ନାହିଁ। ବରଂ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା ଚୂଡ଼ାନ୍ତ ହେବ।

ସେପଟେ ମହାପ୍ରଭୁ ବଡ଼ଦାଣ୍ଡକୁ ଆସିବେ କି ନାହିଁ, ଏହି ପ୍ରସଙ୍ଗ ଝୁଲି ରହିଥିବା ବେଳେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି କରି ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି। ତିନି ରଥ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜିଠାରୁ େଦାକାନ ଉଠିବା ଆରମ୍ଭ େହାଇଛି ଓ ବିଭିନ୍ନ ସାହିରେ ବ୍ୟାରିକେଡିଂ ବି ପୁଲିସ କରୁଛି। ଏହା ସତ୍ତ୍ବେ ପୁରୀ ଜିଲ୍ଲା ପ୍ରଶାସନ ରଥଯାତ୍ରା ପାଇଁ ଆବଶ୍ୟକ ଅନ୍ୟ କିଛି ପଦକ୍ଷେପ ନେଇ ସରକାରଙ୍କ ସଙ୍କେତ ଅପେକ୍ଷାରେ ରହିଛନ୍ତି। ମାମଲା ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ରହିଥିବାରୁ ସରକାର ତାଙ୍କ ନିଷ୍ପତ୍ତିକୁ ଅଟକାଇଛନ୍ତି ବୋଲି ସୂଚନା ମିଳୁଛି। ଏପରିସ୍ଥଳେ ଆସନ୍ତାକାଲି ରଥ ସଂପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ବା ସରକାରଙ୍କ ଠାରୁ ଠୋସ୍ ନିର୍ଣ୍ଣୟ ଆସିପାରେ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ମିଳୁଥିବା ସୂଚନା ଅନୁସାରେ, ପାଞ୍ଚଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇପାରେ ବୋଲି ଏଜେଣ୍ଡା ପ୍ରସ୍ତୁତ ହୋଇଛି। ଏଥିରେ କୃଷି, ଗ୍ରାମ୍ୟ ଉନ୍ନୟନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ଗୋଟିଏ ଲେଖାଏ ପ୍ରସ୍ତାବ ରହିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦୁଇଟି ପ୍ରସ୍ତାବ ରହିଥିବା କୁହାଯାଇଛି। ତେବେ ଶେଷ ମୁହୂର୍ତରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରସଙ୍ଗ ସଂପର୍କିତ ପ୍ରସ୍ତାବ କ୍ୟାବିନେଟକୁ ଆସିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ସମ୍ବନ୍ଧିତ ଖବର