ନେଇନାହାନ୍ତି ଗୋଟିଏ ବି ଛୁଟି, ଦେଢ଼ ମାସ ଆଗରୁ ଜେଲରୁ ମୁକୁଳିପାରନ୍ତି ସିଦ୍ଧୁ

ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ଏପ୍ରିଲ ୧ରେ ଜେଲରୁ ମୁକୁଳିପାରନ୍ତି | ବାସ୍ତବରେ ୧୯୮୮ ମସିହାର ଏକ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବର୍ଷେ ଧରି ଜେଲରେ ଥିବା ସିଦ୍ଧୁ ଏବେ ଏପ୍ରିଲ ପହିଲାରେ ଜେଲରୁ ମୁକୁଳିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି | ତେବେ ଏହି ଚର୍ଚ୍ଚା ପଛର ବଡ କାରଣଟି ହେଉଛି ସେ ଜେଲରେ ଗୋଟିଏ ଦିନ ବି ଛୁଟି ନେଇନାହାନ୍ତି | ଆଉ ଛୁଟି ନେଇ ନଥିବାରୁ ଏବେ ତାଙ୍କୁ ଏହାର ଲାଭ ମିଳିପାରେ | ତେବେ ତାଙ୍କୁ ଜାନୁଆରି ୨୬ ଗଣତନ୍ତ୍ର ଦିବସ ଉପଲକ୍ଷେ ଜେଲରୁ ମୁକ୍ତ କରାଯାଇଥାନ୍ତା । ସିଦ୍ଧୁଙ୍କ ମୁକ୍ତିକୁ ସ୍ୱାଗତ କରିବା ପାଇଁ ପଞ୍ଜାବର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଯାଇଥିଲା। କିନ୍ତୁ ଶେଷ ମୂହୂର୍ତ୍ତରେ ରାଜ୍ୟ ସରକାର ସବୁଜ ସଂକେତ ଦେଇନଥିବାରୁ ଜେଲରୁ ତାଙ୍କ ମୁକ୍ତି ହୋଇପାରିନଥିଲା । ନବଜୋତ ମେ ୨୦, ୨୦୨୨ରେ ଜେଲ ଯାଇଥିଲେ |

କିନ୍ତୁ ମୁକ୍ତି ପାଇଁ ଏବେ ତାଙ୍କୁ ମେ ୧୯, ୨୦୨୩ ଯାଏଁ ଅପେକ୍ଷା କରିବାକୁ ପଡିବ ନାହିଁ | କାରଣ ଜେଲର ନିୟମ ଅନୁଯାୟୀ ଜଣେ କଏଦୀଙ୍କୁ ମାସକୁ ୪ ଦିନ ଛୁଟି ମିଳିଥାଏ | କିନ୍ତୁ ସିଦ୍ଧୁ ଦିନେ ବି ଛୁଟି ନେଇନାହାନ୍ତି | ଆଉ ଏହି କ୍ରମରେ ୪୮ ଦିନ ପୂର୍ବରୁ ତାଙ୍କୁ ଜେଲରୁ ମୁକ୍ତ କରାଯାଇପାରେ | ଉଲ୍ଲେଖ ଥାଉ କି ଗତ ବର୍ଷ ମେ ୨୦ ରେ ସିଦ୍ଧୁ ପଟିଆଲା ଜେଲ ଯାଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ ଏକ ବର୍ଷ ପାଇଁ ଦଣ୍ଡିତ କରାଯାଇଥିଲା । ଡିସେମ୍ବର ୧୯୮୮ ହୋଇଥିବା ଏକ ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଯେଉଁଥିରେ ପାର୍କିଂକୁ ନେଇ ଜଣେ ବୃଦ୍ଧ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ହେବା ପରେ ସିଦ୍ଧୁ ତାଙ୍କୁ ଠେଙ୍ଗାରେ ମାରିଥିଲେ, ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର