ଭାରତ ସମେତ ବିଭିନ୍ନ ଦେଶରେ ଦେଖାଗଲା ଆଂଶିକ ସୂର୍ଯ୍ୟୋପରାଗ

ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଆଂଶିକ ସୂର୍ଯ୍ୟୋପରାଗ ଦୃଷ୍ଟିଗୋଚର ହୋଇଛି । ଅପରାହ୍ଣ ୪ଟା ୨୯ ମିନିଟରେ ଆରମ୍ଭ ହୋଇଥିବା ଏହି ସୂର୍ଯ୍ୟୋପରାଗ ସଂଧ୍ୟା ୬ ଟା ୨୬ ମିନିଟରେ ସର୍ବମୋକ୍ଷ ହୋଇଥିଲା । ଦିଲ୍ଲୀରେ ଏହା ଅପରାହ୍ଣ ୪ଟା ୫୧ରୁ ୫ଟା ୪୨ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା । ସେହିପରି କୋଲକତାରେ ୪.୫୧ରୁ ୫ଟା ୦୪ ପର୍ଯ୍ୟନ୍ତ,ମୁମ୍ବାଇରେ ୪.୪୯ରୁ ୬ଟା ୦୯ ପର୍ଯ୍ୟନ୍ତ, ଚେନ୍ନାଇରେ ୫ଟା ୧୩ରୁ ୫ଟା ୪୫ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା ।

ଜମ୍ମୁରେ ଏହି ସୂର୍ଯ୍ୟୋପରାଗ ସବୁଠାରୁ ଅଧିକ ସମୟ ଓ ଭଲ ଭାବରେ ଦେଖାଯାଇଥିଲା । ସେହିପରି ଦିଲ୍ଲୀ, ହରିୟାଣା, ପଂଜାବ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ଦୃଶ୍ୟମାନ ହୋଇଥିଲା । ତେବେ ଏହାର ଶେଷ ପର୍ଯ୍ୟାୟ ସୂର୍ୟ୍ୟାସ୍ତ ପରେ ଅନୁଷ୍ଠିତ ହୋଇଥିବାରୁ ତାହା ଦେଖାଯାଇନଥିଲା । କେବଳ ଭାରତ ନୁହେଁ, ଏହି ସୂର୍ଯ୍ୟୋପରାଗ ଭାରତର ପଡ଼ୋଶୀ ଦେଶ ନେପାଳ, ଭୁଟାନ, ପଶ୍ଚିମଏସିଆ, ୟୁରୋପ, ଉତ୍ତର ଆଫ୍ରିକାରେ ବି ଦୃଶ୍ୟମାନ ହୋଇଥିଲା ।

ସୂର୍ଯ୍ୟୋପରାଗକୁ ନେଇ ବିଭିନ୍ନ ପ୍ରକାରର ଧର୍ମ ବିଶ୍ବାସ ରହିଥିବାରୁ ଏହା ପରେ ଲୋକମାନେ ବିଭିନ୍ନ ନଦୀରେ ସ୍ନାନ କରିଥିବା ଦେଖାଯାଇଥିଲା । କୁରୁକ୍ଷେତ୍ର, ପ୍ରୟାଗ, ହରିଦ୍ବାର, ନାସିକ ଆଦିଠାରେ ଲୋକମାନେ ନଦୀରେ ବୁଡ଼ ପକାଇଥିଲେ । ସୂର୍ଯ୍ୟୋପରାଗ ସମୟରେ ଦେଶର ବିଭିନ୍ନ ଦେବାଳୟରେ ଦେବନୀତି ବନ୍ଦ ରହିଥିଲା ।

ସମ୍ବନ୍ଧିତ ଖବର