ଉତ୍ତର କୋରିଆ ସହ ବାଦ ପକାଇ ୮ଟି କ୍ଷେପଣାସ୍ତ୍ର ପରୀକ୍ଷା କଲେ ଦକ୍ଷିଣ କୋରିଆ ଏବଂ ଆମେରିକା
ସିଓଲ୍: ରବିବାର ଦିନ ଉତ୍ତର କୋରିଆ କେତେଗୁଡ଼ିଏ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ତା’ ସହ ବାଦ ପକାଇ ଆଜି ପ୍ରତ୍ୟୁଷରେ ଦକ୍ଷିଣ କୋରିଆ ଏବଂ ଆମେରିକା ଦକ୍ଷିଣ କୋରିଆର ପୂର୍ବ ଉପକୂଳରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ଗତି କରୁଥିବା ୮ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା କଥା ଦକ୍ଷିଣ କୋରିଆର ଜଣେ ସେନା ଅଧିକାରୀ କହିଛନ୍ତି।
ଏହା ହେଉଛି ଉତ୍ତର କୋରିଆର କ୍ଷେପଣାସ୍ତ୍ର ନିକ୍ଷେପଣ ସ୍ଥାନ, ନିକ୍ଷେପ ନିମନ୍ତେ ନିର୍ଦେଶ ଆସୁଥିବା ସ୍ଥାନ ଅଥବା ନିକ୍ଷେପଣରେ ସହାୟକ ହେଉଥିବା କେନ୍ଦ୍ର ଉପରକୁ ଲକ୍ଷ୍ୟଭେଦୀ ଆକ୍ରମଣ କରିବା ସାମର୍ଥ୍ୟ ଏବଂ ପ୍ରସ୍ତୁତିର ପ୍ରଦର୍ଶନ ବୋଲି ଦକ୍ଷିଣ କୋରୀୟ ସେନା କହିଥିବା କଥା ଦକ୍ଷିଣ କୋରିଆର ‘ୟୋନ୍ହାପ୍’ ନିଉଜ୍ ଏଜେନ୍ସି ରିପୋର୍ଟ କରିଛି।

‘ୟୋନ୍ହାପ୍’ ନିଉଜ୍ ଏଜେନ୍ସି ରିପୋର୍ଟ ଅନୁସାରେ, ରବିବାର ଦିନ ଉତ୍ତର କୋରିଆ ନିକ୍ଷେପ କରିଥିବା ୮ଟି କ୍ଷେପଣାସ୍ତ୍ରର ପ୍ରତ୍ୟୁତ୍ତର ଦେବାକୁ ଯାଇ ଗତ ରାତି ୪:୪୫ରୁ ଆରମ୍ଭ କରି ପ୍ରାୟ ୧୦ ମିନିଟ୍ ମଧ୍ୟରେ ଦକ୍ଷିଣ କୋରିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସେନା ୮ଟି ଭୂପୃଷ୍ଠରୁ ଭୂପୃଷ୍ଠଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି।
ପରୀକ୍ଷା କରାଯାଇଥିବା କ୍ଷେପଣାସ୍ତ୍ରଗୁଡ଼ିକ ୮ଟି ‘ଆର୍ମି ଟ୍ୟାକ୍ଟିକାଲ୍ ମିସାଇଲ୍ ସିଷ୍ଟମ୍ସ୍’ (ଏଟିଏସିଏମ୍ଏସ୍) ଥିଲା ବୋଲି ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀ ସୁନିଶ୍ଚିତ କରି କହିଛନ୍ତି।
ଉତ୍ତର କୋରିଆ ପ୍ରତି କଠୋର ମନୋଭାବ ଗ୍ରହଣ କରିବା ଲାଗି ଗତ ମାସରେ କ୍ଷମତାସୀନ ହୋଇଥିବା ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ୍ ସୁକୟେଓଲ୍ ପଣ କରିବା ସହ ଯୁକ୍ତରାଷ୍ଟ୍ର ଆମେରିକା ସହିତ ମିଳିତ ସାମରିକ ଅଭ୍ୟାସ ଉନ୍ନତ କରାଯିବ ବୋଲି ଗତ ମାସରେ ସିଓଲ୍ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ହୋଇଥିବା ଶିଖର ବୈଠକରେ ଏକମତ ହୋଇଛନ୍ତି।