ସୁଖବିନ୍ଦର ସିଂହ ସୁଖୁ ହିମାଚଳ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ସୁଖବିନ୍ଦର ସିଂହ ସୁଖୁ ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ। ସିମ୍‌ଲାରେ ଶନିବାର ସନ୍ଧ୍ୟାରେ ନବ ନିର୍ବାଚିତ ବିଧାୟକମାନଙ୍କ ବୈଠକ ପରେ ଏହି ଘୋଷଣା କରିଛନ୍ତି କଂଗ୍ରେସର ପର୍ଯ୍ୟବେକ୍ଷକ ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂ‌ପେଶ ବାଘେଲ। ସେ କହିଛନ୍ତି, ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ହେବେ। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଶପଥଗ୍ରହଣ ଉତ୍ସବ ହେବ।

ସୁଖବିନ୍ଦରଙ୍କ ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ବରିଷ୍ଠ ନେତ୍ରୀ ପ୍ରତିଭା ବୀରଭଦ୍ର ସିଂହ କହିଛନ୍ତି, ଆମେ ପାର୍ଟି ହାଇକମାଣ୍ଡ୍‌ଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିକୁ ଗ୍ରହଣ କରୁଛୁ।

ତେବେ ପ୍ରତିଭା ସିଂହଙ୍କ ସମର୍ଥକମାନେ ପାର୍ଟି ହାଇକମାଣ୍ଡଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି। ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ କରାନଯିବାରୁ ସେମାନେ ଏହାକୁ ବିରୋଧ କରି ଦଳୀୟ ନେତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ହିମାଚଳ ପ୍ରଦେଶର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ସୁଖବିନ୍ଦର ସିଂହ ସୁଖୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ଥିଲେ। ହିମାଚଳ ପ୍ରଦେଶ କଂଗ୍ରେସ କମିଟିର ସେ ପୂର୍ବତନ ସଭାପତି। ହମିରପୁର ଜିଲ୍ଲାର ନ‌ଦୌନରୁ ସୁଖବିନ୍ଦର ସିଂହ ସୁଖୁ ୪ ଥର ବିଧାୟକ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ବିଧାନସଭା ନିର୍ବ‌ାଚନରେ ୬୮ ଆସନ ମଧ୍ୟରୁ ୪୦ଟିରେ ବିଜୟୀ ହୋଇ କଂଗ୍ରେସ ସରକାର ଗଢ଼ିବାକୁ ଯାଉଛି। ତେବେ ମୁଖ୍ୟମନ୍ତ୍ରୀ  ପଦ ଲାଗି ଆହୁରି ଦୁଇ ଜଣ ଦାବିଦାର ଥିଲେ। ସେମାନେ ହେଲେ ପ୍ରତିଭା ସିଂହ ଏବଂ ମୁକେଶ ଅଗ୍ନିହୋତ୍ରୀ। ହାଇକମ‌ାଣ୍ଡ ସେମାନଙ୍କୁ ବୁଝାସୁଝା କରିବା ପରେ ସୁଖବିନ୍ଦରଙ୍କ ନାମ ଘୋଷଣା କରିଛି। ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର