ଛଟେଇ ପାଇଁ ଦୁଃଖ ପ୍ରକାଶ କଲେ ଟ୍ବିଟର ପ୍ରତିଷ୍ଠାତା

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ କମ୍ପାନି ଟ୍ବିଟରର ନୂଆ ମାଲିକ ଏଲନ ମସ୍କ ଗତକାଲି କମ୍ପାନିର ପାଖାପାଖି ଅଧା କର୍ମଚାରୀଙ୍କୁ ଛଟେଇ କରିବା ପରେ କମ୍ପାନିର ପ୍ରତିଷ୍ଠାତା ଜ୍ୟାକ ଡୋର୍ସି ଦୁଃଖ ପ୍ରକାଶ କରିଛନ୍ତି। ବର୍ତ୍ତମାନ କମ୍ପାନିରେ ଦେଖାଦେଇଥିବା ସ୍ଥିତିର ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି। ଅନେକ ଲୋକ ଏଥିପାଇଁ ମୋ ଉପରେ ରାଗିଥିଲେ ବୋଲି ସେ କହିଛନ୍ତି।

ତେବେ ଟ୍ବିଟରର ବର୍ତ୍ତମାନ ଏବଂ ପୂର୍ବତନ କର୍ମଚାରୀମାନେ ମାନସିକ ଭାବେ ଅତ୍ୟନ୍ତ ଦୃଢ଼। ‌ଯେକୌଣସି କଷ୍ଟକର ପରିସ୍ଥିତି ଦେଖାଦେବେଲେ ମଧ୍ୟ ସେମାନେ ସେମାନଙ୍କ ରାସ୍ତା ପାଇଯିବେ। କମ୍ପାନିର ଆକାରକୁ ଖୁବଶୀଘ୍ର ମୁଁ ବଢ଼ାଇ ଦେଇଥିଲେ। ସେଥିପାଇଁ ମୁଁ ଦୁଃଖ ପ୍ରକାଶ କରୁଛି ବୋଲି ଡୋର୍ସି କହିଛନ୍ତି। ଅନ୍ୟ ଏକ ଦୁଃଖଭରା ଟ୍ବିଟରେ ସେ କହିଛନ୍ତି ଟ୍ବିଟରରେ ଯିଏ ବି କାର୍ଯ୍ୟ କରିଛନ୍ତି ସେ ତାଙ୍କୁ ସବୁବେଳେ ଭଲପାଆନ୍ତି।

କମ୍ପାନି ଦିନକୁ ୪ ନିୟୁତ ଡଲାର କ୍ଷତି କରୁଥିବା ଦର୍ଶାଇ ଏଲନ ମସ୍କ କମ୍ପାନିର ଅଧା କର୍ମଚାରୀଙ୍କୁ ବିଶ୍ବରେ ଛଟେଇ କରିଛନ୍ତି। ଏଥିରେ ଭାରତର ମଧ୍ୟ ପାଖାପାଖି ଅଧା କର୍ମଚାରୀ ରହିଛନ୍ତି। ଭାରତରେ ଟ୍ବିଟରର ୨୦୦ରୁ ଅଧିକ କର୍ମଚାରୀ ରହିଛନ୍ତି। ଚଳିତ ବର୍ଷର ଦ୍ବିତୀୟ ତ୍ରୟମାସରେ ଟ୍ବିଟର ୨୭୦ ନିୟୁତ ଡଲାର କ୍ଷତି ସହିଛି। କିନ୍ତୁ ଗତବର୍ଷ ଦ୍ବିତୀୟ ତ୍ରୟମାସରେ କମ୍ପାନି ୬୬ ନିୟୁତ ଡଲାର ଲାଭ କରିଥିଲା। ଭାରତରେ କମ୍ପାନି ଇଞ୍ଜିନିୟରିଂ, ସେଲ୍ସ ଆଣ୍ଡ ମାର୍କେଟିଂ ଏବଂ କମ୍ୟୁନିକେସନ୍ସ ବିଭାଗର କର୍ମଚାରୀଙ୍କୁ ଛଟେଇ କରିଛି ବୋଲି ଏକ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର