‘ଆମେରିକାନ୍‌ ହିରୋ’ର ଫଟୋକୁ ଟୁଇଟରରେ ପୋଷ୍ଟ କଲେ ରାଷ୍ଟ୍ରପତି ‌‌ଡୋନାଲ୍ଡ ଟ୍ରମ୍ପ; ଜାଣନ୍ତୁ, କିଏ ସେଇ ଆମେରିକାନ୍‌ ହିରୋ…

ନ୍ୟୁୟର୍କ: କୁଖ୍ୟାତ ଆତଙ୍କବାଦୀ ତଥା ଆଇଏସ୍‌ ମୁଖ୍ୟ ଅବୁ ବକର୍‌ ଅଲ୍‌-ବାଗ୍‌ଦାଦିକୁ ମୃତ୍ୟୁ ମୁହଁକୁ ପଠାଇ ଦେଇଥିବା ଆମେରିକୀୟ ସେନା କୁକୁର ପୁଣି ଆଜି ପାଲଟିଛି ସମ୍ବାଦର ଶିରୋନାମା। ଅତ୍ୟନ୍ତ କ୍ଷମତାଶଳୀ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିଜ ହାତରେ ସଂପୃକ୍ତ ସେନା କୁକୁରକୁ ଏକ ମେଡାଲ ପିନ୍ଧାଇ ଦେଉଥିବାର ଫଟୋକୁ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଛାଡ଼ିବା ସହ ଫଟୋ ଉପରେ ‘ଆମେରିକାନ୍‌ ହିରୋ’ ବୋଲି ଉଲ୍ଲେଖ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ରାଷ୍ଟ୍ରପତି ଟ୍ରମ୍ପ ଏହି ଫଟୋଟିକୁ ଏଡିଟ୍‌ କରି ଟୁଇଟରରେ ପୋଷ୍ଟ କରିଥିବା କୁହାଯାଉଛି। କାରଣ, ଏହା ହେଉଛି ୨୦୧୭ରେ ଭିଏତ୍‌ନାମରେ ଦିନତମାମ୍‌ ନିଜ ସଂଘର୍ଷ କରି ୧୦ଜଣ ଲୋକଙ୍କର ଜୀବନ ରକ୍ଷା କରିବାରେ ସମର୍ଥ ହୋଇଥିବା ଅନ୍ୟ ଏକ ସେନା କୁକୁର ଜେମସ୍‌ ମାକ୍‌କ୍ଲୋଗାନ୍‌କୁ ମେଡାଲ ପିନ୍ଧାଇବା ବେଳର ଫଟୋ। ଏହି ଫଟୋକୁ ଏଡିଟ୍‌ କରି ସେଥିରେ ବାଗ୍‌ଦାଦିକୁ ମୃତ୍ୟୁ ମୁହଁକୁ ପଠାଇ ଦେଇଥିବା ଆମେରିକୀୟ ସେନା କୁକୁରର ଫଟୋକୁ ଯୋଡ଼ି ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ପ୍ରସ୍ତୁତ କରିଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, କୁଖ୍ୟାତ ଆତଙ୍କବାଦୀମାନଙ୍କୁ ନିପାତ କରିବା ଲାଗି ଆମେରିକା ଗଠନ କରିଥିବା ଡେଲଟା ଫୋର୍ସର ଜଣେ ସଦସ୍ୟ ହେଉଛି ଏଇ କୁକୁର। ଡେଲଟା ଫୋର୍ସର ସୈନିକମାନେ ବାଗ୍‌ଦାଦିକୁ ଘେରିଯିବା ପରେ ବାଗ୍‌ଦାଦି ଏକ ସୁଡ଼ଙ୍ଗ ଭିତରକୁ ପଳାଇଥିଲା। ଏହି ସମୟରେ ଆମେରିକୀୟ ସେନା ସେମାନଙ୍କ ସହିତ ମିଶନରେ ଯାଇଥିବା ଏହି କୁକୁରକୁ ସେହି ସୁଡ଼ଙ୍ଗ ଭିତରକୁ ଛାଡ଼ି ଦେଇଥିଲେ। ତାଲିମପ୍ରାପ୍ତ ଶିକାରୀ କୁକୁରଟି ବଗଦାଦିକୁ ସୁଡ଼ଙ୍ଗ ଭିତରେ ଗୋଡ଼ାଇ ନେବା ପରେ ସେ ବଡ଼ ପାଟିରେ କାନ୍ଦିଥିଲା। ଶେଷରେ କୋଣଠେସା ହୋଇଯାଇ ସେ ପିନ୍ଧିଥିବା ଆତ୍ମଘାତୀ ଜ୍ୟାକେଟ୍‌ରେ ବିସ୍ଫୋରଣ ଘଟାଇ ଆତ୍ମହତ୍ୟା କରି ଦେଇଥିଲା।

ସମ୍ବନ୍ଧିତ ଖବର