ବୌଦ୍ଧସ୍ଥଳୀର ବିକାଶ ପାଇଁ ଓଡ଼ିଶାକୁ ‘ବୁଦ୍ଧିଷ୍ଟ୍ ସର୍କିଟ’ରେ ସାମିଲ ପାଇଁ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ଅନ୍ତର୍ଗତ‘ବୁଦ୍ଧିଷ୍ଟ ସର୍କିଟ’ରେ ଓଡ଼ିଶାକୁ ସାମିଲ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ
ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଏନେଇ ସେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖିଛନ୍ତି।ରାଜ୍ୟରେ ଅନେକ ବୌଦ୍ଧସ୍ଥଳୀ ଥିବା ସତ୍ୱେ ଓଡ଼ିଶା ବୁଦ୍ଧିଷ୍ଟ ସର୍କିଟରେ ସାମିଲ ନହେବା ଚିନ୍ତାଜନକ ବୋଲି ଧର୍ମେନ୍ଦ୍ର ପ୍ରଧାନ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିରେ ଓଡ଼ିଶାରେ ବୌଦ୍ଧ ଧର୍ମର ଇତିହାସ ସମ୍ପର୍କରେ ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସ୍ୱଦେଶ ଦର୍ଶନ ଯୋଜନାରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ୫ଟି ରାଜ୍ୟରେ ‘ବୁଦ୍ଧିଷ୍ଟ ସର୍କିଟ’ର ବିକାଶ ପାଇଁ ୩୨୫.୫୩ କୋଟି ଟଙ୍କାର ୫ଟିପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ଏହି ୫ଟି ରାଜ୍ୟଗୁଡ଼ିକ ହେଲା ମଧ୍ୟପ୍ରଦେଶ, ଉତରପ୍ରଦେଶ, ବିହାର, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ। ତେବେ ଓଡ଼ିଶାରେ ସମୃଦ୍ଧ ବୌଦ୍ଧ ପରମ୍ପରା ଓ ପୂଣ୍ୟ ବୌଦ୍ଧ ପୀଠ ଥିବା ସତ୍ୱେ ଏହାକୁ ବୁଦ୍ଧ ସର୍କିଟରେ ସାମିଲ କରାନଯିବା ଏବଂ ଏହି ଯୋଜନା ଅନ୍ତର୍ଗତ ପବିତ୍ର ବୌଦ୍ଧ ପୀଠ ପାଇଁକୌଣସି ପ୍ରକଳ୍ପ ନିମନ୍ତେ ଅନୁଦାନ ନ ମିଳିବା ଚିନ୍ତାଜନକ ।
ଓଡ଼ିଶାରେ ବୌଦ୍ଧ ଧର୍ମର ଇତିହାସ ସମ୍ପର୍କରେ ଶ୍ରୀ ପ୍ରଧାନ ପତ୍ର ମାଧ୍ୟମରେ ଅବଗତ କରାଇବା ସହ କହିଛନ୍ତି ଯେ ଧର୍ମ ବିଚାରଧାରା ଆସିବା ସମୟରୁ ଓଡ଼ିଶାରେ ବୌଦ୍ଧ ଧର୍ମ ରହିଆସିଛି । ଅଷ୍ଟମରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଭୌମକର ବଂଶର ଶାସନ କାଳରେ ରାଜ୍ୟରେ ବୌଦ୍ଧ ଧର୍ମର ବିବେଚନା କରାଯାଇଥିଲା। ଓଡ଼ିଶାର ଦୁଇ ବ୍ୟବସାୟୀ ତପସୁ ଏବଂ ଭଲ୍ଲିକଙ୍କ ସହିତ ବୁଦ୍ଧ ଭଗବାନଙ୍କ ସହ ସମ୍ବନ୍ଧ ଥିଲା। ବିଭିନ୍ନ କିମ୍ବଦନ୍ତୀରୁ ଜଣାପଡ଼ିଛି ଯେ ରାଜ୍ୟରେ କଳିଙ୍ଗ ଯୁଦ୍ଧ ପୂର୍ବରୁ ଯୋଦ୍ଧା ଅଶୋକାଙ୍କ ନେତୃତ୍ୱରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ହୋଇଥିଲା । ଚୀନ ପରିବ୍ରାଜକ ହୁଏନସାଂଙ୍କ ବୌଦ୍ଧ ଧର୍ମ ଏବଂ ଓଡ଼ିଶା ସମ୍ପର୍କିତ ଲେଖା ରାଜ୍ୟରେ ବୌଦ୍ଧ ଧର୍ମର ଗୌରବମୟ ଅଧ୍ୟାୟକୁ ପୁର୍ନଜୀବିତ କରେ। ବୌଦ୍ଧ ଧର୍ମର ପ୍ରଭାବ ଓଡ଼ିଶାର ଲୋକଙ୍କ ସାମାଜିକ –ସାସ୍କୃତିକ ଜୀବନରେ ଦେଖିବାକୁ ମିଳିଥାଏ । ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ପ୍ରସିଦ୍ଧ ବୌଦ୍ଧସ୍ଥଳୀ ତଥା ବୌଦ୍ଧପୀଠ ରହିଛି । ଧଉଳଗିରି, ଲଳିତଗିରି, ଉଦୟଗିରି, ରତ୍ନଗିରି ଏବଂ ଜିରାଙ୍ଗଠାରେ ବୌଦ୍ଧ କୀର୍ତ୍ତି ତଥା ପରମ୍ପରା ବାବଦରେ ସ୍ପଷ୍ଟ ଚିତ୍ର ପ୍ରଦାନ କରେ। ଏ ସବୁ ବୃହତ ଭାବରେ
ଆନ୍ତର୍ଜାତିକ ପର୍ଯ୍ୟଟକ ବିଶେଷ ଭାବରେ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆ ଓ ଉତର ପୂର୍ବ, ହିମାଚଳ ପ୍ରଦେଶ ଏବଂ ଲଦାଖ ତଥା ଦେଶର ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଛି । ତେବେ ରାଜ୍ୟରେ ଥିବା ବୌଦ୍ଧ ପୁଣ୍ୟପୀଠ ମାନଙ୍କରେ ପର୍ଯ୍ୟଟକଙ୍କ ପାଇଁ ବିଶେଷ ଭାବରେ ଯୋଗାଯୋଗ, ଯାତାୟତ ଏବଂ ମୌଳିକ ସୁବିଧାର ବ୍ୟବସ୍ଥା ହୋଇନାହିଁ । ତେଣୁ ଅପାର ସମ୍ଭାବନା ରଖୁଥିବା ପବିତ୍ର ବୌଦ୍ଧସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟନର ବିକାଶ ଏବଂ ପର୍ଯ୍ୟଟକଙ୍କ ବୃଦ୍ଧି ପାଇଁ ସ୍ୱଦେଶ ଦର୍ଶନ ଯୋଜନାରେ ପ୍ରସ୍ତାବିତ ‘ବୁଦ୍ଧିଷ୍ଟ ସର୍କିଟ’ରେ ଓଡ଼ିଶାକୁ ସାମିଲ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ପର୍ଯ୍ୟଟନ ସ୍ଥଳୀର ବିକାଶ ହେଲେ ଓଡ଼ିଆ ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆସିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର