କିରୋସିନ ଦିଅ, ପାଣି ନିଅ- ‘ସ୍ୱପ୍ନସାଗର’ ସିନେମାର ବାସ୍ତବ ଚିତ୍ର

ଭୋପାଳ: ଗତ ଶତାବ୍ଦୀର ଅଶୀ ଦଶକରେ ଓଡ଼ିଆରେ ଗୋଟିଏ ଚଳଚିତ୍ର ନିର୍ମାଣ ହୋଇଥିଲା। ନାଁ ଥିଲା ‘ସ୍ୱପ୍ନ ସାଗର’ । ଏଥିରେ ପାନୀୟ ଜଳର ଘୋର ସଙ୍କଟକୁ ପ୍ରଦର୍ଶିତ କରାଯାଇଥିଲା। ପାଣି ପାଇଁ ଲୋକଙ୍କୁ ଲୁଣ ଦେବାକୁ ପଡ଼ୁଥିଲା। ଆଉ ଲୁଣ ବଦଳରେ ପାଣି ମିଳୁଥିଲା। ୮୦ ଦଶକରେ ନିର୍ମିତ ଏହି ଓଡ଼ିଆ ଚଳଚିତ୍ରର କାହାଣୀ ଯେପରି ବାସ୍ତବରେ ଛତିଶଗଡ଼ର ଶେଓପୁର ଜିଲ୍ଲାର ଆଦିବାସୀ ଅଞ୍ଚଳରେ ରୂପାୟିତ ହୋଇଛି। ଏଠାରେ ଦେଖା ଦେଇଥିବା ଉତ୍କଟ ଜଳ ସଙ୍କଟରୁ ଲୋକେ ମୁକ୍ତି ପାଇ ପାରୁ ନାହାଁନ୍ତି। ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ଏହି ଆଦିବାସୀ ଲୋକଙ୍କୁ କିରୋସିନ ଦେବାକୁ ପଡ଼ୁଛି। କିରୋସିନ ବଦଳରେ ମିଳୁଛି ପାଣି।
ମିଳିଥିବା ସୂଚନା ଅନୁଯାୟୀ, ଶେଓପୁର ଜିଲ୍ଲାରେ ପ୍ରବାହିତ ନଦୀ ଏବେ ଶୁଖିଲା ପଡ଼ିଛି। ତେବେ ଜିଲ୍ଲା ସଦର ମହକୁମା ଠାରୁ ୩୦ କିଲୋମିଟର ଦୂରରେ ଥିବା ଦେବପୁର ଗାଁର ୧୦୦ ଆଦିବାସୀ ପରିବାର, ପିପ୍ରାନି ଗାଁର ୮୦ଟି ଗୁଜ୍ଜର ପରିବାରଙ୍କ ପାଇଁ
ଜଳ ସମସ୍ୟା ଏତେ ଉତ୍କଟ ହୋଇଛି ଯେ ସେମାନେ ପାଣି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ଗାଁରେ ଥିବା ପାଣିପମ୍ପକୁ ଚାଲୁୁ କରିବାକୁ ହେଲେ ଜେନେରେଟର ଆବଶ୍ୟକ। ପଞ୍ଚାୟତ ପାଣି ପମ୍ପ ଚଲାଇବା ପାଇଁ ଜେନେରେଟର ଯୋଗାଇ ଦେଇଛି। ମାତ୍ର ଏଥିପାଇଁ ଆବଶ୍ୟକ ତେଲ ବ୍ୟବସ୍ଥା କରି ନାହିଁ। କାରଣ ଏ ନେଇ କୌଣସି ଅର୍ଥ ପଞ୍ଚାୟତ ପାଖରେ ନାହିଁ। ତେଣୁ ଚାନ୍ଦା କରି ସେମାନେ କିରୋସିନ ଆଦାୟ କରୁଛନ୍ତି ଓ ବଦଳରେ ପାଣି ନେଉଛନ୍ତି। ଏହି ଦୁଇଟି ଗାଁର ପ୍ରତି ପରିବାର ଜେନେରେଟର ଚଳାଇବା ପାଇଁ ଦୈନକ ଅଧ ଲିଟର କିରୋସିନ ଦେବାକୁ ପଡ଼ୁଛି। ଯିଏ କିରୋସିନ ଦେବ ସେ ହିଁ ପାଣି ନେବ। ଏ ନେଇ ପ୍ରଶାସନ ପାଖରେ ଖବର ଥିଲେ ମଧ୍ୟଏହାର ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାର୍ହିଁ।

ସମ୍ବନ୍ଧିତ ଖବର