ସାର୍କକୁ ଏକାଠି କଲା କରୋନା, ମୋଦୀଙ୍କ ଭିଡିଓ କନଫରେନ୍ସ ବୈଠକ ପ୍ରସ୍ତାବରେ ପାକିସ୍ତାନ ରାଜି

ନୂଆଦିଲ୍ଲୀ : କରୋନା ଭାଇରସ ଦକ୍ଷିଣ ଏସିଆର ରାଷ୍ଟ୍ରମାନଙ୍କୁ ଏକାଠି କରିଛି । ଗତ କିଛି ବର୍ଷଧରି ପ୍ରାୟତଃ ଅପ୍ରାସଙ୍ଗିକ ହୋଇପଡ଼ିଥିବା ସାର୍କ ବା ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସଂଗଠନ ପୁଣି ସକ୍ରିୟ ହୋଇଉଠିଛି ।

କରୋନା ଭାଇରସ ଦକ୍ଷିଣ ଏସିଆ ସମେତ ସମଗ୍ର ବିଶ୍ୱକୁ କବଳିତ କରିଥିବାବେଳେ ଦେଶଗୁଡ଼ିକ ଏକାଠି ହୋଇ ଏହା ବିରୁଦ୍ଧରେ ଲଢେଇ କରିବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆହ୍ଵାନ ଜଣାଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସାର୍କ ରାଷ୍ଟ୍ରମାନେ ଏକାଠି ହେବାକୁ ଆହ୍ଵାନ ଜଣାଇଥିଲେ । ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରୋନା ମୁକାବିଲା ଲାଗି ରଣକୌଶଳ ନିର୍ଦ୍ଧାରଣ କରିବାକୁ ସେ ଆହ୍ଵାନ ଜଣାଇଥିଲେ । ସାର୍କ ରାଷ୍ଟ୍ରମାନେ ଏକାଠି ହୋଇ ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିବାକୁ ସେ କହିଥିଲେ ।

ମୋଦୀଙ୍କ ଏହି ଟ୍ଵିଟ ପରେ ତାହାକୁ ଅନ୍ୟ ସାର୍କ ରାଷ୍ଟ୍ରମାନେ ତୁରନ୍ତ ସମର୍ଥନ ଜଣାଇଥିଲେ । ବାଂଲାଦେଶ, ନେପାଳ,ମାଳଦ୍ୱୀପ, ଶ୍ରୀଲଙ୍କା ଆଦି ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ଏହାକୁ ସମର୍ଥନ କରି ଟ୍ଵିଟ କରିଥିଲେ । ତେବେ ପାକିସ୍ତାନ ଗତକାଲି ନିରବ ରହିଥିଲା । କିନ୍ତୁ ଆଜି ପାକିସ୍ତାନ ମଧ୍ୟ ଏହି ଭିଡିଓ କନଫରେନ୍ସିଂ ବୈଠକ ପାଇଁ ସମ୍ମତି ଜଣାଇଛି ।

ସୂଚନାଯୋଗ୍ୟ ଯେ ସାର୍କରେ ୮ଟି ସଦସ୍ୟ ରାଷ୍ଟ୍ର ଅଛନ୍ତି । ସେମାନେ ହେଲେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ମାଳଦ୍ୱୀପ,ବାଂଲାଦେଶ, ନେପାଳ ଓ ଭୁଟାନ ।

ସମ୍ବନ୍ଧିତ ଖବର