ନିରାଡ଼ମ୍ବର ଭାବେ ପାଳନ ହେଲା ଅଗ୍ନିଶମ ସହିଦ ଦିବସ, କରୋନା ପାଇଁ ଏଥର ସହିଦ ସପ୍ତାହ ପାଳନ ହେବନି

ଭୁବନେଶ୍ବର: ବରମୁଣ୍ଡାସ୍ଥିତ ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ଏକାଡେମୀରେ ଆଜି ଅଗ୍ନିଶମ ସହିଦ ଦିବସ ପାଳିତ ହୋଇଛି। କରୋନା ମୁକାବିଲାରେ ସମସ୍ତେ ଲାଗି ଥିବାରୁ ନିରାଡ଼ମ୍ବର ଭାବେ ଏହି ଦିବସ ପାଳନ କରାଯାଇଛି। ହାତଗଣତି ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସଦିଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ୧୯୪୪ ଆଜିର ଦିନରେ ବମ୍ବେ ଡକୟାର୍ଡରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା। ନିଆଁଲିଭା ଚାଲିଥିବା ବେଳେ ୬୬ଜଣ ଅଗ୍ନିଶମ କର୍ମଚାରୀ ସହିଦ ହୋଇଥିଲେ। ସେହି ସହିଦମାନଙ୍କୁ ମନେ ପକାଇବା ଲାଗି ପ୍ରତିବର୍ଷ ଆଜିର ଦିନରେ ସାରା ଦେଶରେ ଅଗ୍ନିଶମ ସହିଦ ଦିବସ ପାଳନ କରାଯାଏ। କରୋନା ମୁକାବିଲାରେ ଅଗ୍ନିଶମ ବାହିନୀ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସାରା ରାଜ୍ୟରେ ବିଭିନ୍ନ ଅଞ୍ଚଳ ବିଶୋଧନ କରାଯାଉଛି। ତେଣୁ ସହିଦ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ଏହାସହ ଏପ୍ରିଲ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହକୁ ପାଳନ ନ କରି ସ୍ଥଗିତ ରଖାଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର