ପୂଜା ବଜାରକୁ ମାନ୍ଦାବସ୍ଥା ଭୟ : ବଜାରରେ ଉତ୍ସାହ ନାହିଁ, ବ୍ୟବସାୟୀଙ୍କ ଟାର୍ଗେଟ୍‌ରେ ଗ୍ରାମୀଣ ବଜାର

ଇଏମ୍‌ଆଇ ନଦେଇପାରିବା ଭୟ ସହରାଞ୍ଚଳ ଗ୍ରାହକଙ୍କୁ ଘାରିଛି, ବିକ୍ରି ବଢ଼ାଇବାକୁ ହେବ ଅଫର୍‌ ବର୍ଷା

ଭୁବନେଶ୍ବର, (ବିଶ୍ବଜିତ ଦାଶ): ସାରା ଦେଶରେ ମାନ୍ଦାବସ୍ଥା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏବେ ପୂଜା ବଜାରକୁ ମାନ୍ଦାବସ୍ଥା ଭୟ ଘାରିଛି। ବର୍ତ୍ତମାନ ବଜାରର ସ୍ଥିତି ଯାହା ସେଥିରେ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ବିଭିନ୍ନ ଗାଡ଼ି ସୋ’ରୁମ୍, ଇଲେକ୍ଟ୍ରୋନିକ୍ସ ସୋ’ରୁମ୍, ମୋବାଇଲ୍ ଦୋକାନ, ଫର୍ଣ୍ଣିଚର୍ ସୋ’ରୁମ୍ ଆଦିରେ ମାନ୍ଦାବସ୍ଥା ପ୍ରଭାବ ପଡ଼ିବ ବୋଲି ବ୍ୟବସାୟୀମାନେ ଆକଳନ କରିସାରିଲେଣି। ଦଶହରା ସମୟରେ ଲୋକମାନେ ଗାଡ଼ି, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ମୋବାଇଲ୍‌ ଫୋନ୍, ଫର୍ଣ୍ଣିଚର୍ ଆଦି କିଣିବାକୁ ପସନ୍ଦ କରୁଥିବାବେଳେ ଏଥର କିନ୍ତୁ ବଜାରରେ ସେ ଉତ୍ସାହ ନାହିଁ। ତେଣୁ ବ୍ୟବସାୟୀମାନଙ୍କ ଆକଳନ ସତ ହେବ ବୋଲି ଜଳଜଳ ଦିଶିଲାଣି। ରାଜଧାନୀର ବିଭିନ୍ନ ସୋ’ରୁମ୍ ମାଲିକଙ୍କ କହିବାନୁଯାୟୀ, ଲୋକ ଘରକୁ ଗାଡ଼ି, ଟିଭି, ଫ୍ରିଜ୍‌, ୱାସିଙ୍ଗମେସିନ୍, ସୋଫା, ସ୍ମାର୍ଟ ଫୋନ୍ ଆଦି କିଣିବାର ପ୍ରାୟ ୧୫/୨୦ଦିନ ଆଗରୁ ବିଭିନ୍ନ ଦୋକାନକୁ ଯାଇ ଏହାକୁ ଦେଖିବା ସହ ମୂଲଚାଲ କରନ୍ତି, ବିଭିନ୍ନ ସାମଗ୍ରୀର କୋଟେସେନ୍ ନିଅନ୍ତି। କିନ୍ତୁ ଏଥର ସେ ପରିସ୍ଥିତି ନାହିଁ। ଗ୍ରାହକଙ୍କ ଭିଡ଼ ଏବେ ନଥିବାରୁ ଦଶହରା ସମୟରେ କିଣାବିକା କମ୍‌ ହେବ ବୋଲି ଜଣାପଡ଼ିଗଲାଣି। ତେଣୁ ଏହାକୁ ନଜରରେ ରଖି ଆମେ ବି ଅଧିକ ମାଲ୍‌ ମଗାଇ ଅଯଥାରେ ପୁଞ୍ଜି ନିବେଶ କରିବାକୁ ଚାହୁଁନୁୁ।

କେତେକ ସୋ’ରୁମ୍ ମାଲିକମାନେ କହିଛନ୍ତି ଯେ, ଆମେ ବର୍ଷକୁ କେତେ ସାମଗ୍ରୀ ବିକ୍ରି କରିବୁ ତା’ର ଟାର୍ଗେଟ୍ ବର୍ଷ ଆରମ୍ଭରୁ ଧାର୍ଯ୍ୟ କରି ଦେଇଛୁ। ଗତ କିଛି ଦିନ ହେଲା ଆମ ବିକ୍ରି ଟାର୍ଗେଟ୍‌ ଛୁଉଁନି। ତେଣୁ ପୂଜା ବଜାରରେ ଅଧିକ ଅଫର୍ ଏବଂ ସ୍ବତନ୍ତ୍ର ମାର୍କେଟିଂ ରଣନୀତି ଆପଣାଇବୁ। ଯେତିକି ସାମଗ୍ରୀ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛୁ ସେ ଟା‌େର୍ଗଟ୍ ହାସଲ କରିବୁ।

ସହରାଞ୍ଚଳରେ ଅଧିକ ଚାକିରିଆ ଲୋକ ରହୁଥିବାବେଳେ ସେମାନେ ଇଏମ୍‌ଆଇରେ ପ୍ରାୟ ସମସ୍ତ ଜିନିଷ କିଣିବାକୁ ପସନ୍ଦ କରନ୍ତି। କିନ୍ତୁ ମାନ୍ଦାବସ୍ଥା‌ ଯୋଗୁଁ ବିଭିନ୍ନ ସଂସ୍ଥା କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଥିବାରୁ ଯେଉଁମାନଙ୍କର ଚାକିରି ଗଲାଣି କିମ୍ବା ଯିବାର ଭୟ ଅଛି ସେମାନେ ଇଏମ୍‌ଆଇ ଦେଇପାରିବେ କି ନାହିଁ ସେହି ଭୟରେ ଜିନିଷ କିଣୁନାହାନ୍ତି। ବଜାର ସ୍ଥିତି ସୁଧୁରିବାକୁ ଅପେକ୍ଷା କରିଛନ୍ତି। ହେଲେ ଗ୍ରାମାଞ୍ଚଳରେ ଲୋକଙ୍କର ଆୟର ବିଭିନ୍ନ ଉତ୍ସ ରହୁଥିବାରୁ ପୂଜା ବଜାରରେ ଗ୍ରାମୀଣ ମାର୍କେଟ୍ କମ୍‌ ପ୍ରଭାବିତ ହୋଇପାରେ। ଯଦି ଗ୍ରାମୀଣ ମାର୍କେଟ୍ ଭଲ ରହିଲା ତେବେ ପୂଜା ବଜାରରେ ଆମ ଫୋକସ୍ ସହର ଅପେକ୍ଷା ଗାଁରେ ଅଧିକ ରହିବ। ମୁଖ୍ୟତଃ ଗ୍ରାମାଞ୍ଚଳ ଲୋକ ଆସୁଥିବା ବଜାରଗୁଡ଼ିକରେ ଅଧିକ ଅଫର୍ ଦେବୁ। ଏନେଇ ମାର୍କେଟିଂ କରିବାକୁ ବି ଯୋଜନା ହେଉଛି।

ସ୍ପେକ୍ଟ୍ରା ଭିଜନ୍‌ର ସତ୍ତ୍ବାଧିକାରୀ ଦେବରାଜ ରଥ କହିଛନ୍ତି ଯେ, ଏବେ ସାବୁନ୍, ତେଲ, ବିସ୍କୁଟ ବଜାରରେ ମାନ୍ଦାବସ୍ଥା ପ୍ରଭାବ ଜୋର୍ ପଡ଼ିଲାଣି। ଲୋକମାନେ ଏହି ସାମଗ୍ରୀ କିଣିବାକୁ ଭାବୁଛନ୍ତି। ଏଭଳି ସ୍ଥିତିରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବାକୁ ଲୋକ କେତେ ଥର ଭାବୁଥିବେ ତାହା ଜାଣି ହେଉଛି। ମାନ୍ଦାବସ୍ଥା ଯୋଗୁଁ ବଡ଼ ବଡ଼ କମ୍ପାନି ଜୋରଦାର୍ ଛଟେଇ କରୁଥିବାରୁ ସହରାଞ୍ଚଳରେ ରହୁଥିବା ବେସରକାରୀ ସଂସ୍ଥା କର୍ମଜୀବୀ ଇଏମ୍‌ଆଇ ନଦେଇପାରିବା ଭୟରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବାକୁ ମନ ବଳାଉନାହାନ୍ତି। ପୂଜାର ୧୫-୨୦ ଦିନ ପୂର୍ବରୁ ଲୋକ ବଜାର ବୁଲିବା ଆରମ୍ଭ କରନ୍ତି। ବୋନସ୍ ପାଇଲେ କ’ଣ କିଣିବେ ତା’ର ମୂଲଚାଲ କରନ୍ତି। କିନ୍ତୁ ଏବେ ଦୋକାନରେ ଏହିଭଳି ଗ୍ରାହକଙ୍କ ଦେଖା ମିଳୁନି। ମାର୍କେଟ୍ ଇନକ୍ବାରି ନାହିଁ। ସମସ୍ତେ ସତର୍କତାର ସହ ମାର୍କେଟିଂ କରିବାକୁ ଚାହୁଁଛନ୍ତି। ଅପରପକ୍ଷେ ଭୁବନେଶ୍ବର ବଜାରରେ ବଡ଼ ରିଟେଲ୍‌ ବ୍ୟବସାୟୀମାନେ ପଶିବା ଏବଂ ଅନଲାଇନ୍ ସପିଂ ଚାହିଦା ବଢ଼ିବାରୁ ମାନ୍ଦାବସ୍ଥା ପ୍ରଭାବ ଅଧିକ ଅନୁଭବ ହେଉଛି। ଏଥର ଆମେ ପୂର୍ବ ବର୍ଷଗୁଡ଼ିକର ପୂଜା ଭଳି ଅଧିକ ପୁଞ୍ଜି ଖଟାଇବାକୁ ଭୟ କରୁଛୁ।

ସେହିପରି ସ୍ମାର୍ଟ ଫୋନ୍ ବଜାରରେ ବି ମାନ୍ଦାବସ୍ଥା ମାଡ଼ ଦେଖିବାକୁ ମିଳିଛି। ହିନ୍ଦୁସ୍ତାନ ଇଲେକ୍ଟ୍ରୋନିକ୍ସର ସତ୍ତ୍ବାଧିକାରୀ ଜିତେନ୍ଦ୍ର ହଂସ କହିଛନ୍ତି ଯେ, ମୋବାଇଲ୍‌ ବଜାରରେ ବିକ୍ରି ୫୦% କମିଛି। କିଛି ଦିନ ହେଲା ଏହି ସ୍ଥିତି ଲାଗି ରହିଛି। ସରକାର ବ୍ୟବସ୍ଥାରେ ପରିବର୍ତ୍ତନ ନକଲେ ନିକଟ ଭବିଷ୍ୟତରେ ବିକ୍ରିରେ ଉନ୍ନତି ପରିଲକ୍ଷିତ ହେବା ଆଶା କମ୍‌। ପୂଜା ବଜାରରେ ବର୍ତ୍ତମାନ ତୁଳନାରେ ଯାହା କିଛି ସୁଧାର ଆ‌ସିପାରେ, କିନ୍ତୁ ପୂର୍ବଭଳି ହେବନି। ମାନ୍ଦାବସ୍ଥାର ପ୍ରଭାବ ଗ୍ରାମୀଣ ବଜାର ଉପରେ ବିଶେଷ ପଡ଼ିବନି ବୋଲି ଭାବୁଛୁ। କିନ୍ତୁ ସହରାଞ୍ଚଳ‌େର ବିକ୍ରି ଭଲ ହେବନି। କାରଣ ସହରାଞ୍ଚଳରେ ପ୍ରିମିୟମ ପ୍ରଡକ୍ଟ ବିକ୍ରି ହେଉଛି। ଏଠାରେ ଲୋକ ଇଏମ୍‌ଆଇରେ ଜିନିଷ କିଣିବାକୁ ପସନ୍ଦ କରନ୍ତି। ଚାକିରି ଛଟେଇ, ସୁଧ ହାର ଅଧିକ ରହିଥିବାରୁ ଲୋକ ଇଏମ୍‌ଆ‌ଇରେ ଜିନିଷ କିଣିବାକୁ ପସନ୍ଦ କରୁନାହାନ୍ତି।

ଗତ କିଛି ମାସ ହେଲା ରିଅଲ୍‌ ଇଷ୍ଟେଟ୍ ବଜାରରେ କିଛି ମାତ୍ରାରେ ସୁଧାର ଆସିଥିଲେ ହେଁ ଏଥର ପୂଜା ବଜାରରେ ବହୁତ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଯେତିକି ଘର ଅଛି ତାହାକୁ ଲୋକ କିଣିବା ପାଇଁ ବୁକିଂ କରିବେ। କିନ୍ତୁ ପୁଞ୍ଜି ଖଟାଇ ନୂଆ ପ୍ରକଳ୍ପ କରିବାକୁ ଥିବା ବ୍ୟବସାୟୀ ବଜାର ସ୍ଥିତି ସୁଧୁରିବାକୁ ଅପେକ୍ଷା କରିବେ। ଯେଉଁମାନେ ଘର କିଣିବାକୁ ଆଗ୍ରହୀ ଥିବେ ସେମାନେ ମାନ୍ଦାବସ୍ଥାର ପ୍ରଭାବ ସେମାନଙ୍କ ଉପରେ କେତେ ପଡ଼ିବ ତାହାକୁ ଆକଳନ କରି ଘର ବୁକିଂ କରିବେ। ତେଣୁ ରିଅଲ ଇଷ୍ଟେଟ୍ ମାର୍କେଟ୍ ମାନ୍ଦାବସ୍ଥା ଯୋଗୁଁ ବେଶ୍ ପ୍ରଭାବିତ ନହେଲେ ବି ଅତ୍ୟନ୍ତ ଉତ୍ସାହଜନକ ରହିବନି ବୋଲି କହିଛନ୍ତି କ୍ରେଡାଇର ଅଧ୍ୟକ୍ଷ ଡି.ଏସ୍‌ ତ୍ରିପାଠୀ।

ଶିବମ୍‌ ହୋଣ୍ଡାର ମାଲିକ ରୁଦ୍ର ସାମନ୍ତରାୟ କହିଛନ୍ତି ଯେ ଏବେ ବାଇକ୍‌ ଓ କାର୍‌ ବିକ୍ରି ପ୍ରାୟ ୨୫% କମିଛି। ହେଲେ ଆମେ ବର୍ଷିକିଆ ଟାର୍ଗେଟ୍‌ ରଖି ଗାଡ଼ି ବିକ୍ରି କରୁଥିବାରୁ ଦଶହରାରେ ଅଧିକ ଗାଡ଼ି ବିକ୍ରି କରିିବାକୁ ଯୋଜନା କରିଛୁ। ସେଥିପାଇଁ ଭଲ ଲୋଭନୀୟ ଅଫର୍‌ ଦେବା ସହ ନୂଆ ମାର୍କେଟିଂ ରଣନୀତି କରୁଛୁ।

ସହିଦନଗର ପୂଜା କମିଟିର ସମ୍ପାଦକ ନାରାୟଣ ମହାପାତ୍ରଙ୍କ କହିବାନୁଯାୟୀ, ଏଥର ପୂଜା ମାନ୍ଦାବସ୍ଥା ଦ୍ବାରା ପ୍ରଭାବିତ ହେବ। ତୋରଣ, ସାଜସଜ୍ଜା ଉପରେ ଏହା ପଡ଼ିବ। ଆମେ ବିଭିନ୍ନ କାମ ପାଇଁ ଖର୍ଚ୍ଚ କାଟ କରିଛୁ।

କେବଳ ପୂଜା ମାର୍କେଟ୍‌, ଇଲେକ୍ଟ୍ରୋନିକ୍ସ, ରିଅଲଇଷ୍ଟେଟ୍, ମୋବାଇଲ୍‌ ମାର୍କେଟ୍‌ରେ ମାନ୍ଦାବସ୍ଥା ପ୍ରଭାବ ପଡ଼ିନି। କପଡ଼ା ମାର୍କେଟ୍‌, ଫର୍ଣ୍ଣିଚର୍ ମାର୍କେଟ୍‌ ଆଦିରେ ଏହାର ପ୍ରଭାବ ପଡ଼ିଛି।

ସମ୍ବନ୍ଧିତ ଖବର