ଗଣଶିକ୍ଷା ବିଭାଗରେ ‘୫-ଟି’ କେବେ: ଓପ‌ାଫ

ନାଲିଫିତା ତଳେ ଫି’ ରେଗୁଲେସନ କମିଟି ରିପୋର୍ଟ

ଭୁବନେଶ୍ୱର: ଘରୋଇ ବିଦ୍ୟାଳୟଗୁଡ଼ିକରେ ମନମୁଖି କାର୍ଯ୍ୟକଳାପ ଚାଲିଥିବା ବେଳେ ଗଣଶିକ୍ଷା ବିଭାଗର ସେଥିପ୍ରତି ନିରବତା ଓ ସିବିଏସ୍ଇର ସ୍ଥାଣୁତା ନେଇ ଅର୍ଗାନାଇଜେସନ୍ ଅଫ୍ ପ୍ୟାରେଣ୍ଟ ଆସୋସିଏସନ୍ ଫୋରମ୍ (ଓପାଫ) ଉଦ୍‌ବେଗ ପ୍ରକାଶ କରିଛି। ବିଦ୍ୟାଳୟର ଗୁଣାତ୍ମକ ମାନ ବୃଦ୍ଧି, ବିଭାଗ ମଧ୍ୟରେ ସମନ୍ୱୟ ସ୍ଥାପନ ସହ ବେସରକାରୀ ବିଦ୍ୟାଳୟକୁ ନିୟନ୍ତ୍ରଣ ପାଇଁ ଏକ ସ୍ୱତନ୍ତ୍ର ଆଇନ୍ ଆଣିବାକୁ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। କୁହାଯାଇଛି ଯେ ଓଡ଼ିଶା ଶିକ୍ଷା ଆଇନ-୧୯୬୯ରେ ପରିବର୍ତ୍ତନ ପାଇଁ ବାରମ୍ବାର ଦାବି କରାଯାଉଛି। ତେବେ ଓପାଫ୍‌ର ଦାବିକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ୨୦୧୮ ମାର୍ଚ୍ଚ ୭ରେ ଏକ ଫି’ ରେଗୁଲେସନ୍ କମିଟି(ଏଫ୍‌ଆରସି) ଗଠନ କରିଥିଲେ। ତେବେ ତାହା ଏବେ ଫାର୍ସରେ ପରିଣତ ହୋଇଛି। ଆରଟିଆଇରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୮ ସେପ୍ଟେମ୍ବର ୧୫ରେ ଏଫ୍ଆର୍‌ସି କମିଟି ସୁପାରିସ ଦେବା ପରେ ନଭେମ୍ବର ୧ ସୁଦ୍ଧା ମାଧ୍ୟମିକ ଶିକ୍ଷା ନିର୍ଦେଶକ ଏହା ଉପରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ କୁହାଯାଇଥିଲା। ଏନ୍‌ସିପିସିଆର ତଥା ଅନ୍ୟାନ୍ୟ ନିୟମକୁ ଉଲ୍ଲେଖ କରି ୨୦୧୮ ନଭେମ୍ବର ୧୪‌ରେ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ରିପୋର୍ଟ ପଠାଯାଇଥିଲା। ତାହା ଏବେ ନାଲିଫିତା ତଳେ ବନ୍ଧା ହୋଇପଡ଼ିଛି। ଏହାକୁ ଲାଗୁ ନ କରି ୨୦୧୮ ଡିସେମ୍ବର ୬ରେ ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ବିଦ୍ୟାଳୟଗୁଡ଼ିକର ତାଲିକା ପ୍ରକାଶ କରାଯାଇଥିଲା।

ରାଜ୍ୟରେ ୫୭୭୯ଟି ଘରୋଇ ବିଦ୍ୟାଳୟ ଥିଲାବେଳେ ମାତ୍ର ୨୯୧ଟି ଏନ୍ଓସି/ସିଓଆର ପାଇଥିବା ସେତେବେଳେର ମନ୍ତ୍ରୀ କହିଥିଲେ। ଏଫ୍‌ଆରସିର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସରକାର ଆଉ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏଫ୍ଆରସି କମିଟିର ତଥ୍ୟ ପ୍ରକାଶିତ ନ ହେବା ଉଚ୍ଚସ୍ତରୀୟ କମିଟି ଗଠନର ବିବରଣୀ ଦିଆ ନ ଯିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି ବୋଲି ଓପାଫ୍‌ ଅଭିଯୋଗ କରିଛି। ସେମାନେ ଅଭିଯୋଗ କରି କହିଛନ୍ତି, ଗୋଟିଏ ପଟେ ବେସରକାରୀ ବିଦ୍ୟାଳୟଗୁଡ଼ିକ ସହିତ ଭିତିରି ମେଣ୍ଟ ହୋଇଥିବା ବେଳେ ଅନ୍ୟପଟେ ଅଭିଭାବକମାନଙ୍କୁ ଏନ୍ଓସି ଆଳରେ ଡର ଦେଖାଯାଉଛି। ତେଣୁ ଯେଉଁ ବିଦ୍ୟାଳୟଗୁଡ଼ିକ ଏନ୍ଓସି/ସିଓଆର ନ ଥାଇ ଚାଲୁଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ନୂଆ ଆଡ୍‌ମିସନକୁ ବାରଣ କରାଯିବା ଦରକାର। ଏନ୍‌ସିଇଆରଟି ବହି ପ୍ରବଚଳକୁ ବାଧ୍ୟତାମୂଳକ କରାଯାଉ। ଯେଉଁ ବିଦ୍ୟାଳୟ ନିୟମ ଅନୁଯାୟୀ ଯୋଗ୍ୟ ନୁହନ୍ତି, ସେଗୁଡ଼ିକୁ ସରକାର ନିଜ ହାତକୁ ନିଅନ୍ତୁ। ଏଥିସହ ‘୫-ଟି’ର ସ୍ଲୋଗାନକୁ ଗଣଶିକ୍ଷା ବିଭାଗରେ କାର୍ଯ୍ୟକାରୀ କରି ନୂଆ ରେଗୁଲେସନ୍ ଆଇନ ଅଣାଯାଉ ବୋଲି ଓପାଫର ଉପଦେଷ୍ଟା ସାମ୍ବାଦିକ ରବି ଦାସ, ସଭାପତି ଡ ଗଗନ ବିହାରୀ ରାଉତ, କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ, ଉପସଭାପତି ମଧୁସୂଦନ ବିଶ୍ୱାଳ, ସମ୍ପାଦକ ମୀତାରାଣୀ ସାହୁ, ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର