ବାହାରେ ଭକ୍ତଙ୍କ ଗହଳି, ଭିତରେ ଠାକୁର ଏକା: ମଧ୍ୟରାତ୍ରିରେ ଜନ୍ମ ନେଲେ ଭଗବାନ ଶ୍ରୀକୃଷ୍ଣ

ଭୂବନେଶ୍ବର: ଶ୍ରୀକୃଷ୍ଣଙ୍କ ନାମ ଓ ସଂକୀର୍ତ୍ତନରେ ଉଛୁଳୁଥିଲା ମନ୍ଦିର ବାହାର ଓ ଭିତର। ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିଲେ ବି ଜନ୍ମଦିନରେ ପ୍ରଭୁଙ୍କୁ ଟିକେ ଆଖି ପୂରାଇ ଦେଖିନେବାକୁ ଭକ୍ତ ଛୁଟିଥିଲେ ମନ୍ଦିର ଆଡ଼କୁ। କିନ୍ତୁ କରୋନା ସମୟରେ ଗହଳି ନ କରିବା ଲାଗି ପ୍ରଶାସନର କଟକଣା ଥିବାରୁ ଅନେକଙ୍କ ଆ‌ଶା ଆଶାରେ ରହି ଯାଇଥିଲା। ଆଉ ବିନା ଭକ୍ତରେ ଏବଂ ବିନା ଆଡ଼ମ୍ବରରେ ଆଜି ରାଜଧାନୀର ଇସ୍କନ ମନ୍ଦିର ଓ ରାମ ମନ୍ଦିର ଭଳି ବଡ଼ବଡ଼ ମନ୍ଦିରରେ ପାଳିତ ହୋଇଥିଲା ପବିତ୍ର ଜନ୍ମାଷ୍ଟମୀ। ଆସନ୍ତାକାଲି ନନ୍ଦୋତ୍ସବରେ ଭକ୍ତମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିପାରିବେ।

ସକାଳୁ ସକାଳୁ ମନ୍ଦିରଗୁଡ଼ିକରେ ଆରମ୍ଭ ହୋଇଯାଇଥିଲା ରୀତିନୀତି। ପାରମ୍ପରିକ ବିଧିବିଧାନରେ କେବଳ ମନ୍ଦିର‌ର ପୁରୋହିତ, ସେବାୟତ ଓ କର୍ମଚାରୀ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ସେହିପରି ମଧ୍ୟରାତ୍ରିରେ ମଧ୍ୟ ଭକ୍ତଙ୍କ ବିନା ଗହଳିରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥିଲା। ଇସ୍କନ ମନ୍ଦିରରେ ଦିନ ସାରା ଭଜନକୀର୍ତ୍ତନ ଚାଲିଥିଲା। ଭକ୍ତଙ୍କୁ ମନ୍ଦିର ପ୍ରବେଶ ନି‌ଷେଧ ଥିବାରୁ ଇସ୍କନ ପରିସରରେ ଥିବା ଭକ୍ତ ଓ କର୍ମଚାରୀଙ୍କୁ ନେଇ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳିତ ହୋଇଥିଲା। ସକାଳ ୪.୧୫ରୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ନେଇ ରୀତିନୀତି ଆରମ୍ଭ ହୋଇଯାଇଥିଲା। ଭୋର୍‌ ସାଢ଼େ ୪ଟାରେ ମଙ୍ଗଳ ଆଳତି, ସକାଳ ସାଢ଼େ ୭ରେ ଦର୍ଶନ ଆଳତି ଗୁରୁ ପୂଜା, ୮ଟା ବେଳକୁ ଦର୍ଶନ ଆଳତି ହୋଇଥିଲା। ସାଢ଼େ ୧୧ଟାରେ ପହୁଡ଼ ପଡ଼ି ଅପରାହ୍‌ଣ ସାଢ଼େ ୪ଟା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିଥିଲା। ସଂଧ୍ୟାରେ ମନ୍ଦିର ଖୋଲିବା ପରେ ସଂଧ୍ୟା ଆଳତି ଓ ଭଜନ କୀର୍ତ୍ତନ ପରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ମଧ୍ୟରାତ୍ରିରେ ଅର୍ଥାତ୍‌ ରାତି ୧୨ଟାରେ ଅଭିଷେକ ଆରମ୍ଭ ହୋଇଥିଲା ଓ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରି ଆସିଥିଲେ। ଭକ୍ତମାନେ ଏହା ପରେ ଉପାସ ଭାଙ୍ଗି ପ୍ରସାଦ ସେବନ କରିଥିଲେ। ଏହି ଅବସରରେ ଶ୍ରୀକୃଷ୍ଣଙ୍କୁ ଫଳ ଭୋଗ ଅର୍ପଣ କରାଯିବା ସହ ବହୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା।

ସେହିପରି ରାମ ମନ୍ଦିରରେ ମଧ୍ୟ ଭକ୍ତଙ୍କୁ ମନ୍ଦିର ପ୍ରବେଶର ଅନୁମତି ନଥିଲା। ପ୍ରତିବର୍ଷ ଭକ୍ତଙ୍କ ପାଇଁ ହେଉଥିବା ସ୍ବତନ୍ତ୍ର ପ୍ରସାଦ ଓ ଭୋଗଥାଳିର ବ୍ୟବସ୍ଥା ନଥିଲା। କିନ୍ତୁ ରାମମନ୍ଦିରର ଜନ୍ମାଷ୍ଟମୀ ସ୍ବତନ୍ତ୍ର ଧନିଆ ପଞ୍ଜୁରୀ ଭୋଗ ଭକ୍ତମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଆସନ୍ତାକାଲି ଭକ୍ତ ଦର୍ଶନ ସାରି ଏହି ପ୍ରସାଦ ସେବନ କରିପାରିବେ। ଏନେଇ ମନ୍ଦିର ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ସକାଳେ ମନ୍ଦିରରେ ଯେପରି ନିତ୍ୟ ପୂଜା ହୁଏ, ଆଜି ବି ସେଭଳି ହୋଇଥିଲା। ଭୋର ସାଢ଼େ ୫ଟାରୁ ମଙ୍ଗଳଆଳତି, ୭ଟାରେ ଶୃଙ୍ଗାର ଆଳତି ଓ ୧୨ଟାରୁ ଭୋଗ ଆଳତି ହୋଇ ମନ୍ଦିର ବନ୍ଦ ହୋଇଥିଲା। ଅପରାହ୍‌ଣ ସାଢ଼େ ୪ଟାରେ ମନ୍ଦିର ଖୋଲିବା ପରେ ସଂଧ୍ୟା ୭ଟାରେ ସଂଧ୍ୟା ଆଳତି ଏବଂ ରାତି ୧୦ଟାରୁ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି କାର୍ଯ୍ୟକ୍ରମ ଓ ଭଜନ କୀର୍ତ୍ତନ ଆରମ୍ଭ ହୋଇଯାଇଥିଲା। ରାତି ୧୨ଟାରେ ଅଭିଷେକ ଓ ପୁଷ୍ପାଞ୍ଜଳି ଭିତରେ ଭଗବ‌ାନ ଶ୍ରୀକୃଷ୍ଣଙ୍କୁ ସମସ୍ତେ ଧରାପୃଷ୍ଠକୁ ସ୍ବାଗତ କରିଥିଲେ।

ସମ୍ବନ୍ଧିତ ଖବର