ରାଜଧାନୀରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ୧୬୦ ପିଲାଙ୍କୁ ଜଣେ ଶିକ୍ଷକ

ଭୁବନେଶ୍ବର: ୧୬୦ରୁ ଅଧିକ ପିଲା। ମାତ୍ର ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ଦୁଇଜଣ ଶିକ୍ଷକ ରହିଛନ୍ତି। ଜଣେ ଶିକ୍ଷକ ସପ୍ତାହର ୬ଦିନ ପଢ଼ାଇବାକୁ ଆସୁଛନ୍ତି। ଆଉ ଜଣେ ସପ୍ତାହରେ ମାତ୍ର ତିନି ଦିନ ବିଦ୍ୟାଳୟକୁ ଆସୁଛନ୍ତି। ବାକି ତିନି ଦିନ ଜଣେ ଶିକ୍ଷକରେ ଚାଲିଛି ପ୍ରଶାନ୍ତିବିହାରସ୍ଥିତ ବିଜୁ ପଟ୍ଟନାୟକ ମେମୋରିଆଲ୍‌ ହାଇସ୍କୁଲ। ନବମ ଓ ଦଶମ ଶ୍ରେଣୀରେ ଶତାଧିକ ଛାତ୍ରଛାତ୍ରୀ ରହିଥିବା ବେଳେ ସେମାନଙ୍କୁ ପଢ଼ାଇବା ପାଇଁ ଆବଶ୍ୟକ ଶିକ୍ଷକ/ଶିକ୍ଷୟିତ୍ରୀ ନାହାନ୍ତି। ଯାହାକୁ ନେଇ ଆଜି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ରାସ୍ତାକୁ ଓହ୍ଲାଇଲେ ବିଜୁ ପଟ୍ଟନାୟକ ମେମୋରିଆଲ୍‌ ହାଇସ୍କୁଲ ଛାତ୍ରଛାତ୍ରୀ

କର୍ପୋରେଟର୍‌ଙ୍କ ହସ୍ତକ୍ଷେପ ପରେ ଧାରଣାରୁ ଉଠିଲେ

ଧାରଣାରେ ବସିବା ସହ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି। ନ ହେଲେ ଆଗାମୀ ଦିନରେ କ୍ଲାସ ବନ୍ଦ କରାଯିବା ସହ ଦରକାର ପଡ଼ିଲେ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ଚାଲିଚାଲି ଯିବାକୁ ଚେତାବନୀ ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଉଛି ଯେ ପାଠ ପଢ଼ାଇବାକୁ ଦୁଇଜଣ ଶିକ୍ଷକ ରହିଛନ୍ତି। ଜଣେ ଗଣିତ ପଢ଼ାଉଛନ୍ତି ତ ଆଉ ଜଣେ ସଂସ୍କୃତ। ଜଣେ ଶିକ୍ଷକ କେବଳ ୩ ଦିନ ଯଥା ଗୁରୁବାର, ଶୁକ୍ରବାର ଓ ଶନିବାର ବିଦ୍ୟାଳୟକୁ ଆସନ୍ତି। ବାକି ତିନି ଦିନ ଜଣେ ଶିକ୍ଷକରେ ପାଠପଢ଼ା ଚାଲେ। ଦଶମ ପରୀକ୍ଷା ମୁଣ୍ଡ ଉପରେ ରହିଥିବା ବେଳେ ଗଣିତ ଓ ସଂସ୍କୃତ ବ୍ୟତୀତ ବାକି ବିଷୟର ବହି ଏପର୍ଯ୍ୟନ୍ତ ଖୋଲା ଯାଇନାହିଁ। କେବେ ପାଠପଢ଼ା ହେବ, କେମିତି ପରୀକ୍ଷା ଦେବୁ; ସେନେଇ ଆମେ ଚିନ୍ତାରେ। ଭିତ୍ତିଭୂମି ଠିକ୍‌ ନଥିବାରୁ ଆମେ ତଳେ ବସି ପରୀକ୍ଷା ଦେଉଛୁ। କ୍ଲାସରୁମ୍‌ ଅଭାବରୁ ବାହାରେ ବସି ପରୀକ୍ଷା ଦେବାକୁ ପଡ଼ୁଛି। ଏନେଇ ଆମେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ବି ଶୁଣୁନାହାନ୍ତି।

ଶିକ୍ଷକ ଦିଆଯିବ ବୋଲି ସମସ୍ତେ କହୁଛନ୍ତି, ମାତ୍ର ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ନାହିଁ। ଯେପର୍ଯ୍ୟନ୍ତ ଶିକ୍ଷକ ନ ଆସିଛନ୍ତି ସେପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ସେମାନେ ଜିଦି ଧରି ବସିଥିଲେ।

ପାଖାପାଖି ଦୁଇଘଣ୍ଟା ରାସ୍ତା ଉପରେ ଧାରଣାରେ ବସିବା ପରେ ସ୍ଥାନୀୟ କର୍ପୋରେଟର୍‌ ମିହିର କୁମାର ରାଉତ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ସମସ୍ୟା ବୁଝିବା ସହ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଫେରିବା ସହ କ୍ଲାସ୍‌ କରିଥିଲେ। ଏହାପରେ କର୍ପୋରେଟର୍‌ ଶ୍ରୀ ରାଉତଙ୍କ ନେତୃତ୍ବରେ ସ୍କୁଲ ପରିଚାଳନା କମିଟିର ଏକ ପ୍ରତିନିଧିଦଳ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ବିଧାୟକ ଶ୍ରୀ ରାଉତ ସମସ୍ୟା ଶୁଣିବା ସହ ଯେତେଶୀଘ୍ର ସମ୍ଭବ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର