ଆଦିଗୁରୁ ପଙ୍କଜ ଉତ୍ସବ: ନୃତ୍ୟରେ ରସ ପଞ୍ଚକ

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଜଗତର ଚିର ନମସ୍ୟ ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ସ୍ମୃତିରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ ପ୍ରଦାନ ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଆଦିଗୁରୁ ପଙ୍କଜ ଚରଣ ଦାସ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ନୃତ୍ୟ ଭିତ୍ତିକ ସନ୍ଧ୍ୟାରେ ଅଭିନୟ ଓ ନୃତ୍ୟରେ ଦର୍ଶକଙ୍କୁ ବିମୋହିତ କରିଥିଲେ ଶିଳ୍ପୀବୃନ୍ଦ। ଶିଳ୍ପୀ ଆକାଂକ୍ଷା କୁମାରୀ ନୃତ୍ୟରେ ‘ରସ ପଂଚକ’ ପରିବେଷିତ କରିଥିଲେ। ପରେ ‘ନାଚନ୍ତି ରଙ୍ଗେ ଶ୍ରୀହରି’ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ ଚିରଶ୍ରୀ ରାୟ। ତାଙ୍କ ପରେ ଏସ୍‌ ଶ୍ରୀବାସ୍ତବ ‘ଲଳିତା ଲବଙ୍ଗ ଲତା.. ଗୀତରେ ନୃତ୍ୟାଭିନୟ ପ୍ରଦର୍ଶନ କରିଥିଲେ। ଆମେରିକାରୁ ଆସିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ମୋରିଆ ଚାପେଲ୍‌ ସ୍ଥାୟୀ ନୃତ୍ୟ ପରିବେଷଣ କରିଥିବା ବେଳେ ଗୌରୀଶଙ୍କର ତ୍ରିପାଠୀ ଶିବାଷ୍ଟକମ୍‌ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନୋରଂଜନ କରିଥିଲେ। ଏହି ଅବସରରେ ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ୍‌ ଏୟାର୍‌ପୋର୍ଟର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା, ପାରାଦୀପ ଇଫ୍‌କୋର ମୁଖ୍ୟ ପରିଚାଳକ ଜି.ସି ଆଚାର୍ଯ୍ୟ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସଭାପତି ବଟକୃଷ୍ଣ ତ୍ରିପାଠୀ, ନିର୍ଦ୍ଦେଶକ ଶରତ ଦାସ ପରିଚାଳନା କରିଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର