ତୃତୀୟ ଦିନରେ ଏଇଆରବିର ଚଢ଼ଉ ଜାରି

ରାଜଧାନୀର ୪ ଡାଏଗ୍ନୋଷ୍ଟିକ୍‌ ସେଣ୍ଟର୍‌ରେ ଯାଞ୍ଚ, ୩ ମେସିନ୍‌ ସିଲ୍‌

ଭୁବନେଶ୍ୱର : ଆଟମିକ ଏନର୍ଜି ରେଗୁଲେଟୋରି ବୋର୍ଡ ବା ଏଇଆରବି ପକ୍ଷରୁ ଆଜି ତୃତୀୟ ଦିନରେ ଯାଞ୍ଚ ଜାରି ରହିଛି। ଗତକାଲି ଭଳି ଆଜି ମଧ୍ୟ ଭୁବନେଶ୍ୱର ଓ କଟକରେ ଥିବା ବିଭିନ୍ନ ଡାଏଗ୍ନୋଷ୍ଟିକ୍‌ ସେଣ୍ଟରଗୁଡ଼ିକରେ ଯାଞ୍ଚ କରାଯାଇଥିଲା। କଟକରେ ୬ଟି ଡାଏଗ୍ନୋଷ୍ଟିକ୍‌ ସେଣ୍ଟର ଓ ଭୁବନେଶ୍ୱରରେ ୪ଟି ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ ଯାଞ୍ଚ କରାଯାଇଛି। ଭୁବନେଶ୍ୱରେ ୪ଟି ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ ଥିବା ୩ଟି ମେସିନ୍‌କୁ ସିଲ୍‌ କରାଯାଇଥିବା ବେଳେ ୩ଟି ମେସିନ୍‌ ପାଇଁ ସଂପୃକ୍ତ ସଂସ୍ଥାକୁ ତାଗିଦ୍‌ କରାଯାଇଛି।

ଏଇଆରବି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଇଆରବିର ୩ ଜଣିଆ ଟିମ୍‌ ଆଜି ଭୁବନେଶ୍ୱର ୟୁନିଟ୍‌-୬ ଅଞ୍ଚଳରେ ଥିବା ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ ଯାଞ୍ଚ କରିଥିଲେ। ପ୍ରଥମେ ସେମାନେ ଆଶା କିରଣରେ ଯାଞ୍ଚ କରାଯାଇଥିବା ବେଳେ ସେଠାରେ ସମସ୍ତ ମେସିନ୍‌ ଠିକ୍‌ ଥିବା ଯାଞ୍ଚ ସମୟରେ ଜଣା ପଡ଼ିଥିଲା। କେବଳ ଗୋଟିଏ ଏକ୍ସରେ ମେସିନ୍‌ ପାଇଁ ସଂସ୍ଥାକୁ ତାଗିଦ କରାଯାଇଛି। ସେହିପରି ୟୁନିଟ୍‌-୬ ଅଞ୍ଚଳରେ ଥିବା ମଡର୍ଣ୍ଣ ହେଲ୍‌ଥ କେୟାରରେ ଯାଞ୍ଚ କରିଥିଲେ। ସେଠାରେ ଗୋଟିଏ ଓପିଜି ମେସିନ୍‌କୁ ସିଲ୍‌ କରାଯାଇଥିବା ବେଳେ ସିଟ-ସ୍କାନ୍‌ ମେସିନ୍‌ ପାଇଁ ତାଗିଦ କରାଯାଇଛି। ପରେ ଯାଞ୍ଚ ଦଳ ଗୀତା ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ ପହଞ୍ଚିଥିଲେ। ସେଠାରେ ଗୋଟିଏ ଏକ୍ସ-ରେ ମେସିନ୍‌କୁ ସିଲ୍‌ କରିଥିଲେ। ପରେ ସେମାନେ ବିବେକାନନ୍ଦ ଡାଏଗ୍ନୋଷ୍ଟିକ୍‌ର ଯାଞ୍ଚ କରିବା ସହିତ ସେଠାରେ ଥିବା ଏକ୍ସ-ରେ ମେସିନ୍‌ ପାଇଁ ସଂପୃକ୍ତ ସଂସ୍ଥାକୁ ତାଗିଦ କରିଥିବା ଜଣାପଡ଼ିଛି।

ଯାଞ୍ଚ ଦଳରେ ଏଇଆରବିର ସାଇଣ୍ଟିଫିକ ଅଧିକାରୀ ଡା.ଆରତୀ କୁଲକର୍ଣ୍ଣି(ଇ), ଡା.ରାଜୀବ ଲୋଚନ ସା ଓ ଅନିର୍ବାଣ ଜୈନ୍‌ ରହିଛନ୍ତି। ଗତକାଲି ଏହି ଯାଞ୍ଚ ଦଳ କ୍ୟାପିଟାଲ ହସ୍ପିଟାଲରେ ଯାଞ୍ଚ କରିବା ସହିତ ସି-ଏଆରଏମ୍‌, ରେଡିଓଗ୍ରାଫି, ଡେଣ୍ଟାଲ ଏକ୍ସ-ରେ ଓ ମାମୋଗ୍ରାଫି ସିଲ୍‌ କରିଥିବା ବେଳେ ସିଟି-ସ୍କାନ୍‌, କ୍ୟାଥ ଲ୍ୟାବ୍‌ ଓ ଏକ୍ସ-ରେ ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କୁ ତାଗିଦ କରିଥିଲେ।

ସମ୍ବନ୍ଧିତ ଖବର