ଏମ୍‌ସ ଅଙ୍କୋଲୋଜି ମୁଖ୍ୟଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସ ରେଡିଏସନ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଦିଲ୍ଲୀପ କୁମାର ପରିଡ଼ାଙ୍କୁ ତିରୁପତିସ୍ଥିତ ଭେଙ୍କଟେଶ୍ବର ମେଡିକାଲ ବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣ ପଦକ ପ୍ରଦାନ କରିଛି। କ୍ୟାନ୍‌ସର ରୋଗର ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୯-୨୦୨୦ ବର୍ଷ ଲାଗି ତାଙ୍କୁ ଏହି ସମ୍ମାନଜନକ ରେଡିଏସନ୍ ଅଙ୍କୋଲୋଜି ଚେୟାର ସ୍ବର୍ଣ୍ଣପଦକ ଓରେସନ୍ ପୁରସ୍କାର ମିଳିଛି। ଚଳିତବର୍ଷ ଇଂଲଣ୍ଡରୁ ପ୍ରକାଶିତ ନିଉ ଇଂଲଣ୍ଡ ଜର୍ଣ୍ଣାଲ୍ ଅଫ୍ ମିଡିଆରେ ସେ ଲେଖିଥିବା ଟବାକୋ ଡେଥ୍ ଇନ୍ ଇଣ୍ଡିଆ ସନ୍ଦର୍ଭଟି ଉଚ୍ଚ ପ୍ରଶଂସିତ ହୋଇଛି। ସେହିଭଳି ମାଇକୋସିସ୍ ଫଙ୍ଗୋଇଡ୍ସ ଚିକିତ୍ସା କ୍ଷେତ୍ରରେ ତାଙ୍କର ଗବେଷଣା ମେଡିକାଲ୍ ସାଇନ୍ସ ପାଇଁ ବହୁ ଉପାଦେୟ ସାବ୍ୟସ୍ତ ହୋଇଥିବାରୁ ବିଶ୍ବବିଦ୍ୟାଳୟ ତାଙ୍କୁ ଏହି ସମ୍ମାନଜନକ ପଦକ ପାଇଁ ମନୋନୀତ କରିଥିଲା। ଭୁବନେଶ୍ବର ଏମ୍‌ସରେ ଏକ କ୍ୟାନ୍‌ସର ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଥିବା ପ୍ରଫେସର ପରିଡ଼ା ଜାପାନ, ଜର୍ମାନ୍, ଡେନମାର୍କ, ଅଷ୍ଟ୍ରିଆ ଓ ଅଷ୍ଟ୍ରେଲିଆ ଭଳି ଦେଶର ପ୍ରତିଷ୍ଠିତ କ୍ୟାନ୍‌ସର ଉତ୍କର୍ଷ କେନ୍ଦ୍ରରେ ଉଚ୍ଚ ପ୍ରଶିକ୍ଷଣ ନେଇସାରିଛନ୍ତି।

ସମ୍ବନ୍ଧିତ ଖବର