‘ଆଜାଦି କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ‘ଆମ ଲୋକକଳା, ଆମ ସଂସ୍କୃତି’: ମନ ମୋହିଲା ପାଇକ ଆଖଡ଼ା

ଭୁବନେଶ୍ବର: ମହିଳାମାନଙ୍କ ପାଇକ ଆଖଡ଼ା ପ୍ରଦର୍ଶନରେ ଦୁଲୁକି ଉଠୁଥିଲା ରବୀନ୍ଦ୍ର ମଣ୍ଡପ ମଞ୍ଚ। ଏହି ପାଇକ ରଣକୌଶଳକୁ ନିଖୁଣ ଭାବେ ପରିବେଷଣ କରି ଦର୍ଶକଙ୍କୁ ବିଭୋର୍‌ କରୁଥିଲେ ଖୋର୍ଧାର କିଛି ମହିଳା। ଏଥିସହ ମୟୂରଭଞ୍ଜର ଛଉ ନୃତ୍ୟ ଦର୍ଶକଙ୍କୁ ବେଶ୍‌ ଆତ୍ମବିଭୋର କରିଥିଲା। ଲୋକକଳାର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ପ୍ରତ୍ୟେକ ମାସର ଗୋଟିଏ ଦିନରେ ଆୟୋଜିତ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଏଥର ସ୍ବାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ସମର୍ପିତ ଥିଲା।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ମାସରେ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।

ଏ ବର୍ଷ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ଆୟୋଜିତ ହେଉଥିବା ‘ଆଜାଦି କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ଏହାକୁ ସ୍ମରଣୀୟ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମକୁ ବିଭାଗୀୟ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସ୍ୱତନ୍ତ୍ର ଶାସନ ସଚିବ ରାମକୃଷ୍ଣ ସାହୁ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ ଲୋକକଳା ମହାସଂଘ ଉପସଭାପତି ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଖୋର୍ଧାର ମହିଳା ପାଇକ ଆଖଡ଼ା ଓ ମୟୂରଭଞ୍ଜର ଛଉ ନୃତ୍ୟ କଳାକାରଙ୍କ ଦ୍ୱାରା ପରିବେଷିତ କାର୍ଯ୍ୟକ୍ରମଟି ବେଶ୍‌ ମନଲୋଭା ହୋଇଥିଲା। କରୋନା କଟକଣା ମାନି ସ୍ୱଳ୍ପ ଦର୍ଶକଙ୍କୁ ନେଇ ଆୟୋଜିତ ହେଇଥିବା ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଘରେ ବସି ଦର୍ଶକ ବିଭାଗର ଅଫିସିଆଲ୍ ଫେସ୍‌ବୁକ୍ ପେଜ୍ ଓ ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିଥିଲେ। ଶେଷରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର