ବର୍ଷରେ ୭୮ ହଜାର ନେଇଛନ୍ତି ଏମ୍‌ସ ଟେଲିମେଡିସିନ ସେବାର ଲାଭ

ଓପିଡି ଖୋଲିବା ପରେ ଆଦୃତ ହେଲାନି, କରୋନା ସ୍ଥିତିରେ ଲାଭ ଉଠାଇବାକୁ ପରାମର୍ଶ

ଭୁବନେଶ୍ବର : ଏମ୍‌ସ ଓପିଡିର ୮୦ ପ୍ରତିଶତ ରୋଗୀଙ୍କ ଡାକ୍ତରଖାନାକୁ ଆସିବାର ଆବଶ୍ୟକତା ନାହିଁ। ଟେଲିମେଡିସିନ ସେବା ଜରିଆରେ ଏମ୍‌ସ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପାରିବେ। ଡାକ୍ତରଖାନାରେ ବଢୁଥିବା ଭିଡ଼, କରୋନା ଦ୍ବିତୀୟ ଲହରି ଆରମ୍ଭ ହୋଇଥିବାରୁ ଏହି ସେବାର ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତରଖାନା ପ୍ରଶାସକ ଡ.ଜବାହାର ଏସ‌୍‌କେ ପିଲାଇ। ଏହା ଜରିଆରେ ଏପ୍ରିଲ ୨୦୨୦ରୁ ମାର୍ଚ ୩୦ ତାରିଖ ସୁଦ୍ଧା ସମୁଦାୟ ୭୮ ହଜାର ୯୬୪ ଜଣ ଏହାର ସୁବିଧା ନେଇଛନ୍ତି। ଏଥିରୁ ୬୪ ହଜାର ୨୦୭ ଟେଲିଫୋନ, ୧୪ ହଜାର ୭୫୭ ସ୍ବାସ୍ଥ୍ୟ ଆପ୍‌ର ସୁବିଧା ନେଇଛନ୍ତି। ତେବେ ଓପିଡି ଖୋଲିବା ପରେ ଜାନୁଆରି ମାସରୁ ପୂର୍ବଭଳି ଏହାର ଲାଭ ନେଉ ନାହାନ୍ତି ରୋଗୀ।

ଏମ୍‌ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୨୦୨୦ ମସିହା ଲକଡାଉନ ଯୋଗୁଁ ଓପିଡି ବନ୍ଦ ହେବା ପରେ ଏପ୍ରିଲ ମାସରୁ ଆରମ୍ଭ ହୋଇଥିଲା ଟେଲି ମେଡିସିନ ସେବା। ଏ ସଂକ୍ରାନ୍ତରେ ଆବଶ୍ୟକ ଉପକରଣ ଡାକ୍ତରଖାନାରେ ଉପଲବ୍ଧ ନ ଥିବାରୁ ଏହି ସେବାର କାର୍ଯ୍ୟକ୍ଷମ ହେବା ନେଇ ପ୍ରଥମେ ସନ୍ଦେହ ପ୍ରକାଶ ପାଉଥିଲା। ୨୭ ବିଶେଷଜ୍ଞ ଯଥା ମେଡିସିନ, ସର୍ଜରି, ସ୍ତ୍ରୀ-ପ୍ରସୂତି, ଶିଶୁ, ଚର୍ମ, ଇଏନଟି, ହୃଦରୋଗ, ଅସ୍ଥିଶଲ୍ୟ, ଶ୍ବାସରୋଗ (ପଲମୋନାରି), ୟୁରୋଲୋଜି , ନେଫ୍ରୋଲୋଜି, ମାନସିକ ରୋଗ, ପାକକ୍ରିୟା-ପେଟରୋଗ (ଗ୍ୟାଷ୍ଟ୍ରୋ), ଗ୍ୟାଷ୍ଟ୍ରୋ ସର୍ଜରି, ଚକ୍ଷୁ ବିଭାଗ, ଏଣ୍ଡୋକ୍ରାଇନୋଲୋଜି, ଶିଶୁ, ଦନ୍ତରୋଗ, ହୃଦଶଲ୍ୟ ବିଭାଗ, ନବଜାତ ଶିଶୁ, ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ, ସ୍ନାୟୁଶଲ୍ୟ, ସ୍ନାୟୁ, ରକ୍ତ କର୍କଟ, କର୍କଟ, ପିଏମ୍‌ଆର, କରୋନା ସମସ୍ୟା ପାଇଁ ଡାକ୍ତରଙ୍କ ହ୍ବାଟ୍ସଆପ୍‌ ନମ୍ବର ଜାରି ହୋଇଥିଲା। ଲକ୍‌ଡାଉନ୍‌ ସମୟରେ ଏପ୍ରିଲ ମାସରେ ୩୧୪୮, ମେରେ ୨୯୩୮, ଜୁନରେ ୧୯୫୮ ରୋଗୀ ଏହାର ଲାଭ ଉଠାଇଥିଲେ। ଜୁଲାଇରେ ଏମ୍‌ସ ସ୍ବାସ୍ଥ୍ୟ ଆପ୍‌ ପ୍ରଚଳନ ହେଲା। ଏହାପରେ ଟେଲିମେଡିସିନ ସେବା ଅପେକ୍ଷାକୃତ ଅଧିକ ଆଦୃତ ହୋଇଥିଲା। ଜୁଲାଇରେ ଉଭୟ ହ୍ବାଟ୍‌ସଆପ, ସ୍ବାସ୍ଥ୍ୟ ଆପ ମିଶାଇ ସମୁଦାୟ ୧୦ ହଜାର ୬୧୪, ଅଗଷ୍ଟରେ ୧୪ ହଜାର ୧୧୦, ସେପ୍ଟେମ୍ବରରେ ୧୬ ହଜାର ୭୧୦, ଅକ୍ଟୋବରରେ ୧୬ ହଜାର ୮୭୩ ରୋଗୀ ଏହାର ସେବା ନେଇଥିଲେ। ଏହା ସତ୍ତ୍ବେ ସାଧାରଣ ସମୟରେ ଏମ୍‌ସକୁ ମାସକୁ ଆସୁଥିବା ରୋଗୀଙ୍କ ତୁଳନାରେ ଏହା ଅନେକ କମ୍‌ ଥିଲା।

କରୋନା ସ୍ଥିତି ସ୍ବାଭାବିକ ହୋଇ ଓପିଡି ଖୋଲିଯିବା ପରେ ଟେଲିମେଡିସିନ୍ ସେବା ନେଉଥିବା ରୋଗୀଙ୍କ ସଂଖ୍ୟା ଅନେକ ଗୁଣ ହ୍ରାସ ପାଇଥିଲା। ନଭେମ୍ବରରେ ୬୭୪୧, ଡିସେମ୍ବରରେ ୪୦୦୮, ଜାନୁଆରିରେ ୭୨୦, ଫେବ୍ରୁଆରିରେ ୪୭୦, ମାର୍ଚରେ ସାମାନ୍ୟ ବୃଦ୍ଧି ପାଇ ୬୭୪ ରୋଗୀ ଏହାର ଲାଭ ଉଠାଇଥିଲେ। ଡ.ପିଲାଇ କହିଛନ୍ତି, ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଲେ ଲୋକେ ସିଧାସଳଖ ଡାକ୍ତରଙ୍କୁ ଭେଟି ଚିକିତ୍ସା କରାଇବା ପସନ୍ଦ କରନ୍ତି। ଏହା ସେମାନଙ୍କ ମନୋବଳ ବୃଦ୍ଧି କରେ, ଯାହା ସ୍ବାଭାବିକ ଅଟେ। କିନ୍ତୁ ଏଭଳି ଅନେକ ସ୍ବାସ୍ଥ୍ୟ ସମସ୍ୟା ରହିଛି, ଯାହାର ସମାଧାନ ପାଇଁ ସେମାନଙ୍କୁ ଡାକ୍ତରଖାନା ଆସିବାର ଆବଶ୍ୟକତା ନାହିଁ। ଅନ୍ୟ ଜଣେ ବରିଷ୍ଠ ଡାକ୍ତରଙ୍କ ଅନୁସାରେ, ପୁରୁଣା ରୋଗୀ ମୁଖ୍ୟତଃ ଏହି ସେବାର ଲାଭ ସହଜରେ ନେଇ ପାରିବେ। ପ୍ରତ୍ୟେକ ରୋଗୀଙ୍କ ରୋଗର ପୁରୁଣା ରେକର୍ଡ ବିଭାଗରେ ଉପଲବ୍ଧ ରହିଛି। ସେମାନେ ନିଜ ବିଷୟରେ ଜଣାଇଲେ ପୁରୁଣା ରେକର୍ଡ, ବର୍ତ୍ତମାନର ରିପୋର୍ଟ ଦେଖି ଡାକ୍ତର ଉପଯୁକ୍ତ ପରାମର୍ଶ ଦେଇ ପାରିବେ। ଲକ୍‌ଡାଉନ୍‌ ସମୟରେ କିଡ୍‌ନି, ହୃଦରୋଗ ଭଳି ଅନେକ ଗୁରୁତର ରୋଗୀ ଏହାର ଲାଭ ଉଠାଇଛନ୍ତି। ଓପିଡିର ନିର୍ଘଣ୍ଟ ସମୟରେ ଟେଲିମେଡିସିନ ସେବା କାର୍ଯ୍ୟକ୍ଷମ ରହିଥାଏ। ପ୍ରତ୍ୟେକ ବିଭାଗର ଜଣେ ଡାକ୍ତରଙ୍କୁ ଏହି ଦାୟିତ୍ବ ଦିଆଯାଏ। ଏମ୍‌ସକୁ ଆସୁଥିବା ରୋଗୀ ମଧ୍ୟରେ ଅଧିକାଂଶ ଗରିବ। ସେମାନଙ୍କ ପାଖରେ ଏହି ସେବା କିଭଳି ପହଞ୍ଚିବ ଏହି ଦିଗରେ ଏମ୍‌ସ ପକ୍ଷରୁ ସ୍ବତନ୍ତ୍ର ଭାବରେ ପ୍ରଚାର-ପ୍ରସାରର ଆବଶ୍ୟକତା ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର