ଏମ୍‌ସରେ ରୋଗୀଙ୍କ ରେଫରାଲ ବଢ଼ୁଛି

ଭୁବନେଶ୍ବର: ଏମ୍‌ସରେ ଦିନକୁ ଦିନ ରୋଗୀ ରେଫରାଲ ସଂଖ୍ୟା ବଢ଼ିବାରେ ଲାଗିଛି। କେତେବେଳେ ଶଯ୍ୟା ଅଭାବ ତ ଆଉ କେତେବେଳେ ଯନ୍ତ୍ରପାତି ଅଚଳର ବାହାନା ଦେଖାଇ ଏସ୍‌ସିବି କିମ୍ବା କ୍ୟାପିଟାଲ ହସ୍ପିଟାଲକୁ ରେଫର୍‌ କରାଯାଉଛି। ଏମ୍‌ସ ଭଳି ଏକ ଜାତୀୟସ୍ତରର ସ୍ବାସ୍ଥ୍ୟାନୁଷ୍ଠାନରୁ ପ୍ରତ୍ୟେକ ଦିନ ରୋଗୀଙ୍କୁ ଅନ୍ୟତ୍ର ରେଫର କରାଯିବାକୁ ନେଇ ସର୍ବସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। କେବଳ ରୋଗୀଙ୍କୁ ଅନ୍ୟତ୍ର ରେଫରାଲ ନୁହେଁ, ହସ୍ପିଟାଲରେ କିଛି ବିଭାଗକୁ ଚକ୍ରାନ୍ତ କରି ଅଚଳ କରି ଦିଆଯାଉଥିବା ଅଭିଯୋଗ ହେଉଛି। ଫଳରେ ରୋଗୀମାନେ ଏମ୍‌ସରେ ଚିକିତ୍ସା ସୁବିଧା ନ ପାଇ ଘରୋଇ ହସ୍ପିଟାଲରେ ଲକ୍ଷାଧିକ ଟଙ୍କା ଖର୍ଚ କରିବାକୁ ବାଧ୍ୟ ହେଉଛନ୍ତି। ଏମ୍‌ସ ଭୁବନେଶ୍ବରେ ଏବେ ୪୧ଟି ବିଭାଗ କାର୍ଯ୍ୟ କରୁଥିବା ବେଳେ ୫ ଶହ ଶଯ୍ୟା ରହିଛି। ତେବେ କାଜୁଆଲ୍‌ଟିରୁ ହିଁ ରୋଗୀମାନଙ୍କୁ ଅନ୍ୟତ୍ର ରେଫର୍‌ କରି ଦିଆଯାଉଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ୬୫ରୁ ଅଧିକ ରୋଗୀ ରେଫର୍‌ ହେଉଛନ୍ତି। ତହିଁରେ ୧୫ଜଣ ଗୁରୁତର ରୋଗୀ ରହିଛନ୍ତି। ଏହାର ସୁଯୋଗ ନେଇ ରାଜଧାନୀର ଘରୋଇ ହସ୍ପିଟାଲର ଦଲାଲମାନେ ସକ୍ରିୟ ହୋଇଉଠିଛନ୍ତି। ଏହାସହ ହସ୍ପିଟାଲର କିଛି କର୍ମଚାରୀଙ୍କ ଘରୋଇ ହସ୍ପିଟାଲ ସହ ଭିତିରିଆ ବୁଝାମଣା ଯୋଗୁଁ ରୋଗୀମାନେ ଘରୋଇ ହସ୍ପିଟାଲରେ ଲକ୍ଷାଧିକ ଟଙ୍କା ଖର୍ଚ କରୁଛନ୍ତି। ବଲାଙ୍ଗୀର ଜିଲ୍ଲା ଡୁଙ୍ଗୁରିପଡ଼ାର ଗେବ୍ରିଏଲ ନାଗ ଚିକିତ୍ସା ପାଇଁ ଏମ୍‌ସ ଆସିଥିବା ବେଳେ ତାଙ୍କୁ ଏସ୍‌ସିବି ରେଫର୍‌ କରି ଦିଆଯାଇଥିଲା। ପୂର୍ବରୁ ତାଙ୍କ ପେଟରେ ଷ୍ଟୋନ୍ ଅସ୍ତ୍ରୋପଚାର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପେଟରେ ପାଣି ଜମିଥିଲା। ଚିକିତ୍ସା ପାଇଁ ସେ ବୁର୍ଲା ଯାଇଥିବା ବେଳେ ‌ସ୍ଥାନୀୟ ଡାକ୍ତର ତାଙ୍କୁ ଏମ୍‌ସ ରେଫର କରିଥିଲେ। ଗୁରୁତର ଅବସ୍ଥାରେ ଏମ୍‌ସରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ୨ଦିନ ଅବଜରଭେସନ୍‌ରେ ରଖିଥିଲେ। ମାତ୍ର ଶଯ୍ୟା ନ ଥିବା ଓ ଯନ୍ତ୍ରପାତି କାମ କରୁ ନଥିବା ଦର୍ଶାଇ ତାଙ୍କୁ ଏସ୍‌ସିବି ‌ରେଫର କରି ଦେଇଥିଲେ। ଫଳରେ ଗେବ୍ରିଏଲଙ୍କ ପରିବାର ଏସ୍‌ସିବି ଯିବାକୁ ବାଧ୍ୟ ହୋଇଥିଲେ। କେବଳ ଗେବ୍ରିଏଲ ନୁହନ୍ତି, ଏହିଭଳି ଅନେକ ଗରିବ ଶ୍ରେଣୀର ରୋଗୀଙ୍କୁ ଏମ୍‌ସ ଭଳି ଜାତୀୟସ୍ତରୀୟ ସ୍ବାସ୍ଥ୍ୟାନୁଷ୍ଠାନରେ ଚିକିତ୍ସା ନ ପାଇ ଫେରିବାକୁ ପଡ଼ୁଛି।

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି: ନିର୍ଦେଶିକା
ଏମ୍‌ସ ଭୁବନେଶ୍ବରର ନିର୍ଦେଶିକା ଡା.ଗୀତାଞ୍ଜଳି ବାଟମାନବାନେ କହିଛନ୍ତି, ଆଜି ପ୍ରଫେସର ଡା. ଏସ୍‌.ସି ମହାପାତ୍ର ଇ-ମେଲ୍ ଜରିଆରେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏଥିରେ ସେ ନିଜର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି। ତାଙ୍କ ଇ-ମେଲ ପାଇବା ପରେ ତାଙ୍କୁ ଆଲୋଚନା ପାଇଁ ଡକାଯାଇଛି। ଓଡ଼ିଆ ଲୋକମାନଙ୍କୁ ଶୋଷଣ ବା ନିର୍ଯାତନା ଦିଆଯାଉଥିବା ଠିକ୍ ନୁହେଁ। ଏମ୍‌ସ ଭୁବନେଶ୍ବରରେ ୯୫ପ୍ରତିଶତ ଡାକ୍ତର ଓ କର୍ମଚାରୀ ହେଉଛନ୍ତି ଓଡ଼ିଆ। ଏମ୍‌ସ ନୂଆଦିଲ୍ଲୀରେ କାର୍ଯ୍ୟ କରୁଥିବା ଓଡ଼ିଆ ଡାକ୍ତରମାନେ ଏମ୍‌ସକୁ ଆସିଛନ୍ତି। ସେହିପରି କ୍ୟାଥଲାବ୍‌ରେ ଟେକ୍‌ନିସିଆନ୍ ନାହାନ୍ତି। ଟେକ୍‌ନିସିଆନ୍ ଆସିବା ପରେ ଏହା କାର୍ଯ୍ୟ କରିବ। ତେବେ ହୃଦ୍‌ରୋଗ ବିଭାଗରେ ଏଚ୍‌ଓଡିଭାବେ ପ୍ରଶାସନିକ ଦୃଷ୍ଟିରୁ ନିଯୁକ୍ତି ଦିଆଯାଇଛି। ନିର୍ଦେଶିକାଙ୍କ ଏଥିପାଇଁ ସଂପୂର୍ଣ୍ଣ କ୍ଷମତା ରହିଛି। ତେବେ ଏମ୍‌ସରୁ ପ୍ରତିଦିନ କେତେ ସଂଖ୍ୟକ ରୋଗୀଙ୍କ ଅନ୍ୟତ୍ର ରେଫର ହେଉଛନ୍ତି ତାହା କହିବା ମୁସ୍କିଲ୍। କାଜୁଆଲ୍‌ଟି ଓ ଆଇସିୟୁକୁ ମିଶାଇ ୫୧ଟି ଶଯ୍ୟା ରହିଛି। ଯଦି ଶଯ୍ୟା ଉପଲବ୍ଧ ନ ହୁଏ ତେବେ ରୋଗୀଙ୍କୁ ଅନ୍ୟତ୍ର ରେଫର କରାଯିବ। ଗୁରୁତର ଅବସ୍ଥାରେ ଆସିଥିବା ରୋଗୀଙ୍କୁ ଯଦି ସେହି ସମୟରେ କୌଣସି ଶଯ୍ୟା ଉପଲବ୍ଧ ନ ହୁଏ ତେବେ ରେଫର କରାଯାଇଥାଏ ବୋଲି ଡା ବାଟମାନବାନେ କହିଛନ୍ତି।

କ୍ୟାଥଲାବ୍ ଅଚଳ ପଛରେ ଚକ୍ରାନ୍ତ
ଏମ୍‌ସରେ ଗତ ୩ ସପ୍ତାହ ହେବ କ୍ୟାଥଲାବ୍ ଅଚଳ ହୋଇପଡ଼ିଛି। ହୃଦ୍‌ରୋଗ ବିଭାଗରେ କ୍ୟାଥଲାବ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ବେଳେ ଏହା ଅଚଳ ହୋଇଯିବା ଯୋଗୁଁ ହୃଦ୍‌ରୋଗୀଙ୍କ ଆଞ୍ଜିଓଗ୍ରାମ୍ ହୋଇ ପାରୁନାହିଁ। ବିଭାଗରେ ପୂର୍ବରୁ ଯେଉଁ ଟେକ୍‌ନିସିଆନ୍ ରହିଥିଲେ, ତାଙ୍କୁ ବାହାର କରି ଦିଆଯାଇଛି। ତାଙ୍କ ବଦଳରେ ଆଉ ଜଣେ ଟେକ୍‌ନିସିଆନ୍ ଜଏନ୍ କରିଛନ୍ତି। ମାତ୍ର ତାଙ୍କୁ ଏ ସଂପର୍କିତ କାମ ଜଣା ନ ଥିବାରୁ କ୍ୟାଥଲାବ୍‌କୁ ବନ୍ଦ କରି ଦିଆଯାଇଛି। ଏହାସହ ହୃଦ୍‌ରୋଗ ବିଭାଗର କାର୍ଯ୍ୟକାରୀ ବିଭାଗୀୟ ମୁଖ୍ୟଙ୍କୁ ଜାଣିଶୁଣି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଏମ୍‌ସକୁ ଯେଉଁ ଡାକ୍ତରମାନେ ଅନ୍ୟ ସ୍ଥାନରୁ ଆସିଥାନ୍ତି, ସେମାନଙ୍କୁ ୨ବର୍ଷ ପାଇଁ ପ୍ରୋବେସନ୍‌ରେ ରହିବାକୁ ପଡ଼ିଥାଏ। ହୃଦ୍‌ରୋଗ ବିଭାଗର ବିଭାଗୀୟ ମୁଖ୍ୟଙ୍କ ପ୍ରୋବେସନ୍ ସମୟ ନିକଟରେ ପୂରି ଯାଇଥିଲେ ହେଁ ତାଙ୍କର ପ୍ରୋବେସନ୍‌କୁ ଆହୁରି ବର୍ଷେ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ମାତ୍ର ଅନ୍ୟ କୌଣସି ଡାକ୍ତରଙ୍କ ପ୍ରୋବେସନ୍ ସମୟକୁ ବଢ଼ାଯାଇ ନାହିଁ। ଫଳରେ ସେ ବିଭାଗୀୟ ମୁଖ୍ୟ ହୋଇପାରି ନାହାନ୍ତି। କିଛି ଉପରିସ୍ଥ ଅଧିକାରୀ ତାଙ୍କୁ ହୃଦ୍‌ରୋଗ ବିଭାଗର ମୁଖ୍ୟ କରିବାକୁ ଚାହୁଁ ନ ଥିବା ଅଭିଯୋଗ ହେଉଛି। ତେବେ ତାଙ୍କ ବଦଳରେ ଯେଉଁ ଡାକ୍ତରଙ୍କୁ ହୃଦ୍‌ରୋଗ ବିଭାଗର ମୁଖ୍ୟ ଭାବେ ଦାୟିତ୍ବ ଦିଆଯାଇଛି, ସେ ଏଫ୍‌ଏମ୍‌ଟି ବା ‌ଫୋରେନ୍‌ସିକ ମେଡିସିନ୍ ଏଣ୍ଡ ଟକ୍ସିକୋଲୋଜି ବିଭାଗର ଡାକ୍ତର। ହୃଦ୍‌ରୋଗ ବିଭାଗ ସଂପର୍କରେ ତାଙ୍କର କୌଣସି ଧାରଣା ନାହିଁ। ଯାହାକୁ ନେଇ ଏମ୍‌ସରେ ଅସନ୍ତୋଷ ବୃଦ୍ଧି ପାଇଛି।

ବଢ଼ୁଛି ଓଡ଼ିଆ ମାରଣ ନୀତି: ଇସ୍ତଫା ଦେଲେ ବରିଷ୍ଠ ପ୍ରଫେସର
ଏମ୍‌ସ ଭୁବନେଶ୍ବରରେ ଗତ କିଛିମାସ ହେବ ଓଡ଼ିଆମାରଣ ନୀତି ବୃଦ୍ଧି ପାଇଛି। ଜାଣିଶୁଣି ଓଡ଼ିଆ ଡାକ୍ତର ଓ ପ୍ରଫେସରଙ୍କୁ ଶୋଷଣ ଓ ନିର୍ଯାତନାର ଶିକାର ହେବାକୁ ପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ, ଆଜି ଫିଜିଓଲୋଜି ବିଭାଗର ବରିଷ୍ଠ ପ୍ରଫେସର ଡା. ଏସ୍‌.ସି ମହାପାତ୍ର ନିର୍ଦେଶିକାଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦେଖାଇ ସେ ଇସ୍ତଫା ଦେଇଥିଲେ ହେଁ ତାଙ୍କର ଇସ୍ତଫାକୁ ନେଇ ଏମ୍‌ସରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିର୍ଦେଶିକା ତାଙ୍କୁ ଇ-ମେଲ ନୁହେଁ ବରଂ ଲିଖିତ ଭାବେ ଇସ୍ତଫା ପ୍ରଦାନ କରିବାକୁ କହିଥିବା ଜଣାପଡ଼ିଛି। ଓଡ଼ିଆ ମାରଣ ନୀତିରେ କିଛି ଅଣଓଡ଼ିଆ ଅଧିକାରୀଙ୍କ ସଂପୃକ୍ତି ଅଭିଯୋଗ ହୋଇଛି। କିଛି ଦିନ ପୂର୍ବରୁ ଏମ୍‌ସର ଜଣେ ପ୍ରଫେସର ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଅନୁମତି ମାଗିଥିଲେ ହେଁ ତାଙ୍କୁ ମିଳି ନ ଥିଲା। ଏହାର ପ୍ରତିବାଦରେ ସେ କ୍ୟାଟ୍‌ରେ ମାମଲା ଦାୟର କରିଥିଲେ। କ୍ୟାଟ୍‌ରୁ ନିର୍ଦେଶ ଆସିବା ପରେ ତାଙ୍କୁ ସମ୍ମିଳନୀରେ ଯୋଗ ଦେବା ପାଇଁ ଅନୁମତି ଦିଆଯାଇଛି। ସମାନ ଢଙ୍ଗରେ ଆଜି ୨୫ଜଣ ଫାକ୍‌ଲଟି ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଅନୁମତି ମାଗିଥିବା ବେଳେ ତାଙ୍କୁ ଏଥିପାଇଁ ମନା କରି ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର