ଘଣ୍ଟ, ମର୍ଦ୍ଦଳ, ଗିନି ବଜାଇ ସଂକୀର୍ତ୍ତନ କଲେ

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପିର ଅଭିନବ ପ୍ରତିବାଦ, ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପି ପୁଣି ଗର୍ଜିଛି। ଘଟଣାରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପିର ଶତାଧିକ କର୍ମୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଘଣ୍ଟ, ମର୍ଦ୍ଦଳ, ଗିନି ବଜାଇ ସଂକୀର୍ତନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ପକ୍ଷରୁ କୁହାଯାଇଛି ଯେ ବିଜେଡି ଶାସନରେ ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତି।

ଆଉ କେତେ ମହିଳାଙ୍କ ଜୀବନ ଗଲେ ସରକାର ଚେତିବେ? ଏତେ ସବୁ ପରେ ଯଦି ମୁଖିଆଙ୍କ ନିଦ ଭାଙ୍ଗୁନାହିଁ, ତେବେ ବିଜେପି ଆଉ ନିରବଦ୍ରଷ୍ଟା ସାଜିବ ନାହିଁ। ମମିତାଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ଲଢ଼େଇ ଜାରି ରଖିବ ବୋଲି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ନହେବା ଯାଏ ଏହି ସ୍ୱରକୁ ତୃଣମୂଳସ୍ତରକୁ ପହଞ୍ଚାଇବା ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ବିକ୍ଷୋଭରେ ବିଧାନସଭା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜେନ୍ଦ୍ର ପଣ୍ଡା, ହରେକୃଷ୍ଣ ଖୁଣ୍ଟିଆ, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ, ଦିଲୀପ ବେହେରା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମୁଦୁଲି, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ଜିଲ୍ଲା ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂ, ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର