ଚିନ୍ତା ବଢ଼ାଇଲାଣି ଜଳବନ୍ଦୀ, ସମ୍ବେଦନଶୀଳ ଅଞ୍ଚଳ ତଦାରଖ କଲେ ବିଏମ୍‌ସି ଅଧିକାରୀ

ଭାଗବତ ସନ୍ଧାନରେ ଘର ନିର୍ମାଣ ବନ୍ଦ, ଡ୍ରେନ୍‌ ସଫା କରିବାକୁ ଏନ୍‌ଏଚ୍‌ଏଆଇକୁ ଜଣାଇଲେ

ଭୁବନେଶ୍ବର: ଭୁବନେଶ୍ବରରେ ମୌସୁମୀ ସକ୍ରିୟ ରହିଛି। ବର୍ଷା ବି ଲାଗି ରହିଛି। ବେଳେ ବେଳେ ପ୍ରବଳରୁ ଅତିପ୍ରବଳ ବର୍ଷା‌ରେ ସାରା ସହର ଉବୁଟୁବୁ ହେଉଛି। ଆହୁରି ୪୮ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ଏଭଳି ଆକଳନ ଏବେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଧିକାରୀଙ୍କ ଅକଲ ଗୁଡ଼ୁମ୍‌ କରିଦେଇଛି। ଜଳବନ୍ଦୀ ପରି ସମସ୍ୟାକୁ ଏଡ଼ାଇବା ଲାଗି ଆଜି ଦିନତମାମ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି। ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ବୁଲି ଦେଖିଛନ୍ତି। ଏଥିସହ ପୂର୍ବରୁ ଚିହ୍ନଟ ହୋଇଥିବା ସମସ୍ତ ୩୭ଟି ଅଞ୍ଚଳକୁ ନିୟମିତ ଭାବେ ପରିଦର୍ଶନ କରିବାକୁ ବରିଷ୍ଠ ପଦାଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ପ୍ରତ୍ୟେକ ସମ୍ବେଦନଶୀଳ ଅଞ୍ଚଳ ପାଇଁ ସ୍ବତନ୍ତ୍ର ଯନ୍ତ୍ରୀ ଓ ପଦାଧିକାରୀଙ୍କୁ ନିୟମିତ ତଦାରଖ କରିବା ଲାଗି ଦାୟିତ୍ବ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଏମ୍‌ସି ଅତିରିକ୍ତ ଆୟୁକ୍ତ ଶ୍ରୀମନ୍ତ ମିଶ୍ର, ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ଉତ୍ତର ମଣ୍ତଳ ଡେପୁଟି କମିସନର ପ୍ରମୋଦ କୁମାର ପୃଷ୍ଟି, କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ପି.ଏସ୍‌ ଏନ୍‌ ପାତ୍ର, ଡ୍ରେନେଜ୍‌ ବିଭାଗୀୟ ଇଞ୍ଜିନିୟର ପ୍ରଦୀପ ସାଗର ଦୁରିଆ ଓ ସହ ସହଯୋଗୀ ପଦାଧିକାରୀ ଭୁବନେଶ୍ବରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଗସ୍ତ କରି ସ୍ଥିତି ପରିଖିଛନ୍ତି।

ବଡ଼ କଥା ହେଲା, ବିଏମ୍‌ସି ଅଧିକାରୀମାନେ ସମ୍ବେଦନଶୀଳ ଗସ୍ତ କରିବା ସମୟରେ ସାଙ୍ଗରେ ଅମିନଙ୍କୁ ଧରି ବୁଲିଥିଲେ। ଯେଉଁଠି କୌଣସି ପ୍ରକାର ଜବରଦଖଲ ହୋଇଥିବା ଦେଖିବାକୁ ମିଳିଥିଲା, ସଙ୍ଗେ ସଙ୍ଗେ ମାପଚୁପ କରିଥିଲେ। ୧୯ ନମ୍ବର ୱାର୍ଡସ୍ଥିତ ଭାଗବତ ସନ୍ଧାନ ଅଞ୍ଚଳରେ ଉପରୋକ୍ତ ଅଧିକାରୀମାନେ ଜଳବନ୍ଦୀ ସମସ୍ୟାର ସମୀକ୍ଷା କରିଥିଲେ। ପାଣି ଯିବା ବାଟରେ ଘରୋଇ ନିର୍ମାଣ ହେଉଥିବା ଅଧିକାରୀଙ୍କ ଦୃଷ୍ଟିଗୋଚର ହୋଇଛି। ପାଣି ଯିବା ବାଟରେ ବେଆଇନ ନିର୍ମାଣ ହୋଇଥିବାରୁ ଅଧିକାରୀମାନେ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଜମିର ସ୍ଥିତି ଅନୁଧ୍ୟାନ ନ କରାଯିବା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି ବିଏମ୍‌ସି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଉପରୋକ୍ତ ଅଧିକାରୀମାନେ ଭୁବନେଶ୍ବରର ଆଉ କିଛି ସମ୍ବେଦନଶୀଳ ଅଞ୍ଚଳ ବୁଲି ଦେଖିଛନ୍ତି। ୩୮ନମ୍ବର ୱାର୍ଡରେ ଆସୁଥିବା ନୟାପଲ୍ଲୀ ଖିମଜୀ ଗଳିରେ ଥିବା ଡ୍ରେନ୍‌ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହାପରେ ଅଧିକାରୀମାନେ ସିଆରପି ଛକରେ ନ୍ୟାସନାଲ ହାଇୱେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ) ଦ୍ବାରା କରାଯାଇଥିବା ରାସ୍ତାତଳ ଡ୍ରେନ୍‌ର ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ଭୟଙ୍କର ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା। ‌ଡ୍ରେନ୍‌ରେ ବହୁ ପରିମାଣର ଆବର୍ଜନା ଜମା ହୋଇପଡ଼ିଛି। ପରିଷ୍କାର କରାଯାଉନଥିବାରୁ ବିଏମ୍‌ସିର ଅଧିକାରୀମାନେ ଚିନ୍ତା ପ୍ରକଟ କରିଥିଲେ। ଉକ୍ତ ଡ୍ରେନ୍‌ ସଫା ହେଉ ନଥିବାରୁ ସହରବାସୀଙ୍କୁ ବାରମ୍ବାର ଜଳବନ୍ଦୀ ହେବାକୁ ପଡ଼ୁଛି। ତେଣୁ ଉକ୍ତ ଡ୍ରେନ୍‌ର ସଫେଇ କରିବା ନିମନ୍ତେ ଅଧିକାରୀମାନେ ଏନ୍‌ଏଚ୍‌ଏଆଇ କର୍ତୃପକ୍ଷଙ୍କୁ ଜଣାଇଛନ୍ତି।

ଅନ୍ୟପକ୍ଷ‌ରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ସହରର ୧୨ଟି ମୁଖ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପୂର୍ବଭଳି ୧୭ଟି ପମ୍ପସେଟ୍‌ ଲଗାଯାଇଛି। ସହରରେ କୃତ୍ରିମ ବନ୍ୟାକୁ ଏଡ଼ାଇବା ଓ ଜଳ ନିଷ୍କାସନକୁ ବ୍ୟବସ୍ଥିତ କରିବା ଲାଗି ଯନ୍ତ୍ରୀ ଓ ସମ୍ପୃକ୍ତ ନୋଡ଼ାଲ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସହରରେ ଲଗାଯାଇଥିବା ୧୭ଟି ପମ୍ପସେଟ୍‌ ମଧ୍ୟରୁ ବିଏମ୍‌ସିର ୧୨ଟି ଓ ଅଗ୍ନିଶମ ବିଭାଗର ୫ଟି ପମ୍ପ ରହିଛି।

ସମ୍ବନ୍ଧିତ ଖବର