ବିଏସ୍‌ଏନ୍‌ଏଲ୍‌ ନେଟୱାର୍କରେ ସମସ୍ୟା, କଥା ସ୍ପଷ୍ଟ ଶୁଭୁନି

ଭୁବନେଶ୍ବର: ରାଜଧାନୀରେ ଗତ କିଛିଦିନ ହେବ ବିଏସ୍‌ଏନ୍‌ଏଲ ମୋବାଇଲ ନେଟୱାର୍କରେ ସମସ୍ୟା ଦେଖା ଦେଇଛି। କୌଣସି ବିଏସ୍‌ଏନ୍‌ଏଲ ନମ୍ବରକୁ ବିଏସ୍ଏନ୍‌ଏଲ ନମ୍ବରରୁ ଡାଏଲ କରିବା କିମ୍ବା ଅନ୍ୟ କୌଣସି ନମ୍ବରରୁ ବିଏସ୍‌ଏନ୍‌ଏଲ ନମ୍ବରକୁ ଡାଏଲ କଲେ କଥା ଠିକ୍‌ରେ ଶୁଭୁନାହିଁ। ଅନ୍ୟ ନେଟ୍‌ୱାର୍କରୁ ବିଏସ୍‌ଏନ୍‌ଏଲ୍‌ ନମ୍ବରକୁ କଲ୍‌ କଲେ ଚଡ଼ଚଡ଼ ଶୁଭୁଛି। ବିଶେଷକରି ସରକାରୀ ଅଧିକାରୀମାନଙ୍କୁ ଦିଆଯାଇଥିବା ବିଏସ୍‌ଏନ୍‌ଏଲର ସିୟୁଜି ନମ୍ବରରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ମାତ୍ର ବିଏସ୍ଏନଏଲର ବରିଷ୍ଠ ଅଧିକାରୀମାନେ ଏହାକୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ସମସ୍ୟା ଦର୍ଶାଇ ଏଡ଼ାଇ ଯାଉଛନ୍ତି। ଗତ ଦୁଇ ସପ୍ତାହ ହେବ ରାଜଧାନୀରେ ବିଏସ୍‌ଏନ୍‌ଏଲ ନମ୍ବରରେ ଏହି ସମସ୍ୟା ଦେଖା ଦେଇଛି। ବିଏସ୍‌ଏନ୍‌ଏଲ ନମ୍ବରରୁ କୌଣସି ନମ୍ବରକୁ ଫୋନ୍ କଲେ ଅନ୍ୟ ପକ୍ଷର କଥା ଠିକ୍‌ରେ ଶୁଭୁନାହିଁ ତ ଆଉ କେତେବେ‌ଳେ ରଂଗ ନମ୍ବର ଲାଗୁଛି। ସେହିପରି ଅନେକ ସମୟରେ ଫୋନ୍ ଲଗାଯାଇଥିବା ବ୍ୟକ୍ତିଙ୍କ ସ୍ବର ବଦଳରେ ନମ୍ବର ଲଗାଇଥିବା ବ୍ୟକ୍ତିଙ୍କ କଥା ନିଜକୁ ଶୁଭୁଛି। ସେହିପରି ଅନ୍ୟ ନେଟୱାର୍କର ଉପଭୋକ୍ତା ବିଏସ୍‌ଏନ୍‌ଏଲ୍‌ ନମ୍ବରକୁ ଡାଏଲ କଲେ କଥା ଠିକ୍‌ରେ ଶୁଣା ଯାଉନାହିଁ। ଏକାଧିକ ଥର ଫୋନ୍ ଲଗାଇବା ପରେ ଫୋନ୍ ଲାଗୁଛି। ଏଭଳି ସମସ୍ୟା ଯୋଗୁଁ ବିଏସ୍‌ଏନ୍‌ଏଲ ଗ୍ରାହକ ନିଜର ଅସନ୍ତୋଷ ଜାହିର କରୁଛନ୍ତି। ତଥାପି ସମସ୍ୟାର ସମାଧନ ହୋଇପାରି ନାହିଁ। ଅପରପକ୍ଷରେ ବିଏସ୍‌ଏନ୍‌ଏଲ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହୋଇଥିବା ବେଳେ ବହୁ ସରକାରୀ ଅଧିକାରୀ ଓ ଗୁରୁତ୍ବପୂର୍ଣ୍ଣ ବିଶେଷ ଏହାକୁ ବ୍ୟବହାର କରୁଛନ୍ତି। ହସ୍ପିଟାଲଠାରୁ ଆରମ୍ଭ କରି ପୁଲିସ, ଦମକଳ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଜରୁରୀ ସମୟରେ ଯୋଗାଯୋଗ କରିବାରେ ସମସ୍ୟା ଉପୁଜୁଛି।

ରାଜଧାନୀରେ ବିଏସ୍ଏନ୍‌ଏଲର ୨୫୦ରୁ ଅଧିକ ଟାୱାର ରହିଥିଲେ ହେଁ ନେଟୱାର୍କ ଜନିତ ସମସ୍ୟା ଦୂର କରିବାରେ ବିଫଳ ହୋଇଛି। ଦିନକୁ ଦିନ ଟାୱାର ସଂଖ୍ୟା ବଢ଼ୁଛି, ହେଲେ ଉପଭୋକ୍ତାଙ୍କ ସମସ୍ୟା ଦୂର ହୋଇପାରୁନାହିଁ। ଅନ୍ୟ ଘରୋଇ ନେଟୱାର୍କ ସଂସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ବିଏସ୍‌ଏନ୍‌ଏଲ୍‌ ନେଟୱାର୍କକୁ ଏଭଳି ଖରାପ କରି ଦିଆଯାଉଥିବା ସାଧାରଣରେ ଅଭିଯୋଗ ହେଉଛି। ଏହି ସମସ୍ୟା ଯୋଗୁଁ ଅନେକ ମୋବାଇଲ ଗ୍ରାହକ ବିଏସ୍ଏନ୍‌ଏଲ୍‌ଠାରୁ ଦୂରେଇ ଯାଉଥିବା କୁହାଯାଉଛି। ବିଏସ୍ଏନ୍ଏଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜଧାନୀରେ ବିଏସ୍‌ଏନ୍‌ଏଲର ସାଧାରଣ ଭାବେ ନେଟୱାର୍କଜନିତ ସମସ୍ୟା ନାହିଁ। କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି ସମସ୍ୟା ହୁଏତ ଦେଖା ଦେଇପାରେ। ଯେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିବ ତାହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ। ତେବେ ଅନ୍ୟ ନେଟୱାର୍କରୁ ବିଏସ୍‌ଏନ୍‌ଏଲ ନମ୍ବରକୁ ଡାଏଲ କଲେ ଉପଭୋକ୍ତାଙ୍କୁ ଚଡ଼ଚଡ଼ ଶୁଣାଯିବା ଭଳି ଅଭିଯୋଗ ଆଗରୁ ଆସିନାହିଁ। ତେବେ ସିୟୁଜି ଏକ ଅନ୍ୟ ନେଟୱାର୍କରେ କାର୍ଯ୍ୟ କରୁଥିବାରୁ ଏଥିରେ ହୁଏତ ସମସ୍ୟା ଥାଇପାରେ। ନେଟୱାର୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର