ଅଚ୍ୟୁତଙ୍କୁ ବିଜିନେସ୍ ଲାଇନ୍ ଚେଞ୍ଜ ମେକର୍ ପୁରସ୍କାର

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ତଥା କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ବିଜିନେସ୍ ଲାଇନ୍ ଚେଞ୍ଜମେକର୍ ପୁରସ୍କାର-୨୦୧୯ ପ୍ରଦାନ କରାଯାଇଛି। ଶୁକ୍ରବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ  ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଶ୍ରୀ ସାମନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସାମାଜିକ ପରିବର୍ତନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଜିଏସ୍‌ଟି ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏବଂ ମାନୁଆଲ୍ ସ୍କାଭେନ୍‌ଜିଂ ଦୂରୀକରଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଜୟୱାଡାର ଉଇଲ୍‌ସନ୍‌ଙ୍କୁ ମଧ୍ୟ ବିଜିନେସ୍ ଲାଇନ୍ ଚେଞ୍ଜମେକର ପୁରସ୍କାର ପ୍ରଦାନ କରାଯାଇଛି। ହିନ୍ଦୁ ଗ୍ରୁପ୍ ଦ୍ୱାରା ପ୍ରକାଶିତ ପ୍ରମୁଖ ଦୈନିକ ଇଂରାଜୀ ଖବର କାଗଜ ହିନ୍ଦୁ ବିଜିନେସ୍ ଲାଇନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତନ ଓ ଅବଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପ୍ରତିବର୍ଷ ସମ୍ମାନ ଜନକ ଚେଞ୍ଜ୍ ମେକର୍ ପୁରସ୍କାର ପ୍ରଦାନ କରାଯାଇଥାଏ।  ଜନଜାତି ସମ୍ପ୍ରଦାୟର ସ୍ଥିତିରେ ଉନ୍ନତି ଆଣିବା ଦିଗରେ ଶ୍ରୀ ସାମନ୍ତଙ୍କ  ଉଦ୍ୟମ ଏବଂ କ୍ଷୁଧା, ଦାରିଦ୍ର୍ୟ, ନିରକ୍ଷରତା ଓ ବେରୋଜଗାର ହ୍ରାସ କରିବା ଦିଗରେ ଦୀର୍ଘବର୍ଷ ଧରି ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ହିନ୍ଦୁ ବିଜିନେସ୍ ଲାଇନ୍ ପକ୍ଷରୁ କୁହାଯାଇଛି। ଶ୍ରୀ ସାମନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ସ୍ୱୀକୃତି ଆମକୁ ଆଗାମୀ ଦିନରେ ଆହୁରି ଉତ୍ସାହର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ।

ସମ୍ବନ୍ଧିତ ଖବର