‘କ୍ବେଷ୍ଟ୍‌ ଆଣ୍ଡ୍‌ ଷ୍ଟ୍ରଗଲ୍‌’ ଲୋକାର୍ପିତ

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ରେ ଛାତ୍ର ଅଶାନ୍ତି, ଛାତ୍ର ଆନ୍ଦୋଳନ ଓ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ରଚିତ ଇଂରାଜୀ ପୁସ୍ତକ ‘କ୍ବେଷ୍ଟ୍‌ ଆଣ୍ଡ୍‌ ଷ୍ଟ୍ରଗଲ୍‌’ ଲୋକାର୍ପିତ ହୋଇଛି। ଦୀର୍ଘ ବର୍ଷର ସମସ୍ୟା ବହୁଳ ଅଭିଜ୍ଞତାକୁ ନେଇ ଓୟୁଏଟିର ପୂର୍ବତନ ଡିନ୍‌ ଓ ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ବୁଦ୍ଧଦେବ ମିଶ୍ର ଏହି ପୁସ୍ତକର ରଚନା କରିଛନ୍ତି। ‘ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ୍‌’ ପକ୍ଷରୁ ବୁଦ୍ଧ ମନ୍ଦିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ ପୁସ୍ତକକୁ ଲୋକାର୍ପଣ କରି ବୁଦ୍ଧଦେବଙ୍କୁ ବାସ୍ତବବାଦୀ ଓ ସ୍ବାଭିମାନୀ ବ୍ୟକ୍ତି ଭାବେ ଅଭିହିତ କରିଥିଲେ। ସେ କହିଥିଲେ, ଯେପର୍ଯ୍ୟନ୍ତ କୃଷିକୁ ଗୁରୁତ୍ବ ଦିଆଯାଇନାହିଁ ସେପର୍ଯ୍ୟନ୍ତ ଅର୍ଥନୀତିରେ ସୁଧାର ଆସିପାରିବ ନାହିଁ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି ପୁସ୍ତକର ସମୀକ୍ଷା କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଡ. ରୁଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ। ଶେଷରେ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ପ୍ରଜ୍ଞାନରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର