୪ ସ୍କୁଲ ବନ୍ଦ ପ୍ରତିବାଦରେ ରାସ୍ତାରୋକ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ବାରଦୁଖାନା ପ୍ରାଥମିକ ସ୍କୁଲ, ସିଙ୍ଗିରୀ ପ୍ରାଥମିକ ସ୍କୁଲ, ବାଲିଆମାଳ ପ୍ରାଥମିକ ସ୍କୁଲ ଓ ଜାଗିରି ପ୍ରାଥମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ବହୁତ କମ ଥିବାରୁ ଚଳିତ ଶିକ୍ଷାବର୍ଷ ଠାରୁ ଏସବୁ ସ୍କୁଲଗୁଡ଼ିକୁ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ପାଖସ୍କୁଲରେ ପଢ଼ିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ହୋଇଛି। ଏନେଇ ସ୍ଥାନୀୟ ଅଞ୍ଚଳର ଅଭିଭାବକ ଓ ଛାତ୍ରଛାତୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆଜି ବାରଦୁଖାନା ଅଞ୍ଚଳର ଶତାଧିକ ଗ୍ରାମବାସୀ ଭୁବନେଶ୍ବର – ବନମାଳିପୁର ମୁଖ୍ୟ ରାସ୍ତାର ପଞ୍ଚାୟତରୋଡ ଛକ ନିକଟରେ ରାସ୍ତାରୋକ କରିଥିଲେ। ପୂର୍ବାହ୍ନ ୧୦ଟାରେ ସଂପୃକ୍ତ ଅଭିଭାବକ ଓ ଗ୍ରାମବାସୀମାନେ ଛାତ୍ରଛାତ୍ରୀଙ୍କ ସହିତ ଏକ ରୢାଲିରେ ବାହାରି ପଞ୍ଚାୟତ ରାସ୍ତା ଛକ ନିକଟରେ ପହଞ୍ଚିଥିଲେ। ସେଠାରେ ରାସ୍ତା ଉପରେ ବାଉଁଶ ଧଡ଼ାବାନ୍ଧି କାଠଗଣ୍ଡି ଜାଳି ରାସ୍ତାରୋକ କରିଥିଲେ। ପୂର୍ବାହ୍ନ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦୀର୍ଘ ୩ଘଣ୍ଟା ଧରି ରାସ୍ତାରୋକ କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ହେଲେ ଶିକ୍ଷା ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ନପହଞ୍ଚିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୀର୍ଘ ୩ଘଣ୍ଟା ଧରି ରାସ୍ତାରୋକ ହେବା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ିମଟର ଅଟକି ରହିଥିଲା। ଏ ସଂପର୍କରେ ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷା ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା। ପ୍ରଶାସନିକସ୍ତରରେ ଯଦି ଏହାର ପୁନର୍ବିଚାର କରି ସ୍କୁଲ ଖୋଲିବା ନେଇ ପଦକ୍ଷେପ ଗ୍ରହଣ ନକରାଯାଏ ତା’ ହେଲେ ସ୍ଥାନୀୟ ଲୋକମାନେ ଆଗାମୀ ଦିନରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଗ୍ରାମବାସୀଙ୍କ କହିବାନୁଯାୟୀ ଏବେ ସ୍କୁଲରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଉପସ୍ଥାନ ୧୪ ଥିବା ବେଳେ ଆଉ ୧୪ ଜଣ ପିଲା ନାମ ଲେଖାଇବା ପାଇଁ ଗ୍ରାମ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ହେଲେ ଶିକ୍ଷକ ଓ କର୍ମଚାରୀମାନେ ଏଥିରେ ଅବହେଳା ପ୍ରଦର୍ଶନ କରିବାରୁ ସ୍କୁଲ ବନ୍ଦ ହେବା ଭଳି ପରିସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ ଏସଂପର୍କରେ ବ୍ଲକ ଶିକ୍ଷାଧିକାରୀ ସ୍ନିଗ୍ଧା ମିଶ୍ରଙ୍କ ସୂଚନାନୁସାରେ ୧ କିମି ଦୂରତା ମଧ୍ୟରେ ଥିବା ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ କରି ଅନ୍ୟପାଖ ସ୍କୁଲମାନଙ୍କରେ ମିଶାଇ ଦେବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ଆସିଛି। ତଦନୁଯାୟୀ ବାଲିଆମାଳ ଓ ବାରଦୁଖାନା ପ୍ରାଥମିକ ସ୍କୁଲକୁ ବିଶୁନିଆପଡ଼ା, ‌ଜାଗିରି ପ୍ରାଥମିକ ସ୍କୁଲକୁ ଶାତକାବାଦ ପ୍ରାଥମିକ ସ୍କୁଲ ଓ ସିଙ୍ଗିରୀ ପ୍ରାଥମିକ ସ୍କୁଲକୁ ଝିଣ୍ଟିଶାସନ ସ୍ଥିତ ହାଇସ୍କୁଲରେ ମିଶାଯାଇଛି। ପୂର୍ବବର୍ଷ ମଧ୍ୟ ଆଉ ୪ଟି ସ୍କୁଲ ବନ୍ଦ ହୋଇ ପାଖ ସ୍କୁଲରେ ସାମିଲ ହୋଇଯାଇଥିଲା।

ସମ୍ବନ୍ଧିତ ଖବର