ଖୋଜାପଡ଼ିଛନ୍ତି ଦାଗି, ଟା‌ର୍ଗେଟ୍‌‌ରେ ପଲ୍‌ସର

ଗତକାଲି ରାଜଧାନୀର ଛାତି ଉପରେ ଦୁର୍ବୃତ୍ତଙ୍କ ଏକାଧିକ ଜଘନ୍ୟ କାଣ୍ଡ ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି। ବେଶ୍‌ କିଛି ଦିନ ଶାନ୍ତି ବଜାୟ ରହିବା ପରେ କମିସନରେଟ୍‌ ପୁଲିସ ନିଶା ବେପାରୀଙ୍କୁ ମୂଳପୋଛ କରିବା ଉଦ୍ୟମରେ ଲାଗିପଡ଼ିଥିବା ବେଳେ ଅପରାଧୀ ୧୮ ଘଣ୍ଟା ଭିତରେ ୪ଟି ଜାଗାରେ ଆକ୍ରମଣ ଓ ଲୁଟ୍‌ କରି ଖୋଲା ଚାଲେଞ୍ଜ ଦେଇଛନ୍ତି। ଫଳରେ ପୁଲିସର ନିଦ ହଜିଛି। ଆଜି ରାତିରୁ ମଞ୍ଚେଶ୍ବର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ଲକିଂ-ଚେକିଂ କଡ଼ାକଡ଼ି ହୋଇଛି। କେଳୁଚରଣ ପାର୍କ, ଆଦିମାତା କଲୋନି, ମଞ୍ଚେଶ୍ବର ଛକରେ ରାତି ୯ରୁ ବ୍ଲକିଂ-ଚେକିଂ ଆରମ୍ଭ ହୋଇଯାଇଛି। ତେବେ ଆଜି ଏକ ନୂଆ କଥା ଦେଖିବାକୁ ମିଳିଛି। ପଲସର ଚାଳକଙ୍କୁ ପୁଲିସ ଟାର୍ଗେଟ କରିଛି। ସମସ୍ତ ଗାଡ଼ି ଯାଞ୍ଚ ହେଉଥିଲେ ମଧ୍ୟ ପଲସର ଚାଳକଙ୍କ ‘ଫିଙ୍ଗର ପ୍ରିଣ୍ଟ’ ସ୍କାନ୍‌ କରାଯାଉଛି। ଏଥିପାଇଁ ପୁଲିସ ସହିତ ଏକ ସ୍ବତନ୍ତ୍ର ମେସିନ୍‌ ରହିଛି। ଯେଉଁମାନଙ୍କ ନାମରେ ପୂର୍ବରୁ ମାମଲା ରହିଛି ତାହା ଫିଙ୍ଗର ପ୍ରିଣ୍ଟରୁ ଜଣାପଡ଼ି ଯାଉଛି। ଯେଉଁମାନଙ୍କ ନାମରେ ଅପରାଧ ଥିବା ଜଣାପଡ଼ୁଛି ଘଟଣାସ୍ଥଳରୁ ହିଁ ସେମାନଙ୍କୁ ଉଠାଇ ନିଆଯାଉଛି।

ମୋବାଇଲ୍‌ ଖୋଲିବ ରହସ୍ୟ

ପୁଲିସ ଘଟଣାସ୍ଥଳରୁ ଏକ ଖଣ୍ଡା ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଲୋକମାନେ ଉଠିଯିବାରୁ ଦୁର୍ବୃତ୍ତମାନେ ତରବରରେ ପଳାଇଥିବା ବେଳେ ସେମାନଙ୍କ ପକେଟ୍‌ରୁ ମୋବାଇଲ ଗଳି ପଡ଼ିଥିବା ପୁଲିସ ସନ୍ଦେହ କରୁଛି। ସେହି ମୋବାଇଲ ହିଁ ଅପରାଧୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇବ ବୋଲି ପୁଲିସ ଆଶା କରିଛି। ମୋବାଇଲ୍‌ ଆଧାରରେ ଅନେକ ତଥ୍ୟ ପୁଲିସ୍‌ ପାଇଥିବା ବେଳେ ଏହି ମାମଲା ସମେତ ଆଉ କିଛି ଅପରାଧର ରହସ୍ୟ ଉନ୍ମୋଚନ ହେବ ବୋଲି କୁହାଯାଉଛି।

ପୂର୍ବଶତ୍ରୁତା ନୁହେଁ

ଲୁଟ୍‌ ପାଇଁ ନୁହଁ, ବରଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ବୁଲୁ ସାମନ୍ତରାୟ। ଖାଇବା ପାଇଁ ଆସିବା‌ ବେଳେ ବିଳମ୍ବିତ ରାତିରେ ଖାଇବାକୁ ଦେବାକୁ ଜିଦ୍‌ କରିବା ବା ଦର କମ୍‌ ବେଶିକୁ ନେଇ ବିଭିନ୍ନ ସମୟରେ ଝଗଡ଼ା ହୋଇଥାଏ। କିନ୍ତୁ ଏହା ବ୍ୟବସାୟର ଏକ ଅଂଶ ବିଶେଷ। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ହେବ ଏଭଳି ଅନେକ ଘଟଣା ଘଟିଛି। ହେଲେ ହତ୍ୟା କରିବା ଯୋଜନାରେ କେହି କେବେ ଆସିନାହାନ୍ତି କିମ୍ବା କେହି କେବେ ହତ୍ୟା ଧମକ ଦେଇଥିବା ମଧ୍ୟ ନଜରରେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର