ଡ. କିଶାନ୍ କାନୁନ୍‌ଗୋ ସ୍ମାରକୀ ବକ୍ତୃତାମାଳା, କୃଷି କ୍ଷେତ୍ରରେ ଭାରତ ବିଶ୍ବରେ ଏକ ଶକ୍ତି ହୋଇପାରିବ

ଭୁବନେଶ୍ୱର: ଅଧିକାଂଶ କୃଷକର ଆର୍ଥିକ ସ୍ଥିତି ଦୁର୍ବଳ। ଭାରତବର୍ଷର ଚାଷୀକୁ ଦେଶର ମେରୁଦଣ୍ଡ କୁହାଯାଉଥିବା ବେଳେ କୃଷକର ଏଭଳି ସ୍ଥିତିକୁ ନେଇ ଚିନ୍ତା ବଢ଼ିଛି। ସରକାର ପ୍ରାଧାନ୍ୟ ଦେଉଛନ୍ତି। ତେବେ କେତେକ ଦିଗ ପ୍ରତି ଧ୍ୟାନ ଦେଲେ କୃଷି କ୍ଷେତ୍ରରେ ଭାରତ ବିଶ୍ବରେ ଏକ ଶକ୍ତି ଭାବେ ପ୍ରତିଷ୍ଠିତ ହୋଇପାରିବ ବୋଲି କହିଛନ୍ତି ନିତି ଆୟୋଗ ସଦସ୍ୟ ରମେଶ ଚାନ୍ଦ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୪ର୍ଥ ଡ. କିଶାନ ‌କାନୁନ୍‌ଗୋ ସ୍ମାରକୀ ବକ୍ତୃତାମାଳା ଅବସରରେ ଯୋଗଦେଇ ସେ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ପ୍ରତ୍ୟେକ କୃଷକ ପାଖରେ ପହଞ୍ଚିବା ଜରୁରୀ। ଖାଦ୍ୟଶସ୍ୟ ସଂରକ୍ଷଣ ପାଇଁ ଗୋଦାମ ଓ ପବ୍ଲିକ୍‌ ଏଜେନ୍ସିମାନଙ୍କର ସହଭାଗିତା ଭାରତୀୟ କୃଷି ଓ କୃଷକଙ୍କୁ ଏକ ନୂଆ ଦିଗ୍‌ଦର୍ଶନ ଦେବ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୌ‌େରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ, ଅଧ୍ୟାପକ, ନିର୍ଦ୍ଦେଶକ, ବୈଜ୍ଞାନିକ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଡ. କିଶାନ୍‌ କାନୁନ୍‌ଗୋ ଏହି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଓ ବିଶିଷ୍ଟ କୃଷି ଅର୍ଥନୈତିଜ୍ଞ। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଓ ଆର୍‌ବିଆଇର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ସ୍ମୃତିରେ ୩ ବର୍ଷ ଧରି ଆୟୋଜିତ ହେଉଥିବା ଏହି ବକ୍ତୃତାମାଳାରେ ଆଜିର ଅତିଥି ପ୍ରଫେସର ଚାନ୍ଦ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରଖିଛନ୍ତି। ନିତି ଆୟୋଗ ସଦସ୍ୟ ସହ ପଞ୍ଚଦଶ ଅର୍ଥ କମିସନ୍‌ର ମଧ୍ୟ ସଦସ୍ୟ ଅଛନ୍ତି। ସମ୍ମାନ ଜନକ ଜବାହରଲାଲ ନେହରୁ ପୁରସ୍କାର ସହ ରଫି ଅହମ୍ମଦ କିଦ୍ବାଇ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତାଙ୍କର ୭ଟି ପୁସ୍ତକ ସହ ୧୫୦ରୁ ଅଧିକ ଗବେଷଣା ନିବନ୍ଧ ରହିଛି। ‌ଅଷ୍ଟ୍ରେଲିଆର କୃଷି ଗବେଷଣା କେନ୍ଦ୍ରରେ କାର୍ଯ୍ୟ କରିବା ସହ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି।

ସମ୍ବନ୍ଧିତ ଖବର