ରାଜଧାନୀରେ ବାଟବଣା ଦନ୍ତା

ଦିନତମାମ ବନ ବିଭାଗ ଓ ପୁଲିସ ନାକେଦମ୍‌, ବିଳମ୍ବିତ ରାତି ଯାଏଁ ଅପରେସନ୍‌

ଖଣ୍ଡଗିରି: ଦଳ ଛଡ଼ା ହୋଇ ଚନ୍ଦକା ଅଭୟାରଣ୍ୟରେ ଏକାକୀ ବୁଲୁଥିବା ଯୁବ ଦନ୍ତା ହାତୀ ଗୁରୁବାର ବାଟବଣା ହୋଇ ରାଜଧାନୀ ଭିତରକୁ ପଶି ଆସିବାରୁ ଆତଙ୍କ ସୃଷ୍ଟି ହୋଇଛି। ବୁଧବାର ରାତି ୯ଟାରୁ ଗୁରୁବାର ବିଳମ୍ବିତ ରାତି ଯାଏଁ ଖଣ୍ଡଗିରି ଘାଟିକିଆସ୍ଥିତ ହର୍ଟିକଲ୍‌ଚର ଫାର୍ମ ଓ ବନ ବିଭାଗର ସିଲ୍‌ଭି କଲ୍‌ଚରିଷ୍ଟ କ୍ୟାମ୍ପସ୍‌ସ୍ଥିତ ଗବେଷଣା କେନ୍ଦ୍ରରେ ବୁଲୁଥିବା ଏହି ଦନ୍ତା ପୁଲିସ ଓ ବନ ବିଭାଗକୁ ନାକେଦମ କରି ଦେଇଛି। ସକାଳଠୁ ଆରମ୍ଭ ହୋଇଥିବା ହାତୀ ଘଉଡ଼ା ଅପରେସନ୍‌ ବିଳମ୍ବିତ ରାତି ଯାଏଁ ଚାଲିଥିଲେ ବି ତାକୁ ବନ ବିଭାଗ ହାତୀଟିକୁ ଭରତପୁର ସଂରକ୍ଷିତ ଜଙ୍ଗଲକୁ ଫେରାଇବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି। ତେବେ ସୌଭାଗ୍ୟର କଥା ଏତେ ସମୟ ଡେରା ପକାଇବା ସହ ବସ୍ତି ଭିତରେ ଦୁଇ ଦୁଇ ଏପଟ ସେପଟ ହୋଇଥିଲେ ବି ହାତୀଟି କୌଣସି ଧନଜୀବନ କ୍ଷତି କରିନାହିଁ। ହର୍ଟିକଲ୍‌ଚର ଓ ବନ ବିଭାଗର ପାଚେରି ଭାଙ୍ଗିବା ଛଡ଼ା ଦନ୍ତା ହାତୀ ଦ୍ୱାରା ଅନ୍ୟ କିଛି ସମ୍ପତ୍ତି ନଷ୍ଟ ହୋଇନାହିଁ। ମାତ୍ର ହାତୀ ଘଉଡ଼ାଇବାକୁ ଉଦ୍ୟମ କଲାବେଳେ ପୁଲିସ ଓ ବନ ବିଭାଗ କିଛି ମୁଖ୍ୟ ରାସ୍ତା ବନ୍ଦ କରିଦେବାରୁ ଯାତାୟତ ପାଇଁ ସ୍ଥାନୀୟ ଲୋକେ ବହୁ ହନ୍ତସନ୍ତ ହୋଇଛନ୍ତି।

ଜାଗର ରାତିରୁ ରାଜଧାନୀ ମୁହାଁ ହୋଇଥିଲା ଦନ୍ତା
ଗତକାଲି ରାତିରେ ସେ ପ୍ରଥମେ ମଳିପଡ଼ା ଓ ପରେ ଶ୍ୟାମପୁର ଦେଇ ରାଜଧାନୀକୁ ପ୍ରବେଶ କରିଥିଲା। ନୂଆଗାଁ ଛକରେ ଜନୈକ ବ୍ୟକ୍ତିଙ୍କ ବାଡ଼ିରେ ପଶି କଦଳୀ ଗଛ ନଷ୍ଟ କରିବା ସହ ୨/୩ଟି କଖାରୁ ଖାଇଥିଲା। ପରେ ଦନ୍ତାଟି ସେହି ବାଡ଼ିର ପାଚେରି ଭାଙ୍ଗି ଶ୍ୟାମପୁର ଶିବ ମନ୍ଦିର ନିକଟରେ ପହଞ୍ଚିଥିଲା। ଜାଗର ପାଇଁ ମନ୍ଦିରରେ ଭିଡ଼ ଲଗାଇଥିବା ଲୋକେ ପାଟି କରିବାରୁ ହାତୀଟି ପୁଣି ଲେଉଟାଣି ନେଇଥିଲା। ଖବର ପାଇ ବନ ବିଭାଗ ଓ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ହାତୀ ଘଉଡ଼ାଇବାକୁ ଚେଷ୍ଟା ଚାଲିଥିଲା। ରାତି ପ୍ରାୟ ୧ଟାବେଳକୁ ହାତୀଟି କୌଣସି ବଣ ଭିତରେ ରହି ଯିବାରୁ ଆଉ ଦେଖାଗଲା ନାହିଁ। କିନ୍ତୁ ଆଜି ଭୋର୍‌ ସମୟରେ ତାକୁ ଲୋକେ ହଠାତ୍‌ ଘାଟିକିଆ ନାକାଗେଟ୍‌ ନିକଟ ହର୍ଟିକଲ୍‌ଚର ଫାର୍ମ ନିକଟରେ ଦେଖବାକୁ ପାଇଥିଲେ। ଫାର୍ମର ପାଚେରିକୁ ଲାଗି ରହିଥିବା ବସ୍ତି କଡ଼ରେ ହାତୀ ବୁଲୁଥିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ଖେଳି ଯାଇଥିଲା। ଖବର ପାଇ ବନ ବିଭାଗ ଓ ପୁଲିସ ପୁଣି ଘଟଣାସ୍ଥଳକୁ ଆସି ହାତୀକୁ ଭରତପୁର ସଂରକ୍ଷିତ ଜଙ୍ଗଲକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ହାତୀ ପାଇଁ ନାକାଗେଟ୍‌ରୁ କଳିଙ୍ଗଷ୍ଟୁଡିଓ ଛକ ରାସ୍ତାକୁ ସିଲ୍‌ କରି ଦିଆଯିବା ସହ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ପ୍ରାୟ ୧ ଘଣ୍ଟା ରାସ୍ତା ବନ୍ଦ କରି ବାଣ ଫୁଟାଇ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରାଗଲା। ମାତ୍ର ଏସବୁରୁ କିଛି ସୁଫଳ ମିଳିଲାନି।

ଡରି ଯାଇଛି ଦଳଛଡ଼ା ଦନ୍ତା
ଚନ୍ଦକା ଡିଏଫ୍‌ଓ କେଦାର କୁମାର ସ୍ୱାଇଁଙ୍କ ସୂଚନାନୁସାରେ ଗତ ପ୍ରାୟ ୨ ସପ୍ତାହ ହେବ ଦନ୍ତାଟି ଏହି ଜଙ୍ଗଲକୁ ଆସିଛି। କମ୍‌ ବୟସରୁ କୌଣସି କାରଣରୁ ଦଳଛଡ଼ା ହୋଇଥିବାରୁ ସେ ବର୍ତମାନ ଭୟଭୀତ ଅବସ୍ଥାରେ ରହିଛି। ଏଥିସହିତ ଦନ୍ତାଟି ଆଜି ଜନଗହଳିପୂର୍ଣ ଅଞ୍ଚଳକୁ ପ୍ରଥମ କରି ପଶି ଆସିଥିବାରୁ ଅଧିକ ଭୟଭୀତ ହୋଇପଡ଼ିଥିଲା। ତଥାପି ତା’ର ସ୍ୱଭାବ ଶାନ୍ତ ବୋଲି ବାରି ହୋଇପଡ଼ୁଛି। ଏହି ଜଙ୍ଗଲ ସହିତ ସେ ଅଭ୍ୟସ୍ତ ହୋଇନଥିବାରୁ ତାକୁ ବାଟଘାଟ ଜଣାନାହିଁ। ତେଣୁ ସହରରୁ ତାକୁ ଘଉଡ଼ାଇବା କଷ୍ଟକର ହେଉଛି। ତେବେ ସ୍ୱତନ୍ତ୍ରଭାବେ କିଛି ଫରେଷ୍ଟରଙ୍କ ସହ ଦୁର୍ଯ୍ୟୋଧନ ପାତ୍ର, କେଦାର ପ୍ରଧାନ, ବାପି ପରିଡ଼ା, ପ୍ରଦୀପ ତ୍ରିପାଠୀ, ମିକୁନ୍‌ ପରିଡ଼ା ଓ ଅବିନାଶ ପରିଡ଼ା ପ୍ରମୁଖ ଦନ୍ତାକୁ ଜଗି ରହିଛନ୍ତି।

ଜଙ୍ଗଲକୁ ଫେରିବା ନାଁ ଧରୁନି
ହର୍ଟିକଲ୍‌ଚର ଫାର୍ମରୁ ତାକୁ ତଡ଼ିବାବେଳେ ସେ ଜଙ୍ଗଲ ଆଡ଼କୁ ଯିବ କ’ଣ ପାଲଟା ବୁଲିଲା। ସତେ ଯେମିତି ଜଙ୍ଗଲକୁ ଫେରିବା ଇଚ୍ଛା ନଥିଲା ଦନ୍ତାର। ସେ ହର୍ଟିକଲ୍‌ଚର ଫାର୍ମର ପାଚେରି ଡେଇଁ ବନ ବିଭାଗର ନର୍ସରି ଓ ପରେ ଫରେଷ୍ଟର ତାଲିମ କେନ୍ଦ୍ର ଭିତରକୁ ପଶିଲା। ରାସ୍ତା କଡ଼ ବସ୍ତି ପାର୍‌ ହୋଇଥିଲେ ବି ଦନ୍ତାଟି କାହାର କିଛି କ୍ଷତି କରିନଥିଲା। ଫରେଷ୍ଟର ତାଲିମ୍‌ କେନ୍ଦ୍ରରୁ ପୁଣି ପାଚେରି ଡେଇଁ ବନ ବିଭାଗର ସିଲ୍‌ଭି କଲଚରିଷ୍ଟ କ୍ୟାମ୍ପସସ୍ଥିତ ରିସର୍ଚ୍ଚ କେନ୍ଦ୍ରକୁ ଗଲା ଓ ସେଠାରେ ଘଞ୍ଚ ଜଙ୍ଗଲ ଭିତରେ ଡେରା ପକାଇଲା। ଘଉଡ଼ାଇବାକୁ ଯେତେ ବାଣ ଫୁଟାଇଲେ ବି ସେଠାରୁ ସେ ଘୁଞ୍ଚିଲା ନାହିଁ। ତେଣୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରାଗଲା। ସନ୍ଧ୍ୟାରେ ପୁଣି ନାକାଗେଟ୍‌ରୁ କଳିଙ୍ଗଷ୍ଟୁଡିଓ ଛକ ପର୍ଯ୍ୟନ୍ତ ରାସ୍ତା ବନ୍ଦ କରାଗଲା ଓ ହତୀକୁ ତଡ଼ିବାକୁ ଯୋଜନା ହେଲା। ହାତୀଟି ରିସର୍ଚ୍ଚ କ୍ୟାମ୍ପସରୁ ବାହାରି ପୁଣି ହର୍ଟିକଲ୍‌ଚର ଫାର୍ମରେ ରହିଲା। ତେଣୁ ଲୋକମାନଙ୍କ ଚଳପ୍ରଚଳ ବନ୍ଦ ହେବା ପରେ ଯାଇ ହାତୀକୁ ଭରତପୁର ସଂରକ୍ଷିତ ଜଙ୍ଗଲକୁ ତଡ଼ିବ ବୋଲି ବନ ବିଭାଗ ଜଗି ରହିଛି।

ଦୁଷ୍ଟ ବୁଢ଼ା ଦନ୍ତା ତଡ଼ି ଦେଇଛି ଦଳରୁ
ଏକୁଟିଆ ବୁଲୁଥିବା ଏହି ଯୁବ ଦନ୍ତାଟି କୌଣସି ଦଳରୁ ତଡ଼ା ଖାଇଥିବା ସ୍ପଷ୍ଟ ହୋଇଛି। ବନ ବିଭାଗର କିଛି ଅଭିଜ୍ଞ କର୍ମଚାରୀମାନଙ୍କ କହିବା କଥା କୌଣସି ଦଳରେ ଦୁଷ୍ଟ ପ୍ରକୃତିର ବୁଢ଼ା ଦନ୍ତା ଥିଲେ ସେ ଅନ୍ୟ ଦନ୍ତାକୁ ଦଳରେ ରଖାଇ ଦିଏ ନାହିଁ। ଦାନ୍ତ ଉଠିବା ମାତ୍ରେ ବୁଢ଼ା ଦନ୍ତା ଯୁବ ଦନ୍ତାକୁ ତଡ଼ିବା ଆରମ୍ଭ କରେ। ତେଣୁ ନୂଆ ନୂଆ ଦାନ୍ତ ଉଠୁଥିବା ଏହି ଯୁବଦନ୍ତାକୁ ବୁଢ଼ା ଦନ୍ତା ଦଳରୁ ତଡ଼ି ଦେଇଥିବା ଅନୁମାନ କରାଯାଉଛି। ଫଳରେ ଖାଲି ଦଳରୁ ନୁହେଁ, ଏହି ଯୁବଦନ୍ତା ସେହି ଜଙ୍ଗଲରୁ ବି ତଡ଼ା ଖାଇ ଚନ୍ଦକା ଜଙ୍ଗଲକୁ ପଳାଇଆସିଛି।

ସମ୍ବନ୍ଧିତ ଖବର