କୂଆଖାଇ ନଦୀପଠାରୁ ଯୁବତୀଙ୍କ ଗଳିତ ମୃତଦେହ ମିଳିବା ଘଟଣା : ବର୍ଷେ ପରେ ବି ପୁଲିସ ସୁରାକ ପାଇନି

ଭୁବନେଶ୍ୱର : ୨୦୧୭ ଫେବ୍ରୁଆରି ୪ ତାରିଖ। ମଞ୍ଚେଶ୍ୱର ଥାନା ଅଧୀନ କୁଆଖାଇ ନଦୀପଠାରୁ ଜବତ ହେଲା ଜଣେ ଅଚିହ୍ନା ଯୁବତୀଙ୍କ ଗଳିତ ମୃତଦେହ। ଏକ କଫିନ୍‌ ବକ୍ସରେ ସିଲ୍‌ କରି କେହି ଫିଙ୍ଗି ଦେଇଥିଲା ମୃତଦେହକୁ। ଛିନ୍‌ ଭିନ୍‌ ହୋଇ ଯାଇଥିଲା ଶରୀର। ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗରେ ବି ଥିଲା କ୍ଷତ ଚିହ୍ନ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ ବି କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା କାରଣରୁ ମୃତ୍ୟୁ ଘଟିଛି ବୋଲି କୁହାଯାଇଥିଲା। ତେବେ ଗଳିତ ଶବ ମିଳିବାର ୩ ସପ୍ତାହ ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳି ନଥିଲା। ଶେଷରେ ପରିଚୟ ପ୍ରଦାନକାରୀଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲା କମିସନରେଟ୍‌ ପୁଲିସ। ଏମିିତିି ଏକ ଚାଞ୍ଚଲ୍ୟକର ଘଟଣାକୁ ବର୍ଷେ ବିତିଗଲା। କିନ୍ତୁ ପୁଲିସ ଏହି ଘଟଣାରେ ଏଯାଏ କୌଣସି ସୁରାକ ପାଇନାହିଁ।

ମିଳିଥିବା ସୂଚନା ମୁତାବକ, ଘଟଣା ଦିନ ସକାଳୁ ସକାଳୁ କୁଅଖାଇ ବ୍ରିଜ୍‌ ତଳେ ପୋଲ ନିର୍ମାଣକାରୀ ସଂସ୍ଥାର ଜଣେ ସିକ୍ୟୁରିଟି ଗାର୍ଡ ଏମ୍‌ କ୍ରିଷ୍ଣନ୍‌ ଶୌଚ ପାଇଁ ନଦୀ ପଠାକୁ ଯାଇଥିଲେ। ସେ ଦେଖିବାକୁ ପାଇଥିଲେ ଏକ ବଡ଼ ଏୟାର ବ୍ୟାଗ୍‌ ନଦୀ ପଠାରେ ପଡ଼ିଛି, ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି, ମାଛି ସେହି ବ୍ୟାଗ୍‌ ଉପରେ ଉଡୁଛନ୍ତି। ସିକ୍ୟୁରିଟି କ୍ରିଷ୍ଣନ୍‌ଙ୍କ ମନରେ ସନ୍ଦେହ ହୋଇଥିଲା। ସେ ନିଜ ସିକ୍ୟୁରିଟି ଅଫିସରଙ୍କୁ ଜଣାଇଥିଲେ। ସିକ୍ୟୁରିଟି ଅଫିସର ଜଣକ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ। ଖବର ପାଇ ପିସିଆର ଭ୍ୟାନ୍‌, ମଞ୍ଚେଶ୍ୱର ଥାନା ପୁଲିସ ନଦୀ ପଠାରେ ପହଞ୍ଚିଥିଲା। ପୁଲିସ ଦେଖିବାକୁ ପାଇଥିଲା ଏକ କଳାରଙ୍ଗର ଏୟାର ବ୍ୟାଗ ପଡ଼ିଛି। ପୁଲିସ ସେହି ବ୍ୟାଗ୍‌ ଖୋଲି ଦେଖିବାକୁ ପାଇଥିଲା, ଯୁବତୀ ଜଣକ ଲାଲ୍‌ ରଙ୍ଗର ଚୁଡ଼ି ପ୍ୟାଣ୍ଟ୍‌, ଘିଅ ରଙ୍ଗର ଚୁଡ଼ିଦାର ପିନ୍ଧିଥିଲେ। ବ୍ୟାଗ୍‌ ଭିତରୁ ରକ୍ତ ଲଗା ଦୁଇଟି କମ୍ବଳ ମିଳିଛି। ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଶବ ବ୍ୟବଚ୍ଛେଦବେଳେ ପୁଲିସ ଦେଖିବାକୁ ପାଇଛି, ଯୁବତୀଙ୍କ ସମ୍ବେଦନଶୀଳ ସ୍ଥାନରୁ ରକ୍ତ ଝରିଛି, କାମୁଡ଼ା ଦାଗ ମଧ୍ୟ ରହିଛି। ପୁଲିସ ସନ୍ଦେହ କରିଥିଲା , ୬/୭ ଦିନ ତଳୁ ଯୁବତୀଙ୍କୁ ହତ୍ୟା କରାଯାଇଛି। ପ୍ରମାଣ ନଷ୍ଟ ଲାଗି ନଦୀ ପଠାରେ ମୃତଦେହକୁ ଫିଙ୍ଗି ଦିଆଯାଇଛି।

ଯୁବତୀଙ୍କ ପରିଚୟ ମିଳି ନ ଥିବାରୁ ପୁଲିସ ଯୁବତୀଙ୍କ ହାତର ପାପୁଲି ରଖିଛି, ଏହା ଛଡ଼ା ଯୁବତୀଙ୍କ ଫିଙ୍ଗର ପ୍ରିଣ୍ଟ୍‌ ମଧ୍ୟ ସଂଗ୍ରହ କରିଥିଲା। ଏପରିକି ଯୁବତୀଙ୍କ ଡିଏନ୍‌ଏ ଟେଷ୍ଟ ମଧ୍ୟ କରାଇଥିଲା। ଯୁବତୀଙ୍କର ଶବ ବ୍ୟବଚ୍ଛେଦ କରାଯିବାବେଳେ ଭିସେରା ସଂଗ୍ରହ ହୋଇଥିଲା। ଯୁବତୀଙ୍କ ପରିଚୟ ପାଇବା ପାଇଁ ପୁଲିସ ଅନ୍ୟ ଜିଲ୍ଲା ଏବଂ ରାଜ୍ୟ ବାହାର ପୁଲିସକୁ ଖବର ଦେଇଥିଲା। କିନ୍ତୁ କେଉଁଠି ବି କୌଣସି ତଥ୍ୟ ପାଇ ନ ଥିଲା ପୁଲିସ।

ସମ୍ବନ୍ଧିତ ଖବର